ପିଚ୍‌ରେ ବି ଫିକ୍ସିଂ! ନିର୍ମାତା ନିଲମ୍ବିତ

ପୁନେ: ବୁଧବାର ଭାରତ-ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ର ଘଣ୍ଟାକ ପୂର୍ବରୁ ପୁନେ ପିଚ୍‌କୁ ନେଇ ବିବାଦ ସାରା ଦେଶରେ ଚର୍ଚାରେ ରହିଥିଲା। ଘରୋଇ ଟିଭି ଚ୍ୟାନେଲ୍‌ ଇଣ୍ଡିଆ ଟିିଭି ପକ୍ଷରୁ ହୋଇଥିବା କଥିତ ଷ୍ଟିଙ୍ଗ୍‌ ଅପରେସନ୍‌ରେ ସମ୍ପୃକ୍ତ ସାମ୍ବାଦିକ ଜଣେ ବୁକି ଭଳି ପିଚ୍‌କୁ ନିଜ ଇଚ୍ଛାରେ ପରିବର୍ତନ କରିବେ ବୋଲି ଦାବି କରୁଥିଲେ। ପିଚ୍‌ ପ୍ରସ୍ତୁତକର୍ତା (କ୍ୟୁରେଟର୍‌) ପଣ୍ଡୁରଙ୍ଗ୍‌ ସାଲଗାଓଁକର ଏଥିପ୍ରତି ନିଜ ସମ୍ମତି ଦେଉଥିଲେ। ପିଚ୍‌ କିଭଳି ବ୍ୟବହାର କରିବ ଏବଂ କେତେ ରନ୍‌ ହେବ ଆଦି ତଥ୍ୟ ପ୍ରକାଶ କରୁଥିଲେ। ସମ୍ପୃକ୍ତ ଚ୍ୟାନେଲ୍‌ ପକ୍ଷରୁ ହୋଇଥିବା ଏହି ଷ୍ଟିଙ୍ଗ୍‌ ଅପରେସନ୍‌ ସଦୃଶ ପ୍ରସାରଣ ଆଇସିସି ନିୟମ ଉଲ୍ଲଂଘନ ଅଭିଯୋଗ କରିଥିବାରୁ ଘଟଣାକ୍ରମକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ପ୍ରଥମେ କ୍ୟୁରେଟର୍‌ ପଣ୍ଡୁରଙ୍ଗ୍‌ ସାଲଗାଓଁକରଙ୍କୁ ମହାରାଷ୍ଟ୍ର କ୍ରିକେଟ୍‌ ସଂଘ (ଏମ୍‌ସିଏ) ନିଲମ୍ବିତ କରି ଦେଇଛି। ତାଙ୍କ ସ୍ଥାନରେ ବିସିସିଆଇର ଗ୍ରାଉଣ୍ଡ୍‌ ଆଣ୍ଡ୍‌ ପିଚ୍‌ ସମିତି ସଦସ୍ୟ ରମେଶ ମାମୁଙ୍କରଙ୍କ୍‌ୁ ତୁରନ୍ତ ପୁନେ ଦାୟିତ୍ୱ ଦିଆଯାଇଛି। ଏହି ବିବାଦ ସତ୍ୱେ ଆଇସିସି ଅଧିକାରୀମାନେ ପ୍ରାକ୍‌ ମ୍ୟାଚ୍‌ ପିଚ୍‌ ତଦାରଖ କରିଥିଲେ ଏବଂ ଭାରତ-ନ୍ୟୁଜିଲାଣ୍ଡ୍‌ ଦ୍ୱିତୀୟ ଦିନିକିଆକୁ ଏହା କୌଣସି ଭାବେ ପ୍ରଭାବିତ କରିପାରିନଥିଲା। କିନ୍ତୁ ଏହାକୁ ନେଇ ଗଣମାଧ୍ୟମରେ ଢେର ହଇଚଇ ସୃଷ୍ଟି ହୋଇଛି।

ବାସ୍ତବରେ ମଙ୍ଗଳବାର ସଂଧ୍ୟାରେ ଇଣ୍ଡିଆ ଟିଭି ପକ୍ଷରୁ ଏହାର ଜଣେ ସାମ୍ବାଦିକ ପୁନେ ପିଚ୍‌କୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଏଥିରେ କ୍ୟୁରେଟର୍‌ ସାଲଗାଓଁକର ସମ୍ପୃକ୍ତ ସାମ୍ବାଦିକଙ୍କ ସହ ଆଲୋଚନା କରୁଥିବା ବେଳେ କିଛି ଆଇସିସି ଆଚରଣ ସଂହିତା ବାହାରକୁ ଯାଇ ତଥ୍ୟ ରଖୁଥିଲେ। ଏହାର ସମ୍ପାଦିତ ଅଂଶ ଟିଭିରେ ପ୍ରସାରିତ ହୋଇଥିଲା। ସାଲଗାଓଁକରଙ୍କ ସହ ସେ ଯେଭଳି ଭାବେ ପରିଚିତ ହୋଇଥିଲେ ସେଭଳି ନ କରି ସମ୍ପୃକ୍ତ ସାମ୍ବାଦିକ ନିଜକୁ ଜଣେ ବୁକି ଭାବେ ଉପସ୍ଥାପିତ କରିଥିଲେ। ଏହି ଭିଡିଓ ସୋମବାର ଓ ମଙ୍ଗଳବାର ସୁଟିଂ ହୋଇଥିବା କୁହାଯାଉଛି। ଏହି ଅବସରରେ ସାଲଗାଓଁକର ପୁନେ ପଡ଼ିଆରେ ଥିବା ୧୫ ପିଚ୍‌ ମଧ୍ୟରୁ ୮ ନମ୍ବରଟି ବ୍ୟବହାର ହେବ, ବ୍ୟାଟିଂ ପାଇଁ ଏହା ଅନୁକୂଳ ଥିବା, ୩୩୭ ରନ୍‌ ହେବ ଏବଂ ପଶ୍ଚାତଧାବନ ସମ୍ଭବ ଆଦି ତଥ୍ୟ ଦେଉଥିଲେ। ଏପରିକି ଅନ୍ୟତମ କ୍ୟୁରେଟର୍‌ ମାମୁଙ୍କରଙ୍କ ଉପସ୍ଥିତିଠୁ ଦୂରେଇଯିବାକୁ ସାଲଗାଓଁକର ସମ୍ପୃକ୍ତ ସାମ୍ବାଦିକଙ୍କୁ କହୁଥିଲେ। କାରଣ ନିୟମ ଅନୁସାରେ କୌଣସି ବାହାର ବ୍ୟକ୍ତିଙ୍କୁ ପିଚ୍‌ ଉପରକୁ ଯିବାକୁ ଅନୁମତି ମିଳିନଥାଏ। ସାଲଗାଓଁକର କିନ୍ତୁ ତାଙ୍କୁ ଏଭଳି ସୁଯୋଗ ଦେଇଥିଲେ। ଅନ୍ୟ ଏକ ଭିଡିଓରେ ସାଲଗାଓଁକର ମଧ୍ୟ କାର ଭିତରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମ୍ୟାଚ୍‌ ପିଚ୍‌ରୁ କିଭଳି ଦୁଇ ଜଣ ଦ୍ରୁତ ବୋଲରଙ୍କୁ ଫାଇଦା ମିଳିବ ପ୍ରକାଶ କରୁଥିଲେ। ସାଲଗାଓଁକର କହୁଥିଲେ, ପୁନେ ପିଚ୍‌ ସବୁବେଳେ ଦ୍ରୁତ ବୋଲରଙ୍କୁ ସୁହାଇଥାଏ। ଆପଣ ଏହାକୁ ବ୍ୟାଟିଂ ଓ୍ଵିକେଟ୍‌ କହିଲେ, କିନ୍ତୁ କିଛି ନିର୍ଦ୍ଦିଷ୍ଟ ଦ୍ରୁତ ବୋଲରଙ୍କୁ ସୁହାଇବ ବୋଲି ଦର୍ଶାଉଛନ୍ତି ବୋଲି ପ୍ରଶ୍ନ ହେବାରୁ ସାଲଗାଓଁକର କହିଥିଲେ ‘ମୁଁ କହିଲି ନାଁ, ବ୍ୟାଟିଂ ଓ୍ଵିକେଟ୍‌ ପ୍ରସ୍ତୁତ କରିଦେବି।’

