ନ୍ୟୁୟର୍କ,: ପୁରୁଷ ଏକକରେ ତୃତୀୟ ମାନ୍ୟତା ରୋଜର ଫେଡେରର୍, ଏବଂ ମହିଳା ଏକକରେ ତୃତୀୟ ମାନ୍ୟତା କାରୋଲିନେ ପ୍ଲିସ୍କୋଭା ଚଳିତ ବର୍ଷର ଚତୁର୍ଥ ତଥା ଶେଷ ଗ୍ରାଣ୍ଡ୍ ସ୍ଲାମ୍ ୟୁଏସ୍ ଓପନ୍ ଟେନିସ ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡ୍ ସ୍ଥାନ ପକ୍କା କରିନେଇଛନ୍ତି। ଶୁକ୍ରବାର ତୃତୀୟ ରାଉଣ୍ଡ ମୁକାବିଲାରେ ସ୍ବିଜରଲାଣ୍ଡ୍ ତାରକା ଫେଡେରର୍ ସିଧାସଳଖ ୬-୨, ୬-୨ ଓ ୬-୧ ସେଟ୍ରେ ଡାନ୍ ଇଭାନ୍ସଙ୍କୁ ଏବଂ ଚେକ୍ ଗଣରାଜ୍ୟର ପ୍ଲିସ୍କୋଭା ୬-୧, ୪-୬ ଓ ୬-୪ ସେଟ୍ରେ ଅନ୍ସ ଜବିଉର୍ଙ୍କୁ ପରାସ୍ତ କରି ଟ୍ରଫି ଲକ୍ଷ୍ୟରେ ଅଗ୍ରସର ହୋଇଛନ୍ତି। ତେବେ ପୁରୁଷ ଏକକରେ ସପ୍ତମ ମାନ୍ୟତା କେଇ ନିଶିକୋରି ଏହି ରାଉଣ୍ଡରୁ ବିଦାୟ ନେଇଛନ୍ତି। ଜାପାନ ତାରକା ନିଶିକୋରି ୨-୬, ୪-୬, ୬-୨ ଓ ୩-୬ ସେଟ୍ରେ ଆଲେକ୍ସ ଡି ମିନାଉର୍ଙ୍କ ନିକଟରୁ ହାରି ବିଦାୟ ନେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୁରୁଷ ଏକକ ଦ୍ବିତୀୟ ରାଉଣ୍ଡରେ ନିଜ ପ୍ରତିଦ୍ବନ୍ଦ୍ବୀ ଓହରିଯିବାରୁ ଦ୍ବିତୀୟ ମାନ୍ୟତାପ୍ରାପ୍ତ ସ୍ପେନ୍ ତାରକା ରାଫେଲ ନାଦାଲ ୱାକ୍ ଓଭର ପାଇ ତୃତୀୟ ରାଉଣ୍ଡରେ ପହଞ୍ଚି ଯାଇଥିଲା ବେଳେ ତ୍ରୟୋଦଶ ମାନ୍ୟତାପ୍ରାପ୍ତ ଗେଲ୍ ମୋନ୍ଫିଲ୍ସ, ଚତୁର୍ଦଶ ମାନ୍ୟତାପ୍ରାପ୍ତ ଜନ୍ ଇଜ୍ନର, ୨୦ ମାନ୍ୟତାପ୍ରାପ୍ତ ଡିଏଗୋ ସ୍ବାର୍ଜମ୍ୟାନ୍, ୨୨ ମାନ୍ୟତାପ୍ରାପ୍ତ ମାରିନ୍ ସିଲିକ୍, ୨୮ ମାନ୍ୟତାପ୍ରାପ୍ତ ନିକ୍ କିର୍ଗିଅସ୍ ନିଜ ନିଜର ବିଜୟ ସହ ଦ୍ବିତୀୟ ରାଉଣ୍ଡ ଅତିକ୍ରମ କରିଛନ୍ତି। ତେବେ ୩୨ ମାନ୍ୟତାପ୍ରାପ୍ତ ଭର୍ଦେସ୍କୋ ଫର୍ନାଣ୍ଡୋ ପରାଜୟ ସହ ବିଦାୟ ନେଇଛନ୍ତି। ପଞ୍ଚମ ମାନ୍ୟତାପ୍ରାପ୍ତ ଡାନିଲ ମେଡ୍ଭେଡେଭ୍, ଷଷ୍ଠ ମାନ୍ୟତାପ୍ରାପ୍ତ ଆଲେକ୍ଜାଣ୍ଡର ଭେରେଭ୍ ବିଜୟ ଅଭିଯାନ ଜାରି ରଖି ତୃତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି।
ମହିଳା ଏକକ ବର୍ଗରେ ବିପର୍ଯ୍ୟୟ ଘଟିଛି। ଚତୁର୍ଥ ମାନ୍ୟତାପ୍ରାପ୍ତ ସିମୋନା ହାଲେପ୍ ଏବଂ ଷଷ୍ଠ ମାନ୍ୟତାପ୍ରାପ୍ତ ପେଟ୍ରା କ୍ବିତୋଭା ଦ୍ବିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ରୋମାନିଆ ଲଳନା ହାଲେପ୍ଙ୍କୁ ଆମେରିକା ଯୋଗ୍ୟତାର୍ଯ୍ୟାୟ ଖେଳାଳି ଟେଲର ଟାଉନ୍ସେଣ୍ଡ୍ ୨-୬, ୬-୩ ଓ ୭-୬ ସେଟ୍ରେ ପରାସ୍ତ କରିଛନ୍ତି। ଏଥି ସହିତ ଟାଉନ୍ସେଣ୍ଡ୍ ନିଜ ଜୀବନରେ ପ୍ରଥମ ଥର ଲାଗି ଶୀର୍ଷ-୧୦ ମଧ୍ୟର କୌଣସି ମାନ୍ୟତାପ୍ରାପ୍ତ ଖେଳାଳିଙ୍କ ବିପକ୍ଷରେ ବିଜୟ ହାସଲ କରିଛନ୍ତି। ସେହିପରି ବିଶ୍ବ ମାନ୍ୟତାର ୮୮ ଜର୍ମାନି ମହିଳା ଆନ୍ଦ୍ରେ ପେଟ୍କୋଭିକ୍ ଦୁଇ ଥର ଗ୍ରାଣ୍ଡ୍ସ୍ଲାମ୍ ବିଜୟିନୀ କ୍ବିତୋଭାଙ୍କୁ ସିଧାସଳଖ ୬-୪ ଓ ୬-୪ ସେଟ୍ରେ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ନବମ ମାନ୍ୟତାପ୍ରାପ୍ତ ଆରୢାନା ସାବାଲେଙ୍କା ମଧ୍ୟ ଏହି ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ତାଲିକାରେ ଯୋଡ଼ି ହୋଇଯାଇଛନ୍ତି। ହେଲେ ଶୀର୍ଷ ମାନ୍ୟତାପ୍ରାପ୍ତ ନାଓମି ଓସାକା, ସପ୍ତମ ମାନ୍ୟତାପ୍ରାପ୍ତ କିକି ବର୍ତେନ୍ସ, ତ୍ରୟୋଦଶ ମାନ୍ୟାତାପ୍ରପ୍ତ ବେଲିନ୍ଦା ବେନ୍ସିକ୍, ପୂର୍ବତନ ଅଷ୍ଟ୍ରେଲୀୟ ଓପନ୍ ବିଜୟିନୀ ୧୯ ମାନ୍ୟତାପ୍ରାପ୍ତ କାରୋଲିନେ ୱିଜ୍ନିଆକି ପ୍ରମୁଖ ବିଜୟ ଧାରା ଜାରି ରଖି ତୃତୀୟ ରାଉଣ୍ଡ ସ୍ଥାନ ସୁରକ୍ଷିତ କରିନେଇଛନ୍ତି।
ପ୍ରଥମ ରାଉଣ୍ଡ୍ରୁ ପେସ୍ ଓ ଶରନଙ୍କ ଅଭିଯାନ ଶେଷ
ଦୁଇ ଭାରତୀୟ ତାରକା ଲିଆଣ୍ଡର ପେସ୍ ଏବଂ ଦିବିଜ୍ ଶରନ୍ଙ୍କ ୟୁଏସ୍ ଓପନ୍ ଅଭିଯାନ ପ୍ରଥମ ରାଉଣ୍ଡରୁ ହିଁ ଶେଷ ହୋଇଯାଇଛି। ଶୁକ୍ରବାର ପୁରୁଷ ଯୁଗଳ ପ୍ରଥମ ରାଉଣ୍ଡରେ ପେସ୍ ଓ ତାଙ୍କ ଆର୍ଜେଣ୍ଟିନା ସାଥୀ ଗୁଏଲେର୍ମୋ ଦୁରାନ୍ ସିଧାସଳଖ ୫-୭ ଓ ୨-୬ ସେଟ୍ରେ କାସ୍ପର ରୁଡ୍-ମିଓମିର କେକ୍ମାନୋଭିକ୍ ଯୋଡ଼ିଠୁ ହାରି ଯାଇଥିଲା ବେଳେ ଫ୍ରାନ୍ସର ହୁଗୋ ନିସ୍ଙ୍କୁ ସାଥୀ କରି ଖେଳିଥିବା ଦିବିଜ୍ ସିଧାସଳଖ ୪-୬ ଓ ୪-୬ ସେଟ୍ରେ ରବର୍ଟ କାର୍ବାଲେସ୍ ବେଏନା ଓ ଫ୍ରେଡ୍ରିକୋ ଡେଲ୍ବୋନିସ୍ ଯୋଡ଼ି ନିକଟରୁ ହାରି ଯାଇଛନ୍ତି। ଏହି ୭୨ ମିନିଟ୍ ମୁକାବିଲା ମଧ୍ୟରେ ଶରନ୍ ଓ ତାଙ୍କ ସାଥୀ ଗୋଟିଏ ବି ବ୍ରେକ୍ ପଏଣ୍ଟ୍ ହାସଲ କରିପାରିନଥିଲେ। ଚଳିତ ଋତୁରେ ଦ୍ବିତୀୟ ଥର ପାଇଁ ଶରନ୍ କୌଣସି ଗ୍ରାଣ୍ଡ୍ ସ୍ଲାମ୍ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଏହା ପୂର୍ବରୁ ସେ ଅଷ୍ଟ୍ରେଲିଆନ୍ ଓପନ୍ ପ୍ରଥମ ରାଉଣ୍ଡ ଟପି ପାରିନଥିଲେ।