ନୂଆଦିଲ୍ଲୀ: ରୋଟରଡାମ୍ ଓପନ ଟେନିସ୍ ଫାଇନାଲରେ ବୁଲଗେରିଆର ଗ୍ରିଗୋର ଦିମିତ୍ରୋଭଙ୍କୁ ୬-୨, ୬-୨ ସେଟ୍ରେ ହରାଇବା ସହ ସ୍ୱିଜରଲାଣ୍ଡ ଟେନିସ୍ ତାରକା ରୋଜର ଫେଡେରର ଇତିହାସ ରଚିଥିଲେ। ୩୬ ବର୍ଷ ବୟସରେ ପୁରୁଷ ଏକକ ମାନ୍ୟତାର ପ୍ରଥମ ସ୍ଥାନକୁ ଉନ୍ନୀତ ହେବାରେ ସେ ବିଶ୍ୱର ବୟୋଜ୍ୟେଷ୍ଠ ଖେଳାଳି ହୋଇଥିଲେ। ଏହି ଅନନ୍ୟ ସଫଳତା ପାଇବା ପରେ ଚଳିତ ସପ୍ତାହକୁ ଫେଡେରର ତାଙ୍କ ଜୀବନର ଶ୍ରେଷ୍ଠ ସପ୍ତାହ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଶେଷ ଆଡ଼କୁ ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନକୁ ସାଇତି ରଖିଥିଲି। ଏହି ମ୍ୟାଚ୍ ମୋତେ ବେଶ୍ ଆନନ୍ଦ ଦେଇଥିଲା।
ଚାପରେ ଖେଳି ବିଜୟୀ ହେବା ମୋତେ ଅଧିକ ଉଲ୍ଲସିତ କରିଥିଲା। ପୂର୍ବରୁ ଏହି କୀର୍ତ୍ତିମାନ ଆମେରିକାର ଆନ୍ଦ୍ରେ ଆଗାସୀଙ୍କ ନାଁରେ ଥିଲା। ଅଗାସୀ ୩୩ ବର୍ଷ ବୟସରେ ବିଶ୍ୱ ପୁରୁଷ ଏକକ ମାନ୍ୟତାର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଥିଲେ। ସର୍ବାଧିକ ୨୦ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିଥିବା ଫେଡେରର ଏବେ ଆମେରିକୀୟ କିମ୍ବଦନ୍ତୀ ଜିମ୍ମି କର୍ନରଙ୍କ ସର୍ବାଧିକ ଟେନିସ୍ ଟ୍ରଫି (୧୦୯) କୀର୍ତ୍ତିମାନ ଉପରେ ନଜର ପକାଇଛନ୍ତି। ସଂପ୍ରତି ସେ ୯୭ ଟ୍ରଫି ଜିତି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏଥିନେଇ ସେ କହିଛନ୍ତି ଯେ ମାର ପ୍ରଥମ ଲକ୍ଷ୍ୟ ହେବ ୧୦୦ ଟ୍ରଫି ହାସଲ କରିବା। ଏହା ପରେ ଯାଇ କର୍ନରଙ୍କ ଭଳି ମହାନ ଖେଳାଳିଙ୍କୁ ଟପିବା କଥା ଆସିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/4-Federer-1.jpg)