ଘଟଣାକ୍ରମ ବିବାଦୀୟ ମୋଡ଼ ନେବାରୁ ବିସିସିଆଇ ତୁରନ୍ତ ତାଙ୍କୁ ନିଲମ୍ବିତ ନିର୍ଦେଶ ଦେଇଥିଲା। ମହାରାଷ୍ଟ୍ର କ୍ରିକେଟ୍‌ ସଂଘ (ଏମ୍‌ସିଏ) ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିଥିବା ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଘୋଷଣା କରିଥିଲା। ସାଲଗାଓଁକରଙ୍କୁ ପଡ଼ିଆ ପ୍ରବେଶରୁ ବାସନ୍ଦ କରାଯାଇଛି ଏବଂ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ବିସିସିଆଇ କାମଚଳା ସଭାପତି ସିକେ ଖାନ୍ନା କହିଛନ୍ତି। ମୁଁ ଏ ସମ୍ପର୍କରେ ଏମ୍‌ସିଏ ସଭାପତି ଅଭୟ ଆପ୍‌ତେଙ୍କ ସହ ଆଲୋଚନା କରିଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଖାନ୍ନା କହିଥିଲେ। ବିସିସିଆଇର ନିରପେକ୍ଷ କ୍ୟୁରେଟର୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥି ସହିତ ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟ୍‌ ମୁଖ୍ୟ ନୀରଜ କୁମାରଙ୍କୁ ମଧ୍ୟ ଏକ ତଦନ୍ତ ରିପୋର୍ଟ ପ୍ରଦାନ ଲାଗି ନିର୍ଦେଶ ଦିଆଯାଇଛି। ବିସିସିଆଇ ମଧ୍ୟ ଏମ୍‌ସିଏଠାରୁ ଏକ ରିପୋର୍ଟ ତଲବ କରିଛି।

ସାଲଗାଓଁକରଙ୍କୁ ନିଲମ୍ବିତ କରିବା ପୂର୍ବରୁ ଏମସିଏ ମଧ୍ୟ ଏକ ଜରୁରୀ ବୈଠକ ଡାକିଥିଲା। ତାଙ୍କୁ ନିଲମ୍ବିତ କରିବା ସହିିତ ଯେତେ ସବୁ କାମରେ ସମ୍ପ୍‌ୃକ୍ତ ଅଛନ୍ତି ପ୍ରତ୍ୟାହାର କରିନିଆଯାଇଥିଲା। କିନ୍ତୁ ସାମ୍ବାଦିକଙ୍କ ସମେତ ପିଚ୍‌କୁ ବାହ୍ୟ ଲୋକଙ୍କ ପ୍ରବେଶ ବାରଣ ଥିବାବେଳେ ଏହା କିଭଳି ସମ୍ଭବ ହେଲା ସେଥି ନେଇ ବିସିସିଆଇ ଦୁର୍ନାତି ନିବାରଣ ୟୁନିଟ୍‌ ମଧ୍ୟ ଉତ୍ତରଦାୟୀ ରହିବ ବୋଲି କୁହାଯାଇଛି।

ବିବାଦୀୟ ସାଲ୍‌ଗାଓଁକର

ନିଲମ୍ବିତ କ୍ୟୁରେଟର୍‌ ପଣ୍ଡୁରଙ୍ଗ୍‌ ସାଲଗାଓଁକର ଜଣେ ବହୁ ପୁରୁଣା ପିଚ୍‌ ନିର୍ମାତା ଏବଂ ପୂର୍ବତନ ଦ୍ରୁତ ବୋଲର। ସତୁରୀ ଦଶକରେ ଭାରତୀୟ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିଲେ ଏହି ୬୮ ବର୍ଷୀୟ। ମହାରାଷ୍ଟ୍ର ପାଇଁ ୬୩ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ସେ ୨୧୪ ଓ୍ଵିକେଟ୍‌ ନେଇଥିଲେ। ସୁନିଲ ଗାଭାସ୍କରଙ୍କ ଆତ୍ମଜୀବନୀ ସନି ଡେଜ୍‌ରେ ତାଙ୍କୁ ଜଣେ ଜାତୀୟ ଦଳରୁ ବଞ୍ଚିତ ହୋଇଥିବା ଅସଲି ଦ୍ରୁତ ବୋଲର ଭାବେ ଅଭିହିତ କରାଯାଇଥିଲା। ଏମ୍‌ସିଏର ପୂର୍ବତନ ସଭାପତି ଅଜୟ ସିର୍କେ ଏବଂ ବର୍ତମାନର ସଭାପତି ଅଭୟ ଆପ୍‌ତେ ହିଁ ସାଲଗାଓଁକରଙ୍କୁ ଅବସର ପରେ କ୍ୟୁରେଟର୍‌ ହେବାରେ ସହଯୋଗ କରିଥିଲେ। ସାଲଗାଓଁକର ଉଭୟଙ୍କୁ ବଦ୍‌ନାମ କରିଦେଲେ ବୋଲି ଖାନ୍ନା ପ୍ରକାଶ କରିଛନ୍ତି। ସେ ମାସିକ ୬୫,୦୦୦ ଟଙ୍କା ସହିତ ବିସିସିଆଇ ଭତ୍ତା ପାଉଛନ୍ତି। ବିସିସିଆଇର ସ୍ୱାଧୀନ କ୍ୟୁରେଟର୍‌ ଭାବେ ମଧ୍ୟ ସେ ଲମ୍ବା ସମୟ ଧରି କାର୍ଯ୍ୟ କରି ଆସିଛନ୍ତି।

