ଭୁବନେଶ୍ବର: ଖେଳାଳି ଜୀବନରେ ଆହତ ସମସ୍ୟା ମୁଖ୍ୟ ପ୍ରତିବଂଧକ ସାଜୁଥିବା ବେଳେ ମହିଳା ଖେଳାଳିମାନେ ୮ ଗୁଣା ଅଧିକ ଆହତ ପ୍ରବଣ ବୋଲି ଶନିବାର ଭୁବନେଶ୍ବରଠାରେ ଅନୁଷ୍ଠିତ ପ୍ରଥମ ସଂସ୍କରଣ ଏସ୍‌ଏସ୍‌ଆଇ ଅନ୍ତର୍ଜାତୀୟ ଅର୍ଥୋସ୍କୋପି ସମ୍ମିଳନୀରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି। ଭୁବନେଶ୍ବରସ୍ଥିତ ସ୍ପୋର୍ଟସ ସାଇନ୍ସ ଇଣ୍ଡିଆ (ଏସ୍‌ଏସ୍‌ଆଇ)ର ଏହି ଦିନତମାମ ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ କ୍ରୀଡ଼ା ଡାକ୍ତର, ଫିଜିଓଥେରାପିଷ୍ଟ ଓ କ୍ରୀଡ଼ା ବିଜ୍ଞାନୀ ବିଶେଷଜ୍ଞ ଭାଗ ନେଇଥିଲେ। ୫ ଜଣ ଅନ୍ତର୍ଜାତୀୟ, ୩୦ ଜଣ ଜାତୀୟ ଓ ପ୍ରାୟ ୧୦ ଜଣ ରାଜ୍ୟସ୍ତରୀୟ ଫାକଲ୍‌ଟି, ୧୦ଟି ଅଧିବେଶନ ବିଶିଷ୍ଟ ଏହି କର୍ମଶାଳାରେ ନିଜ ବକ୍ତବ୍ୟ ରଖିଥିଲେ।

Advertisment

ହାଇଦ୍ରାବାଦରୁ ଆସିଥିବା ସ୍ପୋର୍ଟସ ମେଡିସିନ୍‌ ଓ ଅର୍ଥୋସ୍କୋପି ସର୍ଜନ ଡାକ୍ତର ଅଜୟ ସିଂ ଠାକୁର କହିଥିଲେ ‘ଖେଳାଳିମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ଆହତ ଓ ଏହାର ପରିଚାଳନା। ଏହାକୁ କିଭଳି ପ୍ରତିହତ କରାଯିବ ସେ ନେଇ ବିଶ୍ବରେ ଅର୍ଥୋ‌ସ୍କୋପି ଓ ସ୍ପୋର୍ଟସ ସାଇନ୍ସ ଉପରେ ଫୋକସ କରାଯାଇଛି। ପୁରୁଷଙ୍କ ତୁଳନାରେ ମହିଳା ଖେଳାଳିମାନେ ୮ ଗୁଣା ଅଧିକ ଆହତ ପ୍ରବଣ। ହର୍ମୋନ୍‌, ମାସିକ ଋତୁଚକ୍ର, ଅାନାଟୋମିକାଲ ପ୍ରଭେଦ କାରଣରୁ ମହିଳାମାନେ ସ୍ବଳ୍ପ ଶକ୍ତି ସମ୍ପନ୍ନା ଥିବାରୁ ଏହି ସମସ୍ୟା ଦେଖା ଦେଇଥାଏ।’ ଡକ୍ଟର ବ୍ରେଟ୍‌ ସି ବାର୍ଣ୍ଣେସ କହିଥିଲେ ‘ଏସିଏଲ୍ ଟିୟର୍‌ ରୋକିବାକୁ ହେଲେ ମ‌ହିଳା ଖେଳାଳିଙ୍କୁ ୯/୧୦ ବର୍ଷ ଭିତରେ ଏବଂ ପୁରୁଷଙ୍କୁ ୧୨ ବର୍ଷ ଭିତରେ ପ୍ରତି‌ଷେଧକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପଡ଼ିବ’। ସମ୍ମିଳନୀରେ ଅଧ୍ୟକ୍ଷତା କରିଥିବା ଏସ୍ଏସ୍‌ଆଇର ପ୍ରତିଷ୍ଠାତା ଡକ୍ଟର ସାର୍ଥକ ପଟ୍ଟନାୟକ କହିଥିଲେ ‘ଖେଳାଳିଙ୍କ ଆହତ ସମସ୍ୟା ଦୂର କରିବାକୁ ବିଶ୍ବସ୍ତରୀୟ ଡାକ୍ତରୀ ସେବା ଓ ଥଇଥାନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଯଦ୍ବାରା ସେମା‌ନେ କେବଳ ଏଥିରୁ ମୁକ୍ତି ନୁହେଁ ପଡ଼ିଆକୁ ବିଜୟୀ ପ୍ରତ୍ୟାବର୍ତନ କରିପାରିବେ’।

ଏହି ସମ୍ମିଳନୀ ଅବସରରେ କୋଲକାତାର ଡକ୍ଟର ସ୍ବର୍ଣ୍ଣେନ୍ଦୁ ସାମନ୍ତଙ୍କୁ ଏସ୍‌ଏସ୍‌ଆଇ ବେଷ୍ଟ୍‌ ନ୍ୟାସନାଲ୍‌ ମେଣ୍ଟର ‌ଅର୍ଥୋସ୍କୋପି ଆୱାର୍ଡ ଏବଂ ଭୁବନେଶ୍ବରର ଡକ୍ଟର ପିସି ଦେ’ଙ୍କୁ ଏସ୍‌ଏସ୍‌ଆଇ ଅର୍ଥୋସ୍କୋପି ପାଟ୍ରନ୍ ଆୱାର୍ଡ ପ୍ରଦାନ କରାଯାଇଥିଲା। ଇଣ୍ଡିଆନ୍ ଅର୍ଥୋସ୍କୋପି ସୋସାଇଟି, ଓଡ଼ିଶା ଅର୍ଥୋସ୍କୋପି ସୋସାଇଟି ଏବଂ ଓଡ଼ିଶା ଅର୍ଥୋପେଡିକ୍ସ ଆସୋସିଏସନ୍‌ ମିଳିତ ସହ‌େଯାଗରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।