ଚତୁର୍ଥକୁ ଲମ୍ଫ ଦେଲେ ଫେଡେରର୍‌

ପ୍ୟାରିସ ମିଆମି ଓପନ୍‌ ଜିତି ଜୀବନର ୧୦୧ତମ ଟ୍ରଫି କରାୟତ କରିଥିବା ସ୍ବିଜରଲାଣ୍ଡ ତାରକା ‌ରୋଜର ଫେଡେରର୍‌ ଏଟିପି ମାନ୍ୟତ‌ାରେ ଚତୁର୍ଥ ସ୍ଥାନକୁ ଲମ୍ଫ ମାରିଛନ୍ତି। ମିଆମି ଓପନ୍‌ ପୂର୍ବରୁ ତୃତୀୟ ମାନ୍ୟତାରେ ରହିଥିବା ଫେଡେରର୍‌ ସୋମବାର ପ୍ରକାଶିତ ସାନି ମାନ୍ୟତା ତାଲିକାରେ ପୁରୁଷ ଏକକ ବର୍ଗରେ ଚତୁର୍ଥ ସ୍ଥାନ ପାଇଛନ୍ତି। ଫେଡେରର୍‌ ଫାଇନାଲ୍‌ରେ ଜନ୍‌ ଇଜ୍‌ନରଙ୍କୁ ସିଧାସଳଖ ୬-୧ ଓ ୬-୪ ଦେଟ୍‌ରେ ପରାସ୍ତ କରି ଟ୍ରଫି ହାତେଇଥିଲେ। ସର୍ବିଆ ତାରକା ନୋଭାକ ‌ଜୋକୋଭିକ, ସ୍ପେନ୍‌ର ରାଫେଲ ନାଦାଲ ଏବଂ ଜର୍ମାନିର ଆଲେକ୍‌ଜାଣ୍ଡର ଜେରଭ ମାନ୍ୟତା ତାଲିକାରେ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ବଜାୟ ରଖିଥିଲା ବେଳେ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ ଚତୁର୍ଥରୁ ପଞ୍ଚମ ସ୍ଥାନକୁ ଖସି ଯାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜାପାନର କେଇ ନିଶିକୋରି, ଦକ୍ଷିଣ ଆଫ୍ରିକାର କେଭିନ୍‌ ଆଣ୍ଡରସନ୍‌, ଗ୍ରିସ୍‌ର ଷ୍ଟିଫାନୋସ୍‌ ସିସିପାସ୍‌, ଆର୍ଜଣ୍ଟେିନାର ଜୁଆନ୍‌ ମାର୍ଟିନ୍‌ ଡେଲ୍‌ପୋଟ୍ରୋ ଏବଂ ଆମେରିକାର ଜନ୍‌ ଇଜ୍‌ନର ଶୀର୍ଷ-୧୦ରେ ଯଥାକ୍ରମେ ଷଷ୍ଠରୁ ଦଶମ ସ୍ଥାନ ଅକ୍ତିଆର କରିଛନ୍ତି।
ମହିଳା ଏକକ ବର୍ଗରେ ରୋମାନିଆ ଲଳନା ସିମୋନା ହାଲେପ ଡବ୍ଲୁଟିଏ ମାନ୍ୟତାରେ ଦ୍ବିତୀୟ ସ୍ଥାନ ଦଖଲ କରିଛନ୍ତି। ଏଥିସହ ସେ (୫୭୮୨ ପଏଣ୍ଟ୍‌) ସହ ଶୀର୍ଷରେ ଥିବା ଜାପାନର ନାଓମି ଓସକା (୬୦୨୧)ଙ୍କ ନିକଟର ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଚେକ୍‌ ଗଣରାଜ୍ୟର ପେତ୍ରା କ୍ବିତୋଭା, କାରୋଲିନା ପ୍ଲିସକୋଭା ଓ ଜର୍ମାନିର ଆଞ୍ଜେଲିକ୍‌ କର୍ବର ଶୀର୍ଷ ୫ରେ ରହିଛନ୍ତି।

ସମ୍ବନ୍ଧିତ ଖବର