କର୍ବରଙ୍କୁ ବିଦା କଲେ ଫର୍ଣ୍ଣାଣ୍ଡିଜ୍‌: ଓପନ୍‌ ଏରା କ୍ବାର୍ଟରରେ ପହଞ୍ଚିବାରେ ଅଲ୍‌କାରାଜ ସର୍ବକନିଷ୍ଠ

ନ୍ୟୁୟର୍କ: ସୋମବାର ୧୯ ବର୍ଷ ବୟସରେ ପଦାର୍ପଣ କରିଥିବା କାନାଡ଼ା ‌ଯୁବତୀ ଲିଲା ଫର୍ଣ୍ଣାଣ୍ଡିଜ୍‌ ଚଳିତ ୟୁଏସ୍‌ ଓପନ୍‌ରେ ନିଜର କମାଲ ଜାରି ରଖିଛନ୍ତି। ତୃତୀୟ ରାଉଣ୍ଡରେ ବିଜୟିନୀ ଓ ତୃତୀୟ ମାନ୍ୟତାପ୍ରାପ୍ତ ନାଓମି ଓସାକାଙ୍କ ବିଦାୟ ରାସ୍ତା ଦେଖାଇଛନ୍ତି ଫର୍ଣ୍ଣାଣ୍ଡିଜ୍‌। ରବିବାର ମହିଳା ଏକକ ପ୍ରିକ୍ବାର୍ଟର ଫାଇନାଲ୍‌ରେ ସେ ଆଉ ଜଣେ ପୂର୍ବତନ ବିଜୟିନୀ ଆଞ୍ଜେଲିକ୍‌ କର୍ବରଙ୍କୁ ମାତ୍‌ ଦେଇଛନ୍ତି। କାନାଡ଼ାର ଏହି ନିର୍ଭିକ ଝିଅ ୪-୬, ୭-୬, ୬-୨ ସେଟ୍‌ରେ ୩ ଥରର ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ଜର୍ମାନିର କର୍ବରଙ୍କୁ ହରାଇ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ। କ୍ବାର୍ଟର ଫାଇନାଲ୍‌ରେ ସେ ୟୁକ୍ରେନ୍‌ର ଏଲିନା ସ୍ବିତୋଲିନାଙ୍କୁ ଭେଟିବେ। ପଞ୍ଚମ ମାନ୍ୟତାପ୍ରାପ୍ତ ତଥା ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସ୍ବିତୋଲିନା ସିଧାସଳଖ ୬-୩, ୬-୩ ସେଟ୍‌ରେ ଦୁଇଥରର ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ରୋମାନିଆର ସିମୋନା ହାଲେପ୍‌ଙ୍କୁ ହରାଇଥିଲେ। ଅନ୍ୟ ଏକ ମୁକାବିଲାରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆରିନା ସାବଲେଙ୍କା ସିଧାସଳଖ ୬-୪, ୬-୧ ସେଟ୍‌ରେ ବେଲଜିୟମର ଏଲିସ ମର୍ତେନ୍ସଙ୍କୁ ହରାଇ ପ୍ରଥମ ଥର ଲାଗି କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ବେଲାରୁଷର ସାବଲେଙ୍କା ସେମିଫାଇନାଲ୍‌ ସ୍ଥାନ ଲାଗି ଚେକ୍‌ ଗଣରାଜ୍ୟର ବାର୍ବୋରା କ୍ରେଁସିକୋଭାଙ୍କୁ ଭେଟିବେ। ଅଷ୍ଟମ ମାନ୍ୟତାପ୍ରାପ୍ତ କ୍ରେଁସିକୋଭା ୬-୩, ୭-୬ ସେଟ୍‌ରେ ନବମ ମାନ୍ୟତାପ୍ରାପ୍ତ ସ୍ପେନ୍‌ର ଗାର୍ବିନେ ମୁଗୁରୁଜାଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ।

ସ୍ପେନ୍‌ର ୧୮ ବର୍ଷୀୟ ଯୁବକ କାର୍ଲୋସ ଅଲ୍‌କାରାଜ ଚଳିତ ୟୁଏସ୍‌ ଓପନ୍‌ ପୁରୁଷ ଏକକ କ୍ବାର୍ଟରେ ପ୍ରବେଶ କରି ନୂଆ କୀର୍ତ୍ତିମାନ କରିଛନ୍ତି। ରବିବାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ଅଲ୍‌କାରାଜ ୫-୭, ୬-୧, ୫-୭, ୬-୨, ୬-୦ ସେଟ୍‌ରେ ନିଜଠୁ ୧୪ ବର୍ଷ ବଡ଼ ଜର୍ମାନିର ପିଟର ଗୋଜୋସିକ୍‌ଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ସେ ୧୮ ବର୍ଷ ୪ ମାସ ବୟସରେ ଓପନ୍‌ ଏରା ପୁରୁଷ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚି ସର୍ବକନିଷ୍ଠ ଖେଳାଳି‌ ହେବାର ଗୌରବ ପାଇଛନ୍ତି। ଏହି କୀର୍ତ୍ତିମାନ ପୂର୍ବରୁ ଆମେରିକାର ଆନ୍ଦ୍ରେ ଆଗାସିଙ୍କ ନାମରେ ଥିଲା। ୟୁଏସ୍‌ ଓପନ୍‌ ପରିସଂଖ୍ୟାନ ଅନୁଯାୟୀ ୧୯୮୮ ମସିହାରେ ଯେତେବେଳେ କ୍ବାର୍ଟର ଓ ସେମିଫାଇନା‌ଲ୍‌ରେ ଅଗାସି ପହଞ୍ଚିଥିଲେ ସେତେବେଳେ ଆଲ୍‌କାରାଜଙ୍କ ଏବର ବୟସଠାରୁ ୮ ଦିନ ବଡ଼ ଥିଲେ। ୧୯୬୩ରେ ବ୍ରାଜିଲ୍‌ର ଥୋମାଜ କୋଚି ନ୍ୟୁୟର୍କରେ ଏହି ‌ଷ୍ଟେଜ୍‌ରେ ପହଞ୍ଚିବାରେ ସର୍ବକନିଷ୍ଠ ଥିଲେ। ଏବେ ଏହି କୀର୍ତ୍ତିମାନକୁ ମଧ୍ୟ ଅଲ୍‌କାରାଜ ଭାଙ୍ଗିଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ସେ ଦ୍ବାଦଶ ମାନ୍ୟତାପ୍ରାପ୍ତ ଫେଲିକ୍ସ ଅଗର-ଆଲିଆସିମ୍‌ଙ୍କୁ ଭେଟିବେ। କାନାଡ଼ାର ଅଗର-ଅଲିଆସିମ୍‌ ୪-୬, ୬-୨, ୭-୬, ୬-୪ ସେଟ୍‌ରେ ଆମେରିକା ଫ୍ରାନ୍‌ସିସ୍‌ ତିଆଫୋଏଙ୍କୁ ପରାସ୍ତ କରିଥିଲେ। ଅନ୍ୟ ଏକ ପ୍ରିକ୍ବାର୍ଟର ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଡାନିଲ ମେଦଭେଦେଭ ୬-୩, ୬-୪, ୬-୩ ସେଟ୍‌ରେ ବ୍ରିଟିସ୍‌ ଖେଳାଳି ଡାନ୍‌ ଇଭାନ୍ସଙ୍କୁ ହରାଇଥିଲେ। କ୍ବାର୍ଟର ଫାଇନାଲ୍‌ରେ ସେ ନେଦରଲାଣ୍ଡ୍ସର ବୋଟିକ ଭାନ୍‌ ଡି’ଜାନ୍ଦସୁଲ୍‌ପଙ୍କୁ ଭେଟିବେ। ଡି’ଜାନ୍ଦସୁଲ୍‌ପ ୬-୩, ୬-୪, ୬-୭, ୫-୭, ୬-୧ ସେଟ୍‌ରେ ଆର୍ଜେଣ୍ଟିନାର ଡିଏଗୋ ସ୍ବର୍ଜମାନ୍‌ଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର