ଗ୍ରାଣ୍ଡ ସ୍ଲାମ୍ କ୍ବାର୍ଟରରେ ଫେଡେରର୍‌ ବୟୋଜ୍ୟେଷ୍ଠ; ମେଦଭେଦେଭ, ଭେରଭ ବିଦା

ସେମିରେ ବାର୍ଟି, ପ୍ଲିସକୋଭା, ସାବଲେଙ୍କା, କର୍ବର

ଲଣ୍ଡନ: ୨୦ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସ୍ବିଜରଲାଣ୍ଡ ଟେନିସ କିଂବଦନ୍ତି ରୋଜର ଫେଡେରର୍‌ ଚଳିତ ୱିମ୍ବଲଡନ୍‌ରେ ନୂଆ କୀର୍ତ୍ତିମାନ କରିଛନ୍ତି। ସୋମବାର ମଧ୍ୟରାତ୍ରରେ ଖେଳାଯାଇଥିବା ପୁରୁଷ ଏକକ ପ୍ରିକ୍ବାର୍ଟର ଫାଇନାଲ୍‌ରେ ଷଷ୍ଠ ମାନ୍ୟତାପ୍ରାପ୍ତ ଫେଡେରର୍‌ ସିଧାସଳଖ ୭-୫, ୬-୪, ୬-୨ ସେଟ୍‌ରେ ୨୩ ମାନ୍ୟତାପ୍ରାପ୍ତ ଇଟାଲିର ଲୋରେଞ୍ଜୋ ସୋନେଗୋଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିବାରେ ସବୁଠାରୁ ବ‌ୟୋଜ୍ୟେଷ୍ଠ ଖେଳାଳି ହୋଇଥିଲେ। ଏଥିସହ ଏଠାରେ ୮ ଥରର ବିଜେତା ଫେଡେରର ୧୮ତମ ୱିମ୍ବଲଡନ୍‌ ଏବଂ ୫୮ତମ ଗ୍ରାଣ୍ଡ ସ୍ଲାମ୍‌ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିବାର କୀର୍ତ୍ତିମାନ ମଧ୍ୟ କରିଥିଲେ। ଆସନ୍ତା ମାସରେ ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଫେଡେରର୍‌ କ୍ବାର୍ଟର ଫାଇନାଲ୍‌ରେ ପୋଲାଣ୍ଡର ହୁବର୍ତ ହୁର୍କାଜଙ୍କୁ ଭେଟିବେ।

ଚତୁର୍ଦଶ ମାନ୍ୟତାପ୍ରାପ୍ତ ହୁର୍କାଜ ୨-୬, ୭-୬, ୩-୬, ୬-୩, ୬-୩ ସେଟ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରୁଷିଆର ଡାନିଲ ମେଦଭେଦେଭଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଥିଲେ। ‌ସେହିପରି ଚତୁର୍ଥ ମାନ୍ୟତାପ୍ରାପ୍ତ ଆଲେକ୍‌ଜାଣ୍ଡର ଭେରଭଙ୍କ ଅଭିଯାନ ମଧ୍ୟ ପ୍ରିକ୍ବାର୍ଟର ଫାଇନାଲ୍‌ରେ ଶେଷ ହୋଇଯାଇଛି। ୟୁଏସ୍‌ ଓପନ୍‌ ଫାଇନାଲିଷ୍ଟ ୨୪ ବର୍ଷୀୟ ଏହି ଜର୍ମାନୀ ଖେଳାଳି ୪-୬, ୬-୭, ୬-୩, ୬-୩, ୪-୬ ସେଟ୍‌ରେ ଷୋଡ଼ଷ ମାନ୍ୟତାପ୍ରାପ୍ତ କାନାଡ଼ାର ଫେଲିକ୍ସ ଅଗର ଆଲିଆସିମଙ୍କଠୁ ହାରି ବିଦାୟ ନେଇଥିଲେ।

ସେମିରେ ବାର୍ଟି, ପ୍ଲିସକୋଭା, ସାବଲେଙ୍କା, କର୍ବର

ଚଳିତ ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତାର ମହିଳା ଏକକ ସେମିଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍‌ଲେ ବାର୍ଟି, ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ଜର୍ମାନିର ଆଞ୍ଜେଲିକ୍‌ କର୍ବର, ଅଷ୍ଟମ ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସକୋଭା ଓ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆରିନା ସାବଲେଙ୍କା ପ୍ରବେଶ କରିଛନ୍ତି।

ମଙ୍ଗଳବାର କ୍ବାର୍ଟର ଫାଇନାଲ୍‌ରେ ନିଜ ଦେଶର ଆଜ୍‌ଲା ଟୋମ୍‌ଜାନୋଭିକ୍‌ଙ୍କୁ ସିଧାସଳଖ ୬-୧ ଓ ୬-୩ ସେଟ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆର ବାର୍ଟି ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ସେମିଫାଇନାଲ୍‌ରେ ତାଙ୍କର ମୁକାବିଲା ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ଜର୍ମାନିର ଆଞ୍ଜେଲିକ୍‌ କର୍ବରଙ୍କୁ ଭେଟିବେ। ଅନ୍ୟ ଏକ କ୍ବାର୍ଟର ଫାଇନାଲ୍‌ରେ କର୍ବର ୬-୨, ୬-୩ ସିଧାସଳଖ ସେଟ୍‌ରେ ୧୯ ମାନ୍ୟତାପ୍ରାପ୍ତ ଚେକ୍‌ ଗଣରାଜ୍ୟର କାରୋଲିନା ମୁଚୋଭାଙ୍କୁ ମାତ୍‌ ଦେଇଥିଲେ। ଏଥି ସହିତ ୨୦୧୮ ବିଜୟିନୀ ୩୩ ବର୍ଷୀୟା କର୍ବର ନିଜର ତୃତୀୟ ୱିମ୍ବଲଡନ୍‌ ସେମିଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି।

ସେହିପରି ଚେକ୍‌ଗଣରାଜ୍ୟର ୨୯ ବର୍ଷୀୟା ପ୍ଲିସ୍‌କୋଭା ସିଧାସଳଖ ୬-୨, ୬-୨ ସେଟ୍‌ରେ ସ୍ବିଜରଲାଣ୍ଡର ଭିକ୍ଟୋରିଜା‌ ଗୋଲୁବିକଙ୍କୁ ପରାସ୍ତ କରିଥିଲେ। ନିଜର ପ୍ରଥମ ୱିମ୍ବଲଡନ୍‌ ସେମିଫାଇନାଲରେ ଏହି ୨୦୧୬ ୟୁଏସ୍‌ ଓପନ୍‌ ଉପବିଜୟିନୀ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆରିନା ସାବଲେଙ୍କାଙ୍କୁ ଭେଟିବେ। ବେଲାରୁଷ ଲଳନା ‌ସାବଲେଙ୍କା ୬-୪, ୬-୩ ସେଟ୍‌ରେ ୨୧ ମାନ୍ୟତାପ୍ରାପ୍ତ ଟ୍ୟୁନିସିଆର ଓନ୍ସ ଜାବିୟରଙ୍କୁ ହରାଇ ପ୍ରଥମ ଥର ‌ଲାଗି ଗ୍ରାଣ୍ଡ୍‌ ସ୍ଲାମ୍‌ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ।

ସମ୍ବନ୍ଧିତ ଖବର