ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌ର ପ୍ରଥମ ଦିନରେ ଭାରତକୁ ଖଟାମିଠା ଅନୁଭବ ମିଳିଛି। ଶନିବାର ଭାରତୀୟ ମହିଳା ଦଳ ଇଂଲଣ୍ଡ ବିପକ୍ଷରେ ୩-୨ର ଜବରଦସ୍ତ ବିଜୟ ହାସଲ କରିଛି। ପୁରୁଷ ଦଳ କିନ୍ତୁ ୟୁରୋପୀୟ ଦଳ ସ୍ପେନ୍‌ଠାରୁ ୧-୩ ଗୋଲ୍‌ରେ ହାରି ଯାଇଛି। ମହିଳା ଦଳ କଳିଙ୍ଗ ହକି କଂପ୍ଲେକ୍ସର ନୀଳ ଟର୍ଫରେ ନିଜ ଅପୂର୍ବ ମହକ ଛାଡ଼ି ମ୍ୟାଚ୍‌ ‌ଶେଷ ହେବାର ଗୋଟିଏ ମିନିଟ୍ ପୂର୍ବରୁ ବିଜୟର ମିଠାମିଠା ସ୍ବାଦ ଚାଖିଛି। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଦଳ ପ୍ରଥମେ ଗୋଲ୍‌ ଦେବା ସତ୍ତ୍ବେ ପରବର୍ତ୍ତୀ ସମୟରେ ତାଳମେଳର ଅଭାବ ସହ ସ୍ପେନ୍ ଖେଳାଳିଙ୍କ ଗତି ଓ ଚତୁର ପାସ୍ ଚାଳନା ଆଗରେ ହାର୍ ମାନି ପରାଜୟରୁ ନିଜ ଅଭିଯାନ ଆରମ୍ଭ କରିଛି। ସୁଖଜିତ ସିଂହ (୨୫) ଭାରତ ପକ୍ଷରୁ ଏକମାତ୍ର ଗୋଲ୍ ଦେଇଥିଲା ବେଳେ ସ୍ପେନ୍ ପକ୍ଷରୁ ବର୍ଜା ଲାକାଲେ (୨୮), ଇଗ୍ନାସିଓ କବସ୍ (୩୮) ଓ ବ୍ରୁନୋ ଆଭିଲା (୫୬)  ଗୋଲ୍ ଦେଇଥିଲେ। ତା ସହିତ ସ୍ପେନ୍ ଏହି ପ୍ରତିଯୋଗିତାର ଭାରତ ଲେଗ୍‌କୁ ଆତ୍ମବିଶ୍ବାସର ସହ ଆରମ୍ଭ କରିଛି। ଘରୋଇ ପରିବେଶରେ ହାରିବା କିନ୍ତୁ ଭାରତୀୟ ପୁରୁଷ ଦଳ ପାଇଁ ଶକ୍ତ ଧକ୍କା ହୋଇଛି। 

Advertisment

ଆଜି ମ୍ୟାଚ୍‌ର ପ୍ରଥମ କ୍ବାର୍ଟର୍‌ରେ ଭାରତୀୟ ଦଳ ତୁଳନାତ୍ମକ ଭାବେ ଅଧିକ ଆକ୍ରମଣ କରିଥିଲା। ହେଲେ ଏକାଧିକ ଗୋଲ୍ ସୁଯୋଗ ହାତଛଡ଼ା କରିଥିଲା। ଦ୍ବିତୀୟ କ୍ବାର୍ଟର୍‌ରେ ଅବଶ୍ୟ ଏହାର ଫଳ ମିଳିଥିଲା। ସୁଖଜିତଙ୍କ ଫିଲ୍ଡ  ଗୋଲ୍ ଭାରତକୁ ଆଗୁଆ କରି ଦେଇଥିଲା। ତେବେ ଭାରତୀୟ ପ୍ରଶଂସକଙ୍କ ଖୁସି ସେତିକିରେ ସୀମିତ ରହିଥିଲା। ୩ ମିନିଟ୍‌ ପରେ ସ୍ପେନ୍‌ ଏହି ଗୋଲ୍‌ଟିକୁ ଶୁଝି ମ୍ୟାଚ୍‌କୁ ଫେରିଥିଲା। ପ୍ରଥମ ଗୋଲ୍ ପରେ ସ୍ପେନ୍ ଭାରତୀୟ ଖେଳାଳିଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା। ୩୮ ମିନିଟ୍‌ରେ ଇଗ୍ନାସିଓଙ୍କ ଗୋଲ୍ ପରେ ଭାରତୀୟ ରକ୍ଷଣଭାଗ ଏକପ୍ରକାର ଦୋହଲି ଯାଇଥିଲା। ସୂରଜ କେର୍କେରାଙ୍କ ସ୍ଥାନରେ ଗୋଲ୍ ପୋଷ୍ଟ ସମ୍ଭାଳିଥିବା କ୍ରିଷନ ବାହାଦୂର ପାଠକ କେତେକ ଚମତ୍କାର ସେଭ୍ କରିବା ସତ୍ତ୍ବେ ଭାରତୀୟ ଅଗ୍ରଭାଗ ସ୍ପେନ୍ ରକ୍ଷଣଭାଗକୁ ଭେଦ କରିବାକୁ ପୂରା ବିଫଳ ହୋଇଥିଲା। ସ୍ପେନ୍ ୨-୧ରେ ଆଗୁଆ ରହି ଶେଷ କ୍ବାର୍ଟର୍‌କୁ ଯାଇଥିଲା। ଅନ୍ୟପକ୍ଷରେ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରି ନପାରିବାର ଭୂତ ପୁଣି ଥରେ ଭାରତୀୟ ଦଳକୁ ପିଛା କରିଥିଲା। ୫୬ ମିନିଟ୍‌ରେ ସ୍ପେନ୍ ପୁଣି ଥରେ ସଫଳ ହେବା ପରେ ଭାରତ ପରାଜୟ ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା। ହର୍ମନପ୍ରୀତଙ୍କ ଛୋଟିଆ ଭୁଲ୍ ପାଇଁ ସ୍ପେନ୍ ପେନାଲ୍ଟି କର୍ଣ୍ଣର ଅର୍ଜନ କରି ଏହାକୁ  ଗୋଲ୍‌ରେ ପରିଣତ କରିବା ସହ ୨ ଗୋଲ୍ ବ୍ୟବଧାନରେ ମ୍ୟାଚ୍ ଜିତି ନେଇଥିଲା। ଭାରତୀୟ ପୁରୁଷ ଦଳ ରବିବାର ସ୍ପେନ୍‌କୁ ପାଲଟା ମୁକାବିଲାରେ ଭେଟିବାକୁ ଥିଲା ବେଳେ ଏଥିରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ। ସେହିଭଳି ଭାରତୀୟ ମହିଳା ଦଳ ପାଲଟା ମୁକାବିଲାରେ ଆସନ୍ତାକାଲି ପୁଣି ଥରେ ଇଂଲଣ୍ଡକୁ ଭେଟିବ।