ନ୍ୟୁୟର୍କ: ମହିଳା ଏକକରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆସ୍ଲେ ବାର୍ଟିଙ୍କ ଚଳିତ ବର୍ଷର ଚତୁର୍ଥ ତଥା ଶେଷ ଗ୍ରାଣ୍ଡ୍ ସ୍ଲାମ୍ ୟୁଏସ୍ ଓପନ୍ ଟେନିସ ପ୍ରତିଯୋଗିତାରେ ଅଭିଯାନ ଶେଷ ହୋଇଯାଇଛି। ଫ୍ରେଞ୍ଚ୍ ଓପନ୍ ବିଜୟିନୀ ଏହି ଅଷ୍ଟ୍ରେଲିଆ ଲଳନା ବାର୍ଟିଙ୍କୁ ରବିବାର ପ୍ରିକ୍ବାର୍ଟର ଫାଇନାଲ୍ରେ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ଚୀନ୍ ତାରକା ୱାଙ୍ଗ୍ କ୍ବିଙ୍ଗ୍ ସିଧାସଳଖ ୬-୨ ଓ ୬-୪ ସେଟ୍େର ପରାସ୍ତ କରି ବିଦାୟ ରାସ୍ତା ଦେଖାଇଦେଇଛନ୍ତି। ତେବେ ପୁରୁଷ ଏକକରେ ତୃତୀୟ ମାନ୍ୟତାପ୍ରାନ୍ତ ରୋଜର ଫେଡେରର୍ ବିଜୟ ଧାରା ଜାରି ରଖି କ୍ବାର୍ଟର ଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ରବିବାର ପ୍ରିକ୍ବାର୍ଟର ଫାଇନାଲ୍ରେ ସ୍ବିଜରଲାଣ୍ଡ୍ ତାରକା ଫେଡେଣର୍ ସିଧାସଳଖ ୬-୨, ୬-୨ ଓ ୬-୦ ସେଟ୍ରେ ପଞ୍ଚଦଶ ମାନ୍ୟତାପ୍ରାପ୍ତ ଡେଭିଡ୍ ଗଫିନ୍ଙ୍କୁ ପରାସ୍ତ କରିଛନ୍ତି।
ଅନ୍ୟପକ୍ଷରେ ପୁରୁଷ ଏକକରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରାଫେଲ ନାଦାଲ ଓ ମହିଳା ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ନାଓମି ଓସକା ପ୍ରି-କ୍ବାର୍ଟର ଫାଇନାଲ୍ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ତିନି ଥରର ବିଜେତା ସ୍ପେନ୍ ତାରକା ନାଦାଲ ୬-୩, ୬-୪, ୬-୨ ସେଟ୍ରେ କୋରିଆର ଚୁଙ୍ଗ ହିୟନ୍ଙ୍କୁ ପରାସ୍ତ କରିଥିଲେ। ପ୍ରି-କ୍ବାର୍ଟର୍ ଫାଇନାଲ୍ରେ ସେ କ୍ରୋଏସିଆର ମାରିନ ସିଲିକଙ୍କୁ ଭେଟିବେ। ସେହିଭଳି ଷଷ୍ଠ ମାନ୍ୟତାପ୍ରାପ୍ତ ଆଲେକଜାଣ୍ଡର ଭେରେଭ ୬-୭, ୭-୬, ୬-୩, ୭-୬ ସେଟ୍ରେ ସ୍ଲୋଭେନିଆର ଅଲ୍ଜାଜ ବିଦେନିଙ୍କୁ ହରାଇ ପ୍ରି-କ୍ବାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଥିଲେ। ଏହି ଜର୍ମାନି ଖେଳାଳି ପରବର୍ତୀ ପର୍ଯ୍ୟାୟରେ ଆର୍ଜେଣ୍ଟିନାର ଡିଆଗୋ ସ୍ବାର୍ଜମାନ୍ଙ୍କୁ ଭେଟିବେ। ତେବେ ୨୮ ମାନ୍ୟତାପ୍ରାପ୍ତ ଅଷ୍ଟ୍ରେଲିଆର ନିକ କିର୍ଗିସ୍ଙ୍କ ଅଭିଯାନ ଶେଷ ହୋଇଛି। ରୁଷିଆର ଆନ୍ଦ୍ରେ ରୁବଲେଭ ୭-୬, ୭-୬, ୬-୩ ସେଟ୍ରେ କିର୍ଗିସ୍ଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ପ୍ରି-କ୍ବାର୍ଟର୍ ଫାଇନାଲ୍ରେ ରୁବଲେଭ ଇଟାଲିର ମାତିଓ ବେରେତିନିଙ୍କୁ ଭେଟିବେ।
ମହିଳା ଏକକରେ ଗତ ଥରର ବିଜୟିନୀ ଓସାକା ୬-୩, ୬-୦ ସେଟ୍ରେ ଆମେରିକାର ୧୫ ବର୍ଷୀୟା ଯୁବତୀ କୋରି କୋକୋ ଗୌଫ୍ଙ୍କୁ ପରାସ୍ତ କରି ଦେଇଥିଲେ। ୨୧ ବର୍ଷୀୟା ଏହି ଜାପାନ୍ ଖେଳାଳି ପ୍ରି-କ୍ବାର୍ଟର୍ରେ ତ୍ରୟୋଦଶ ମାନ୍ୟତାପ୍ରାପ୍ତ ସ୍ବିଜରଲାଣ୍ଡର ବେଲିନ୍ଦା ବେନସିକ୍ଙ୍କୁ ଭେଟିବେ। ବେନସିକ୍ଙ୍କ ପ୍ରତିନ୍ଦ୍ବନ୍ଦ୍ବୀ ଆନେଟ କୋନ୍ତାଭିଏଟ୍ ଓହରି ଯିବାରୁ ସେ ଏହି ପର୍ଯ୍ୟାୟରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ପୂର୍ବତନ ଏକ ନମ୍ବର ମହିଳା ଖେଳାଳି କାରୋଲିନ୍ ଓଜନିଆକିଙ୍କ ଅଭିଯାନ ଶେଷ ହୋଇଯାଇଛି। ତାଙ୍କୁ ଚଳିତ ବର୍ଷ ୟୁଏସ୍ ଓପନ୍ ପଦାର୍ପଣ କରିଥିବା କାନାଡ଼ାର ବିଙ୍କା ଆନ୍ଦ୍ରିସ୍କୁ ୬-୪, ୬-୪ ସେଟ୍ରେ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ଆନ୍ଦ୍ରିସ୍କୁ ପ୍ରି-କ୍ବାର୍ଟର୍ ଫାଇନାଲ୍ରେ ଆମେରିକାର ଟେଲର ଟାଉନ୍ସେଣ୍ଡ୍ଙ୍କୁ ଭେଟିବେ। ଜର୍ମାନିର ଜୁଲିଆ ଜର୍ଜିସ୍ଙ୍କୁ ୬-୨, ୬-୩ ସେଟ୍ରେ ପରାସ୍ତ କରି ସପ୍ତମ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡ ଲଳନା କିକି ବର୍ତେନ୍ସ ପ୍ରି-କ୍ବାର୍ଟର୍ରେ ପ୍ରବେଶ କରିଥିଲେ। ପ୍ରି-କ୍ବାର୍ଟର୍ରେ ତାଙ୍କ ଭେଟ କ୍ରୋଏସିଆର ଡୋନା ଭେକିକ୍ଙ୍କ ସହ ହେବ।