ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଆଲ୍‌ଜେରିଆର ମହିଳା ମୁଷ୍ଟିଯୋଦ୍ଧା ଇମନ ଖଲିଫଙ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସେ ମହିଳା ନୁହନ୍ତି, ପ୍ରକୃତରେ ଜଣେ ପୁରୁଷ ବୋଲି ଏକ ଗୁପ୍ତ ସ୍ବାସ୍ଥ୍ୟ ରିପୋର୍ଟରେ ଦାବି କରାଯାଇଛି। ଇମନ ମହିଳା ନୁହଁ, ପୁରୁଷ ବୋଲି ପୂର୍ବରୁ ବହୁ ଥର ଦାବି ହୋଇ ଆସୁଥିଲା। ଏପରିକି ତାଙ୍କୁ ନେଇ ପ୍ୟାରିସ୍ ଅଲିମ୍ପିକ୍ସରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି କାରଣ ପାଇଁ ମଧ୍ୟ ଇଟାଲି ମୁଷ୍ଟିଯୋଦ୍ଧା ଆଞ୍ଜେଲା କାରିନି ତାଙ୍କ ବିପକ୍ଷ ମୁକାବିଲାରୁ ଓହରି ଯାଇଥିଲେ। ଇମନଙ୍କୁ ଏହି ଅଲିମ୍ପିକ୍ସରୁ ବିତାଡ଼ିତ କରିବାକୁ ଅନ୍ୟ କିଛି ଦେଶର ପ୍ରତିଯୋଗୀ ବି ଦାବି କରିଥିଲେ। ସେତେବେଳେ କିନ୍ତୁ ଆଲ୍‌ଜେରିଆ ଅଲିମ୍ପିକ୍ସ ସଂଘ ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ ଇମନଙ୍କୁ ଦୃଢ଼ ସମର୍ଥନ କରିଥିଲେ। ଏପରିକି ସେ ୬୬ କିଲୋଗ୍ରାମ ମହିଳା ମୁଷ୍ଟିଯୁଦ୍ଧରେ ନିଜ ସମସ୍ତ ପ୍ରତିପକ୍ଷଙ୍କୁ ଅତି ସହଜରେ ପରାସ୍ତ କରି ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। କିନ୍ତୁ ପ୍ୟାରିସ୍‌ର ଏକ ଡାକ୍ତରଖାନାରେ ହୋଇଥିବା‌ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ପଦାକୁ ଆସିବା ପରେ ତାଙ୍କ ମୁଖା ଖୋଲିଯାଇଛି। ସୋମବାର ବିଳମ୍ବିତ ରାତି ପ୍ରଘଟ ହୋଇଥିବା ଏହି ରିପୋର୍ଟ ଅନୁସାରେ ଇମନଙ୍କ ଶରୀରରେ ପୁରୁଷଙ୍କ ସହ ମେଳ ଖାଉଥିବା ଏକ୍ସୱାଇ କ୍ରୋମୋଜମ୍ ରହିଛି। ସେହିଭଳି ତାଙ୍କ ଶରୀରର ଆଣ୍ଡ୍ରୋଜେନ୍ ସ୍ତର ପୁରୁଷ ସହ ପ୍ରାୟତଃ ସମାନ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଇମନଙ୍କର ପୁରୁଷ ‌‌ଯୌନାଙ୍ଗ ମଧ୍ୟ ରହିଛି। ରିପୋର୍ଟ ପଦାକୁ ଆସିବା ପରେ କ୍ରୀଡ଼ା ଜଗତରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ରିପୋର୍ଟ ଆଲଜେରିଆର ଏକ ଡାକ୍ତରଖାନା ସହଯୋଗରେ ପ୍ରସ୍ତୁତ କରାଯାଇଥିବାରୁ ଏଥର ଇମନ ଖସିଯିବାର ସବୁବାଟ ବନ୍ଦ ‌ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି। 

Advertisment

ମେଡିକାଲ୍ ରିପୋର୍ଟ ଖୋଲିଲା ରହସ୍ୟ
ପୁରୁଷ ଯୌନାଙ୍ଗ ଥିବା ମଧ୍ୟ ସ୍ପଷ୍ଟ ହେଲା
ପ୍ୟାରିସ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହରାଇବେ

ତୀବ୍ର ବିରୋଧ ସତ୍ତ୍ବେ ଜଣେ ପୁରୁଷଙ୍କୁ ମହିଳା ବର୍ଗରେ ଖେଳିବାର ଅନୁମତି ଦେଇଥିବାରୁ ଅଲିମ୍ପିକ୍ସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତୀୟ କ୍ରି‌କେଟର୍ ହରଭଜନ ସିଂହଙ୍କ ସମେତ ବିଶ୍ବର ବହୁ ଲୋକପ୍ରିୟ କ୍ରୀଡ଼ାବିତ୍‌ ଦାବି କରିଛନ୍ତି। ପ୍ରସିଦ୍ଧ ବ୍ରିଟିସ୍ ଭାଷ୍ୟକାର ପିଅର୍ସ ମୋର୍ଗାଦ କହିଛନ୍ତି, ଇମନ ଶାରୀରିକ ଭାବେ ଜଣେ ପୁରୁଷ। ତାଙ୍କଠାରୁ ତୁରନ୍ତ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ କାଢ଼ି ନିଆଯାଉ। ଆମେରିକୀୟ ସନ୍ତରଣ ତାରକା ତଥା କ୍ରୀଡ଼ାବିତ୍‌କର୍ମୀ ରିଲେ ଗେନ୍ସ ‘ଏକ୍ସ’ରେ ନିଜ ହତାଶାବୋଧ ଜାହିର କରି ମହିଳା ବର୍ଗରେ ଜଣେ ପୁରୁଷ ପଦକ ଜିତିବା ହାସ୍ୟାସ୍ପଦ ବୋଲି କହିଛନ୍ତି। ଇମନଙ୍କ ଲିଙ୍ଗକୁ ନେଇ ଏଭଳି ବିବାଦ ପ୍ରଥମ ଥର ଦେଖାଯାଇନି। ଗତବର୍ଷ ନୂଆଦିଲ୍ଲୀରେ ଆୟୋଜିତ ବିଶ୍ବ ଚାମ୍ପିଅନସିପ୍‌ର ସ୍ବର୍ଣ୍ଣ ପଦକ ମୁକାବିଲାରୁ ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ସଂଘ ତାଙ୍କୁ ବାସନ୍ଦ କରିଥିଲା। ଇମନ କିନ୍ତୁ ପୁନର୍ବାର ନିଜକୁ ଜଣେ ମହିଳା ଭାବେ ଦାବି କରିଛନ୍ତି।