ଫର୍ଗୁସନ୍‌ଙ୍କ ବିରଳ କୀର୍ତ୍ତିମାନ: ପକାଇଲେ ସବୁଠୁ ମିତବ୍ୟୟୀ ସ୍ପେଲ୍

୪ ଓଭର, ୪ ମେଡେନ୍, ୩ ୱିକେଟ୍

ତରୌବା: ନ୍ୟୁଜିଲାଣ୍ଡ ବୋଲର ଲୋକି ଫର୍ଗୁସନ୍ ସୋମବାର ଏକ ବିରଳ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ପାପୁଆ ନ୍ୟୁଗିନି ବିପକ୍ଷରେ ୪ ଓଭର ବୋଲିଂ କରି ୪ଟିଯାକକୁ ମେଡେନ୍ ନେଇଛନ୍ତି। ଫଳରେ ଟ୍ବେଣ୍ଟି-୨୦ ଇତିହାସର ସବୁଠୁ ମିତବ୍ୟୟୀ ୪ ଓଭରିଆ ସ୍ପେଲ୍ ପକାଇବାର ଇତିହାସ ରଚିଛନ୍ତି। ଏହା କରି ସେ କାନାଡା ସ୍ପିନର ସାଦ୍ ବିନ୍ ଜାଫରଙ୍କ କୀର୍ତ୍ତିମାନ ଭାଙ୍ଗିଛନ୍ତି। ସାଦ୍ ୨୦୨୧ ମସିହାରେ ପାନାମା ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଲଗାତାର ୪ ଓଭର ବୋଲିଂ କରି କୌଣସି ରନ୍ ଖର୍ଚ୍ଚ କରି ନଥିଲେ।

ସେ ମଧ୍ୟ ନିଜ ସ୍ବପ୍ନର ସ୍ପେଲ୍‌ରେ ୨ ୱିକେଟ୍ କରାୟତ୍ତ କରିଥିଲେ। ସେହିଭଳି ଭାରତର ଘରୋଇ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ‘ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି‌’ରେ ବିଦର୍ଭ ସ୍ପିନର ଅକ୍ଷୟ କର୍ଣ୍ଣେୱାର୍ ମଣିପୁର ବିପକ୍ଷରେ ପକାଇଥିବା ୪ ଓଭରିଆ ସ୍ପେଲ୍‌ରେ କୌଣସି ରନ୍ ନଦେଇ ୨ ୱିକେଟ୍ ଅକ୍ତିଆର କରିଥିଲେ। ଏଣୁ ଏକ ୪ ଓଭରିଆ ସ୍ପେଲ୍‌ରେ କୌଣସି ରନ୍ ନଦେବାରେ ଫର୍ଗୁସନ୍ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଇତିହାସର ଦ୍ବିତୀୟ ଏବଂ ମୋଟ ଉପରେ ତୃତୀୟ ବୋଲର୍‌ ହୋଇଛନ୍ତି। ଫର୍ଗୁସନ୍‌ଙ୍କ ଏହି ବିଶ୍ବକପ୍‌ କୀର୍ତ୍ତିମାନ ସହ ନ୍ୟୁଜିଲାଣ୍ଡ ୭ ୱିକେଟ୍‌ରେ ପାପୁଆ ନ୍ୟୁଗିନିକୁ ପରାସ୍ତ କରି ସାନ୍ତ୍ବନାମୂଳକ ବିଜୟ ପାଇଛି। ଅନ୍ତିମ ବିଶ୍ବକପ୍‌ ମ୍ୟାଚ୍‌ରେ ଟ୍ରେଣ୍ଟ ବୋଲ୍ଟ, କେନ୍‌ ୱିଲିୟମ୍‌ସନ୍‌ ଓ ଟିମ୍‌ ସାଉଦି ମଧ୍ୟ ବିଜୟରେ ବିଦାୟୀ ନେଇଛନ୍ତି।

ସମ୍ବନ୍ଧିତ ଖବର