ଲୋତକଭରା ବିଦାୟ ନେଲେ ଫେଡେରର୍‌

କୋହ ସମ୍ଭାଳି ପାରିଲେନି ନାଦାଲ୍‌, କୋହଲି ହେଲେ ଭାବୁକ

ଲଣ୍ଡନ୍‌ : ଟେନିସ୍ କିବଂଦନ୍ତି ରୋଜର ଫେଡେରର୍‌ଙ୍କ ଶେଷ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ପ୍ରତିଯୋଗିତା ଫଳାଫଳଠାରୁ ଢେର ଉର୍ଧ୍ବରେ ଥିଲା। ଖେଳ ଜୀବନରେ ପରସ୍ପର ସହ ୪୦ ଥର ଲଢ଼ିଥିବା ରା‌ଫେଲ୍ ନାଦାଲଙ୍କ ସହ ମିଶି ଚଳିତ ଲାଭର୍‌ କପ୍‌ରେ ଖେଳିଥିଲେ ଏହି ସ୍ବିସ୍‌ ମାଷ୍ଟର୍‌। କୋର୍ଟ ଭିତରେ ପ୍ରତିଦ୍ବନ୍ଦ୍ବୀ ଥିଲେ ମଧ୍ୟ କୋର୍ଟ ବାହାରେ ପରସ୍ପରର ଭଲ ବଂଧୁ ବୋଲି ପୁଣି ପ୍ରମାଣିତ କରିଥିଲେ। ଏହ‌ି ୟୁରୋପୀୟ ‌ଯୋଡିଙ୍କୁ ‘ଫେଡାଲ୍‌’ ଆଖ୍ୟା ଦିଆଯାଇଥିବା ବେ‌େଳ ଶୁକ୍ରବାର ସେମାନଙ୍କ ଆଗୁଆ ପରାଜୟ ମଧ୍ୟ ଦେଖିବାକୁ ମିଳିଥିଲା।

ତେବେ ସବୁଠୁ ନିଆରା ଥିଲା‌ ଫେଡେରରଙ୍କ ଅନ୍ତିମ ଅଭିଭାଷଣ। ଖେଳ ଜୀବନ ଯାତ୍ରା ପଥର ସମସ୍ତ ଅଂଶୀଦାରଙ୍କୁ ଧନ୍ୟବାଦ ଦେବା ପାଇଁ କହିବାକୁ ପ୍ରୟାସ ବେଳେ ଫେଡେରର୍‌ ବାରମ୍ବାର କାନ୍ଦି ପକାଉଥିଲେ, ଅଟକି ଅଟକି ଆଖିରୁ ଲୁହ ପୋଛୁଥିଲେ। ଏପରିକି ନାଦାଲଙ୍କ ପାଖାପାଖି ବସିଥିବା ବେଳେ ଏକକାଳୀନ ଉଭୟଙ୍କ ଆଖିରୁ ଲୋତକ ଝରି ପଡୁଥିଲା। ପରିବାରକୁ ଧନ୍ୟବାଦ ଦେବା ବେଳେ ଷ୍ଟାଣ୍ଡ୍‌ରେ ଥିବା ଫେଡେରରଙ୍କ ପିତାମାତା ଓ ପତ୍ନୀଙ୍କ ଆଖିରୁ ବି ଲୁହ ଝରି ପଡିଥିଲା। ‘ଟେନିସ୍‌ ଖେଳର ଐତିହାସିକ ମୁହୂର୍ତ ସହ ଯୋଡିହୋଇ ରହିବା ମୋ ପାଇଁ ସବୁଠାରୁ ବଡ଼ ସମ୍ମାନ, ଏକାଠି ଏତେବର୍ଷ ସ୍ମରଣୀୟ ଦିନସବୁ କାଟିଛୁ। ରୋଜର ଟୁର୍‌ ଛାଡ଼ିବା ସମୟରେ ମୋ ପାଇଁ ମଧ୍ୟ ଏହା ଛାଡ଼ିବାର ବେଳ ଆସୁଥିବା କଥା ସୂଚାଉଛି। ଏସବୁ ଭାବବିହ୍ବଳ ମୁହୂର୍ତ୍ତକୁ ବର୍ଣ୍ଣନା କରିବା କଷ୍ଟକର, କିନ୍ତୁ ଚମତ୍କାର’ ବୋଲି ନାଦାଲ ପ୍ରକାଶ କରିଥିଲେ। ଯୁଗଳ ମ୍ୟାଚ୍‌ରେ ଫେଡାଲ୍‌ ହାରିଯାଇଥିବା ବେଳେ ନାଦାଲ ଏକକରୁ ମଧ୍ୟ ଓହରିଯାଇଥିଲେ। ନାଦାଲଙ୍କ ବଦଳରେ କାମେରନ୍‌ ନୁରି ଏବଂ ଫେଡେରରଙ୍କ ବଦଳରେ ମାଟିଓ ବେରେଟିନି ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ୪୧ ବର୍ଷୀୟ ଫେଡେରର୍‌ ୨୦ ଗ୍ରାଣ୍ଡ ସ୍ଲାମ ବିଜେତା ହୋଇଥିଲେ। ଶୁକ୍ରବାର ରାତିରେ ତାଙ୍କ ଅନ୍ତିମ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ଲଣ୍ଡନ୍‌ର ଓ୨ ଏରେନାରେ ୧୭,୫୦୦ ଦର୍ଶକ ଉପସ୍ଥିତ ଥିଲେ। ନାଦାଲ ଏବଂ ଫେଡେରର୍‌ ମିଳିତ ଭାବେ ଖେଳିବା ପ୍ରଶଂସକଙ୍କୁ ବିଶେଷ ଭାବେ ବିମୋହିତ କରିଥିଲା। ଉଭୟଙ୍କ ମିଳିତ ବୟସ ୭୭ ଥିବାବେଳେ ମିଳିତ ଭାବେ ମଧ୍ୟ ୪୨ ଗ୍ରାଣ୍ଡ୍ ସ୍ଲାମ ଜିତିବାର ଗୌରବ ବହନ କରନ୍ତି।

