ଲଣ୍ଡନ: କ୍ୟାରିୟର ସାରା ଜଣେ ଦୃଢ଼ ପ୍ରତିଦ୍ବନ୍ଦ୍ବୀ ଭାବେ ସ୍ପେନ୍ ତାରକା ରାଫେଲ ନାଦାଲଙ୍କ ସହ ଖେଳିଆସିଥିବା ସ୍ବିଜରଲାଣ୍ଡ୍ ତାରକା ରୋଜର ଫେଡେରର୍ ନିଜର ବିଦାୟୀ ମ୍ୟାଚ୍ରେ ଏକାଠି ଖେଳିବାକୁ ଇଛା ଜାହିର କରିଛନ୍ତି। ଲଣ୍ଡନରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଲାଭେର କପ୍ ଫେଡେରର୍ଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ହେବ। ଏହି ମ୍ୟାଚ୍ରେ ସେ ଲମ୍ବା ସମୟର ପ୍ରତିଦ୍ବନ୍ଦ୍ବୀ ନାଦାଲଙ୍କୁ ସାଥୀ କରି ଖେଳିବାକୁ ଚାହାନ୍ତି ବୋଲି ବୁଧବାର କହିଛନ୍ତି।
ଲାଭେର କପ୍ ପ୍ରତିଯୋଗିତା ପରେ ସେ ପେସାଦାର ଟେନିସ୍ରୁ ଅବସର ନେଇଯିବେ ବୋଲି ଗତ ସପ୍ତାହରେ ୨୦ ଗ୍ରାଣ୍ଡ୍ ସ୍ଲାମ୍ ବିଜେତା ଫେଡେରର୍ ଘୋଷଣା କରିଥିଲେ। ସେହିଦୃଷ୍ଟିରୁ ଲାଭେର କପ୍ରେ ସେ ଏକକ ବର୍ଗରେ ନଖେଳି କେବଳ ଯୁଗଳ ବର୍ଗରେ ପ୍ରତିନିଧିତ୍ବ କରିବେ। ତେଣୁ ନାଦାଲଙ୍କୁ ସାଥୀ କରି ଶୁକ୍ରବାର ରାତିରେ ବିଦାୟୀ ମ୍ୟାଚ୍ ଖେଳିବାକୁ ଚାହିଁଛନ୍ତି। କିନ୍ତୁ ୨୨ ଗ୍ରାଣ୍ଡ୍ ସ୍ଲାମ୍ ବିଜେତା ନାଦାଲ ଏହାକୁ ଗ୍ରହଣ କରିବେ କି ନା ସେନେଇ ଫେଡେରର୍ ସ୍ପଷ୍ଟ ନାହାନ୍ତି ବୋଲି କହିଛନ୍ତି। କିନ୍ତୁ ନାଦାଲ ରାଜି ହେଲେ ତାଙ୍କ ସ୍ବପ୍ନ ସାର୍ଥକ ହେବ ବୋଲି ବୁଧବାର ଏକ ଭରପୂର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଫେଡେରର୍।