ଫେଡେରର୍‌, ସାରାପୋଭା ବିଦା:ଜନ୍ମଦିନରେ କାର୍ଲାଙ୍କ ସ୍ମରଣୀୟ ବିଜୟ

ନ୍ୟୁୟର୍କ: ଦୁଇ ଜଣ ଅଜଣା ଅଶୁଣା ଖେଳାଳିଙ୍କ ହାତରୁ ପରାଜୟ ସହିତ ଚଳିତ ୟୁଏସ୍‌ ଓପନରୁ ରୋଜର ଫେଡେରର୍‌ ଏବଂ ମାରିଆ ସାରାପୋଭା ବିଦାୟ ନେଇଛନ୍ତି। ରୋଜର ଫେଡେରର୍‌ଙ୍କୁ ଅଣମାନ୍ୟତା ଖେଳାଳି ଜନ୍‌ ମିଲ୍‌ମ୍ୟାନ୍‌ ୩-୬, ୭-୫, ୭-୬ (୭), ୭-୬ (୩)ରେ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଫେଡେରର୍‌ ଅତି ଖରାପ ଖେଳିଥିଲେ ଏବଂ ୭୭ ଅନିଚ୍ଛାକୃତ ତ୍ରୁଟି କରିବାରୁ ୩ ଘଣ୍ଟା ୩୪ ମିନିଟରେ ପରାଜୟ ବରଣ କରିଥିଲେ। ଆର୍ଥର ଆସ୍‌ ଷ୍ଟାଡିୟମ୍‌ରେ ଗ୍ରୀଷ୍ମତାପକୁ ସହି ନ ପାରି ଫେଡେରର୍‌ ଏଭଳି ପରାଜୟ ସ୍ୱୀକାର କରିଥିବା କୁହାଯାଉଛି। ସ୍ୱିଜରଲାଣ୍ଡରେ ଫେଡେରର୍‌ଙ୍କ ସହ ତାଲିମ ନେଇଥିବା ମିଲମ୍ୟାନ୍‌ ଏବେ ନିଜର ଜଣେ ଆଦର୍ଶ ଖେଳାଳିଙ୍କୁ ହରାଇବାର ଗୌରବ ପାଇଛନ୍ତି। ମୁଁ ଏବେ ନିଜକୁ ବିଶ୍ୱାସ କରିପାରୁନି ବୋଲି ମିଲ୍‌ମ୍ୟାନ୍‌ ପ୍ରକାଶ କରିଛନ୍ତି। ରୋଜରଙ୍କ ପ୍ରତି ମୋର ସମ୍ମାନ ରହିଛି। ସେ ମୋ ନିଜ ନାୟକ, ସେ ଶ୍ରେଷ୍ଠରେ ନ ଥିବାରୁ ହାରିଗଲେ ବୋଲି ସ୍ୱୀକାର କରିଥିଲେ ମିଲମ୍ୟାନ। ପରାଜୟ ପରେ ଫେଡେରର୍‌ କହିଛନ୍ତି, ମିଲମ୍ୟାନ୍‌ଙ୍କ ନିକଟରେ ଭଲ ବ୍ୟାକ୍‌ହ୍ୟାଣ୍ଡ୍‌ କ୍ଷମତା ରହିଛି। କ୍ୱାର୍ଟର ଫାଇନାଲରେ ମିଲ୍‌ମ୍ୟାନ୍‌ ଆଉ ଜଣେ ମହାନ ଖେଳାଳି ନୋଭାକ୍‌ ଜୋକୋଭିକଙ୍କୁ ଭେଟିବେ।
ମହିଳା ଏକକରେ ରୁଷୀୟ ତରୁଣୀ ମାରିଆ ସାରାପୋଭାଙ୍କୁ ସୋମବାର ବିଦାୟ ରାସ୍ତା ଦେଖାଇଛନ୍ତି ସ୍ପେନୀୟ ସୁନ୍ଦରୀ କାର୍ଲା ସୁଆରେଜ୍‌ ନାଭାରୋ। ନିଜର ୩୦ତମ ଜନ୍ମଦିନରେ କାର୍ଲା ୨୦୦୬ ବିଜୟିନୀ ସାରାପୋଭାଙ୍କୁ ୬-୪, ୬-୩ ସିଧାସଳଖ ସେଟ୍‌ରେ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ନାଭାରୋଙ୍କୁ ପ୍ରଥମ ଥର ଭେଟିବା ପୂର୍ବରୁ ୫ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ସାରାପୋଭା କେବେ ବି ନ୍ୟୁୟର୍କରେ ରାତି ମ୍ୟାଚ୍‌ ହାରିନଥିଲେ। କ୍ୱାର୍ଟର ଫାଇନାଲ୍‌ରେ ନାଭାରୋ ଭେଟିବେ ଗତ ବର୍ଷର ଉପବିଜୟିନୀ ମାଡିସନ୍‌ କିଜ୍‌ଙ୍କୁ। ମାଡିସନ୍‌ ୬-୧, ୬-୩ ସେଟ୍‌ରେ ସ୍ଲୋଭାକିଆର ଡୋମିନିକା ସିବୁଲକୋଭାଙ୍କୁ ହରାଇ ଦେଇଥିଲେ।
ପୁରୁଷ ଏକକର ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ନୋଭାକ ଜୋକୋଭିକ୍‌ ୬-୩, ୬-୪, ୬-୩ରେ ପର୍ତୁଗାଲର ଜୋଆ ସୌସାଙ୍କୁ ହରାଇ ଦେଇଥିଲେ। ୧୩ ଥର ଗ୍ରାଣ୍ଡ୍‌ ସ୍ଲାମ ବିଜେତା ଜୋକୋଭିକ୍‌ ଏବେ ଆଉ ଏକ ମୁକୁଟ ଦିଗରେ ଅଗ୍ରସର ହେଉଛନ୍ତି। ସେହିଭଳି ମାରିନ୍‌ ସିଲିକ୍‌ ୭-୬ (୬), ୬-୨, ୬-୪ ସେଟ୍‌ରେ ସପ୍ତମ ମାନ୍ୟତାପ୍ରାପ୍ତ କ୍ରୋଏସିଆ ଖେଳାଳି ଡେଭିଡ୍‌ ଗଫିନ୍‌ଙ୍କୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରି ନେଇଛନ୍ତି। ସିଲିକ୍‌ କ୍ୱାର୍ଟର ଫାଇନାଲ୍‌ରେ ଜାପାନର କେଇ ନିଶିକୋରିଙ୍କୁ ଭେଟିବେ। ଯାହାକି ୨୦୧୪ ଫାଇନାଲ୍‌ର ରିମ୍ୟାଚ୍‌ ହେବ। ନିଶିକୋରି ୬-୩, ୬-୨, ୭-୫ ସେଟ୍‌ରେ ଜର୍ମାନିର ଫିଲିପ୍‌ କୋଲ୍‌ସ୍ରାଇବରଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର