ଭୁବନେଶ୍ବର: ନେପାଳ ଗସ୍ତରେ ଥିବା ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳକୁ ଓଡ଼ିଆ ଝିଅ ଫୁଲ ସୋରେନ ବିଜୟ ଦେଇଛନ୍ତି। ଏଠାରେ ଚାଲିଥିବା ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳାର ବୁଧବାର ଦ୍ବିତୀୟ ମ୍ୟାଚ୍ରେ ଭାରତ ୯ ୱିକେଟ୍ରେ ନେପାଳକୁ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍ରେ ନେପାଳଠୁ ହାରିଥିବା ଭାରତ ଏହି ମ୍ୟାଚ୍ ଜିତି ଶୃଙ୍ଖଳା ୧-୧ ସମାନ ସ୍ତରକୁ ଆଣିଛି।
ବୁଧବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଘରୋଇ ଦଳ ସମସ୍ତ ୱିକେଟ ହରାଇ ୧୭୨ ରନ୍ କରିଥିଲା। ସରିତା ଗିମିରେ ୫୬ ରନ୍ କରିଥିଲା ବେଳେ ଭାରତ ପକ୍ଷରୁ ସୁଷମା ପଟେଲ, ଗଙ୍ଗା ଓ ଫୁଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଅନ୍ୟ ସବୁ ବ୍ୟାଟର୍ ରନ୍ଆଉଟ୍ ହୋଇଥିଲେ। ଜବାବରେ ଭାରତ ୧୪.୩ ଓଭରରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଗଙ୍ଗା (୨୨ ରନ୍) କେବଳ ଆଉଟ୍ ହୋଇଥିଲା ବେଳେ ସିମୁ ଦାସ (୬୬*) ଓ ଫୁଲ (୬୫*) ଅପରାଜିତ ଅର୍ଦ୍ଧଶତକ ଅର୍ଜନ କରି ଭାରତକୁ ବିଜୟ ଭେଟି ଦେଇଥିଲେ। ସିମୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶୁକ୍ରବାର ଭାରତ ଏହି ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଖେଳିବ।