ମେଲ୍ବର୍ନ: ପୁରୁଷ ଏକକ ଫାଇନାଲ୍ରେ ରବିବାର ୩୬ ବର୍ଷୀୟ ସ୍ୱିଜରଲାଣ୍ଡ୍ ତାରକା ରୋଜର ଫେଡେରର୍ ଷଷ୍ଠ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ଜିତି ନେଇଛନ୍ତି। ସେ ମଧ୍ୟ ଏହି ଟ୍ରଫିକୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ନିଜ ପାଖରେ ରଖିଛନ୍ତି। ଗତବର୍ଷ ସ୍ପେନ୍ ତାରକା ରାଫେଲ ନାଦାଲଙ୍କୁ ୭-୬, ୬-୪ ଓ ୬-୪ ସିଧାସଳଖ ସେଟ୍ରେ ପରାସ୍ତ କରି ଟ୍ରଫି ହାତେଇଥିବା ଫେଡେରର୍ ଚଳିତ ବର୍ଷ ତୀବ୍ର ସଂଘର୍ଷର ସମ୍ମୁଖୀନ ହେବା ସତ୍ତ୍ୱେ କ୍ରୋଏସିଆର ମାରିନ୍ ସିଲିକ୍ଙ୍କୁ ପରାସ୍ତ କରି ଟ୍ରଫି ବଜାୟ ରଖିଛନ୍ତି। ରବିବାର ପୁରୁଷ ଏକକ ଫାଇନାଲ୍ରେ ସିଲିକ୍ଙ୍କୁ ସଂଘର୍ଷପୂର୍ଣ୍ଣ ୫ ସେଟ୍ ମୁକାବିଲାରେ ପରାସ୍ତ କରି ଫେଡେରର୍ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ବିଜେତା ହୋଇଛନ୍ତି। ୩୬ ବର୍ଷ ବୟସ୍କ ଫେଡେରର୍ ରବିବାର ନିଜ ପେସାଦାର ଟେନିସ୍ ଜୀବନର ୩୦ତମ ଗ୍ରାଣ୍ଡ୍ସ୍ଲାମ୍ ଫାଇନାଲ୍ ଖେଳିଥିଲେ। ଏହି ଫାଇନାଲ୍ରେ ତାଙ୍କୁ ସିଲିକ୍ କଡ଼ା ଆହ୍ଵାନ ମଧ୍ୟ ଦେଇଥିଲେ। ପ୍ରଥମ ସେଟ୍କୁ ଫେଡେରର୍ ୬-୨ରେ ଜିତିନେବା ପରେ ସିଲିକ୍ ଦ୍ୱିତୀୟ ସେଟ୍କୁ ୭-୬ (୬-୫)ରେ ଜିତି ସ୍ଥିତି ସମାନ କରିଥିଲେ। ଏହାପରେ ଫେଡେରର୍ ତୃତୀୟ ସେଟ୍କୁ ୬-୩ରେ ଜିତି ୨-୧ରେ ଆଗୁଆ ହୋଇଯାଇଥିଲେ। ହେଲେ ସିଲିକ୍ ସହଜରେ ଫେଡେରର୍ଙ୍କୁ ବିଜୟ ବାଟ ଛାଡ଼ନଥିଲେ। ସିଲିକ୍ ଚତୁର୍ଥ ସେଟ୍କୁ ୬-୩ରେ ଜିତି ସ୍ଥିତି ୨-୨ କରିବା ସହିତ ମ୍ୟାଚ୍କୁ ପଞ୍ଚମ ତଥା ନିର୍ଣ୍ଣାୟକ ସେଟ୍କୁ ଟାଣି ନେଇଥିଲେ। ତେବେ ମେଲ୍ବର୍ନ ପାର୍କର ରଡ୍ ଲାଭେର୍ ଏରେନା ଛାତ ତଳେ ପୂର୍ବରୁ ୫ ଥର ଟ୍ରଫି ଜିତି ସାରିଥିବା ଫେଡେରର୍ ଅଭିଜ୍ଞତାର ଫାଇଦା ଉଠାଇ ପଞ୍ଚମ ସେଟ୍କୁ ୬-୧ ସହଜରେ ଜିତିନେଇ ଟ୍ରଫି ଉପରେ କବ୍ଜା କରିନେଇଥିଲେ। ଏହା ଫେଡେରର୍ଙ୍କ ଜୀବନର ୨୦ତମ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଥିଲା। ଫଳରେ ପ୍ରଥମ ଥର ଲାଗି ଏଠାରେ ଫାଇନାଲ୍ ଖେଳିଥିବା ସିଲିକ୍ଙ୍କ ଟ୍ରଫି ଜିତିବାର ଆଶା ଧୂଳିସାତ୍ ହୋଇଯାଇଥିଲା। ଏଥି ସହିତ ଷଷ୍ଠ ଥର ପାଇଁ ଟ୍ରଫି ଜିତି ଫେଡେରର୍ ମଧ୍ୟ ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ଙ୍କ ସର୍ବାଧିକ ଥର ବିଜେତା ହେବାର କୀର୍ତିମାନର ସମକକ୍ଷ ହୋଇଥିଲେ। ଜୋକୋଭିକ୍ ସର୍ବାଧିକ ୬ ଥର ଜିତି ଏହି କୀର୍ତିମାନକୁ ନିଜ ନାମରେ ଅତୁଟ ରଖିଥିଲେ। ୨୦୦୪ରେ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍ ଓପନ୍ ବିଜେତା ହୋଇଥିବା ଫେଡେରର୍ ପରେ ୨୦୦୬, ୨୦୦୭, ୨୦୧୦, ୨୦୧୭ରେ ମଧ୍ୟ ଏଠାରେ ବିଜେତା ହୋଇଥିଲେ। ଅନ୍ୟପକ୍ଷରେ ଜୋକୋଭିକ୍ ପ୍ରଥମ ଥର ଲାଗି ୨୦୦୮ରେ ମେଲ୍ବର୍ନରେ ବିଜେତା ହୋଇଥିଲା ବେଳେ ୨୦୧୧, ୨୦୧୨ ଓ ୨୦୧୩ରେ କ୍ରମାଗତ ଟ୍ରଫି ଜିତି ହ୍ୟାଟ୍ରିକ୍ କରିଥିଲେ। ଏହାପରେ ୨୦୧୫ ଓ ୨୦୧୬ରେ ମଧ୍ୟ ଲଗାତାର ଟ୍ରଫି ଜିତିଥିଲେ।
ବୋପାନ୍ନା-ବାବୋସ୍ ଉପବିଜେତା
ଅଷ୍ଟ୍ରେଲିଆନ୍ ଓପନରୁ ଭାରତକୁ ଏକ ମୁକୁଟ ମିଳିବାର ଆଶା ଶେଷରେ ମଉଳିଗଲା। ହଙ୍ଗେରିର ତିମିଆ ବାବୋସଙ୍କୁ ସାଥୀ କରି ଖେଳୁଥିବା ରୋହନ୍ ବୋପାନ୍ନା ଫାଇନାଲ୍ରେ ଝୁଣ୍ଟିଲେ। ଏହି ପଞ୍ଚମ ମାନ୍ୟତା ହଙ୍ଗେରି-ଭାରତ ଯୋଡ଼ି ରବିବାର ମିଶ୍ରିତ ଯୁଗଳ ଫାଇନାଲ୍ ମୁକାବିଲାରେ ପ୍ରବଳ ଲଢ଼େଇ କରିବା ସତ୍ତ୍ୱେ କାନାଡାର ଗାବ୍ରିଏଲା ଡ୍ରାବ୍ରୋସ୍କି ଓ କ୍ରୋଏସିଆର ମାତେ ପାଭିକ ଯୋଡ଼ି ନିକଟରୁ ୬-୨, ୪-୬ ଓ ୯-୧୧ ସେଟ୍ରେ ହାରିଗଲେ। ୧ ଘଣ୍ଟା ୮ ମିନିଟ୍ ଧରି ଚାଲିଥିବା ଏହି ମୁକାବିଲାରେ ପ୍ରଥମ ସେଟ୍ ଜିତି ଆଗୁଆ ରହିବା ପରେ ବୋପାନ୍ନା-ବାବୋସ୍ ଦ୍ୱିତୀୟ ସେଟ୍ ହାରିଯାଇଥିଲେ। ତେବେ ତୃତୀୟ ତଥା ନିର୍ଣ୍ଣାୟକ ସେଟ୍ ଟାଇବ୍ରେକର୍ରେ ଶେଷ ହୋଇଥିଲା। ଶେଷରେ ୨୦୧୭ ଫ୍ରେଞ୍ଚ୍ ଓପନ୍ ବିଜେତା ବୋପାନ୍ନା-ବାବୋସ୍ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ରେ ଉପବିଜେତାରେ ସନ୍ତୁଷ୍ଟ ରହିଲେ।