ଭୁବନେଶ୍ବର: ଭାରତରେ ପ୍ରଥମ ଥର ପାଇଁ ଫିଡେ ମହିଳା ଗ୍ରା ପ୍ରି ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀରେ ମାର୍ଚ୍ଚ ୨୫ରୁ ଏପ୍ରିଲ୍‌ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରୁଷୀୟ ଗ୍ରାଣ୍ଡମାଷ୍ଟର୍‌ ଆଲେକଜାଣ୍ଡ୍ରା ଗୋରୢାଚିକନା ବିଜୟିନୀ ହୋଇଛନ୍ତି। କାଜାକସ୍ତାନ ଆଇଏମ୍‌ ବିବିସାରା ସାଉବାୟେଭା ଏବଂ ଚୀନ୍‌ ଡବଲ୍ୟୁଜିଏମ୍ ଝୁ ଜିନର୍‌ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଛନ୍ତି। ତିନିଜଣ ଯାକ ଖେଳାଳି ସମାନ ପଏଣ୍ଟରେ ରହିଥିବା ବେଳେ ଉନ୍ନତ ଟାଇବ୍ରେକ୍‌ ଯୋଗେ ବିଜେତା ନିର୍ଣ୍ଣୟ କରାଯାଇଥିଲା। ଏହି ପ୍ରତିଯୋଗିତାର ପ୍ରଥମ ଦୁଇ ଚରଣ ୨୦୦୨ରେ ଆଷ୍ଟାନା ଓ ୨୦୨୩ ଫେବ୍ରୁଆରିରେ ମ୍ୟୁନିକ୍‌ରେ ଖେଳାଯାଇଥିଲା। ଭାରତ ପ୍ରଥମ ଥର ଆୟୋଜନ କରିଥିବା ବେଳେ କୋନେରୁ ହମ୍ପି, ଦ୍ରୋଣାବଳି ହାରିକା, ‌ବୈଶାଳୀ ରାମେଶବାବୁ ପ୍ରତିନିଧିତ୍ବ କରିଥିଲେ। ନୂଆଦିଲ୍ଲୀର ଲୀଲା ଆମ୍ବିଆନ୍ସ କନଭେନସନ୍‌ ହୋଟେଲରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଆଇସିଏଫ୍‌ ସଭାପତି ସଂଜୟ କାପୁର, ଯୁଗ୍ମ ସମ୍ପାଦକ ରଂଜନ ମହାନ୍ତି, କିଟ୍‌-କିସ୍‌ କ୍ରୀଡ଼ା ବିଭାଗ ମୁଖ୍ୟ ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।