କୋହଲି ହେଲେ ଭାବୁକ
ନୂଆଦିଲ୍ଲୀ : ଗତକାଲି ଲାଭେର କପ୍‌ରେ ରୋଜର ଫେଡେରର୍‌ ତାଙ୍କର ବିଦାୟୀ ମ୍ୟାଚ ଖେଳିଥିଲାବେଳେ ସେଠାରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। ମ୍ୟାଚରେ ରାଫେଲ ନାଡାଲଙ୍କୁ ସାଥି କରି ୟୁରୋପ ପାଇଁ ଖେଳୁଥିବାବେଳେ ଫ୍ରାନ୍‌ସିସ୍‌ ଟିୟାଫୋଇ ଓ ଜାକ୍‌ ସକ୍‌ଙ୍କଠୁ ୪-୬, ୭-୬, ୧୧-୯ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଥିଲେ। ହେଲେ ମ୍ୟାଚ ପରେ ଉଭୟ ଫେଡେରର୍‌ ଓ ନାଡାଲ ଭାବୁକ ହୋଇପଡ଼ିଥିଲାବେଳେ ନୋଭାକ ଜୋକୋଭିକ୍‌ ମଧ୍ୟ ‌ତାଙ୍କୁ କାନ୍ଧରେ ଉଠାଇଥିଲେ। ପରେ ବିଶ୍ବର ବିଭିନ୍ନ କ୍ରୀଡ଼ାବିତ୍‌ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲାବେଳେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ଭାବବିହ୍ବଳ ହୋଇ ଉଭୟ ଫେଡେ‌ରର୍‌ ଓ ନାଡାଲଙ୍କ ମ୍ୟାଚ ପରବର୍ତ୍ତି ସମୟର ଫଟୋ ସହ ଏକ ଟ୍ବିଟ୍‌ କରିଛନ୍ତି। ସେ ଲେଖିଥିଲେ ଯେ କିଏ ଜାଣିଥିଲା କି ଦୁଇ ପ୍ରତିଦ୍ବନ୍ଦ୍ବୀ ପରସ୍ପର ପ୍ରତି ଏଭଳି ମନୋଭାବ ରଖିଥାନ୍ତି। ଏହା ହିଁ ଖେଳର ‌ସୌନ୍ଦର୍ଯ୍ୟ। ଏହା ସବୁଠୁ ଶ୍ରେଷ୍ଠ ଖେଳୁଆଡ଼ ଫଟୋ ବୋଲି ସେ ଟ୍ବିଟ୍‌ କରିଛନ୍ତି। ଯେତେବେଳେ ସାଥୀ ଖେଳାଳି ତାଙ୍କ ପାଇଁ କାନ୍ଦିଥାନ୍ତି, ସେତେବେ‌ଳେ ଆପଣ ଜାଣି ପାରିବେ ଯେ ଭଗବାନ ଦେଇଥିବା ପ୍ରତିଭାକୁ ଆପଣଠିକ୍‌ ଭାବେ ନିଭାଇପାରିଛନ୍ତି ବୋଲି କୋହଲି ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର