ନୂଆଦିଲ୍ଲୀ : ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ପି.ଭି.ସିନ୍ଧୁ ଭାରତ ଫେରିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡୀ, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକ ସିନ୍ଧୁ ଓ ତାଙ୍କ କୋଚ୍ ପାର୍କ ତାଇ ସାଂଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସିନ୍ଧୁଙ୍କ ପିତାମାତା ପି.ଭି.ରମନ୍ନା ଓ ପି.ବିଜୟାଙ୍କୁ ହାଇଦ୍ରାବାଦରୁ ସ୍ବତନ୍ତ୍ରଭାବେ ଆମନ୍ତ୍ରଣ କରାଯାଇଥିଲା ।
ଏହି ଅବସରରେ ଶ୍ରୀ ଠାକୁର କହିଥିଲେ ଯେ ପି.ଭି. ସିନ୍ଧୁ ନିଜକୁ ଭାରତର ମହାନତମ ଅଲମ୍ପିଆନଙ୍କ ମଧ୍ୟରେ ନିଜକୁ ସାମିଲ କରିସାରିଛନ୍ତି । ଦୁଇଟି ଅଲମ୍ପିକ୍ସରେ ପଦକ ଜିତିବାରେ ତାଙ୍କର ସଫଳତା ଭାରତର ଭାବି ଆଥଲେଟମାନଙ୍କୁ ପ୍ରେରଣା ପ୍ରଦାନ କରିବ ।
ଏହି ସମ୍ବର୍ଦ୍ଧନାକୁ ଗ୍ରହଣ କରି ସିନ୍ଧୁ କହିଥିଲେ ଯେ ସେମିଫାଇନାଲକୁ ଯାଇପାରିନଥିବାରୁ ସେ ଟିକିଏ ଦୁଃଖିତ ଅଛନ୍ତି, ମାତ୍ର ଦୁଇଟି ଅଲିମ୍ପିକ୍ସରେ ପଦକ ଜିତି ସେ ସନ୍ତୋଷ ଅନୁଭବ କରୁଛନ୍ତି ।