ଭୁବନେଶ୍ବର: ଓଡ଼ିଶାର କବୀର ହଂସ ଏବଂ ତାଙ୍କ ତାମିଲନାଡ଼ୁ ସାଥୀ ଓଗେସ ଥେଜୋ ଜେ ଫେନେଷ୍ଟା ଓପନ୍‌ ଟେନିସ ପ୍ରତିଯୋଗିତାର ପୁରୁଷ ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ନୂଆଦିଲ୍ଲୀର ଡିଏଲ୍‌ଟିଏ କମ୍ପ୍ଲେକ୍ସଠାରେ ଆୟୋଜିତ ଏହି ପ୍ରତିଯୋଗିତାର ରବିବାର ଖେଳାଯାଇଥିବା ପୁରୁଷ ଯୁଗଳ ଫାଇନାଲ୍‌ରେ କବୀର ଓ ଓଗେସ ୩-୬, ୬-୩, ୧୦-୮ ସେଟ୍‌ରେ ପଶ୍ଚିମବଙ୍ଗ ଓ ରାଜସ୍ଥାନ ଯୋଡ଼ି ଇଶାକ୍‌ ଇକ୍‌ବାଲ ଓ ଫୈସାଲ କ୍ବାମରଙ୍କୁ ପରାସ୍ତ କରିଥିଲେ। କ୍ରୀଡ଼ା କୋଟାରେ କିଟ୍‌ରେ ବିବିଏ ପଢ଼ୁଥିବା କବୀରଙ୍କୁ ଏହି ସଫଳତା ଲାଗି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।
ଏହି ପ୍ରତିଯୋଗିତାର ପୁରୁଷ ଓ ମହିଳା ଏକକରେ ଯଥାକ୍ରମେ ମନୀଷ ସୁରେଶ କୁମାର ଓ ବୈଦେହି ଚୌଧୁରୀ ବିଜେତା ହୋଇଥିଲେ। ପୁରୁଷ ଏକକ ଫାଇନାଲ୍‌‌ରେ ମନୀଷ ୬-୨, ୬-୩ ସେଟ୍‌ରେ ଦିଗ୍‌ବିଜୟ ପ୍ରତାପ ସିଂହଙ୍କୁ ଏବଂ ମହିଳା ଏକକ ଫାଇନାଲ୍‌ରେ ବୈଦେହି ୬-୨, ୬-୦ ସେଟ୍‌ରେ ସାଇ ସାମହିତା ଚାମର୍ଥୀଙ୍କୁ ପରାସ୍ତ କରିଥିଲେ।