ତେବେ ଏଭଳି ବିବାଦ ସାଲଗାଓଁକରଙ୍କ ପାଇଁ ନୂଆ ନୁହେଁ। ଚଳିତ ବର୍ଷ ପ୍ରାରମ୍ଭରେ (ମାର୍ଚ) ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆୟୋଜିତ ଟେଷ୍ଟ୍‍ ମ୍ୟାଚ୍‌ ବେଳେ ମଧ୍ୟ ପିଚ୍‌କୁ ଆଇସିସି ମ୍ୟାଚ୍‌ ରେଫରି କ୍ରିସ୍‌ ବ୍ରଡ୍‌ ଖରାପ ବୋଲି ଦର୍ଶାଇଥିଲେ। ସେହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତକୁ ୩୩୩ ରନ୍‌ରେ ପରାସ୍ତ କରିଥିଲା। ଭାରତୀୟ ଦଳ ଉଭୟ ପାଳିରେ ୧୦୫ ଓ ୧୦୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ମ୍ୟାଚ୍‌ ୩ ଦିନ ଭିତରେ ଶେଷ ହୋଇଯାଇଥିଲା।

କିଏ କ’ଣ କହିଲେ

ସୌରଭ ଗାଙ୍ଗୁଲି (ପୂର୍ବତନ ଅଧିନାୟକ): ବୁକିଙ୍କ କଥାରେ ସାଲଗାଓଁକର ପିଚ୍‌କୁ ଦିନେ ବଦଳାଇ ଦେବେ ଏକଥା ବିଶ୍ୱାସ କରି ହେଉନାର୍ହି। ସେ କେଉଁ ପ୍ରସଙ୍ଗରେ ଏସବୁ କହୁଛନ୍ତି ମୁଁ ଜାଣି ନାହିଁ।

ବିନୋଦ ରାଏ (ବିସିସିଆଇ ମୁଖ୍ୟ): ଅନିୟମିତତା ହୋଇଛି, ଏ ସମ୍ପର୍କରେ ଏକ ପୂର୍ଣ୍ଣ ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଛି। ଏ ପ୍ରସଙ୍ଗରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ଆମେ ନଜର ରଖିଛୁ ଏବଂ ଦୁର୍ନୀତି ନିବାରଣ ୟୁନିଟ୍‌କୁ ମଧ୍ୟ ତଦନ୍ତ କରିବାକୁ କହିଛୁ।

ରାହୁଲ ଜୋହରି (ବିସିସିଆଇ ସିଇଓ): ଆମେ ଏମ୍‌ସିଏ ସହିତ ସମ୍ପର୍କରେ ରହିଛୁ ଏବଂ ଏ ପ୍ରସଙ୍ଗରେ ଠିକଣା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭବିଷ୍ୟତରେ ମଧ୍ୟ ବିସିସିଆଇ କୌଣସି ପ୍ରକାର ଅସଂଗତିକୁ ବରଦାସ୍ତ କରିବ ନାହିଁ।

ଅମିତାଭ ଚୌଧୁରୀ (ବିସିସିଆଇ କାମଚଳା ସମ୍ପାଦକ): କ୍ରିକେଟ୍‌କୁ ଅସମ୍ମାନ କରୁଥିବା କୌଣସି ପ୍ରକାର କାର୍ଯ୍ୟକଳାପ ପ୍ରତି ବିସିସିଆଇ ନିଜର ‘ଶୂନ୍ୟ ସହନଶୀଳ’ ନୀତି ଜାରି ରଖିବ। କୌଣସି ପ୍ରକାର ଦୁର୍ବଳତାକୁ ବରଦାସ୍ତ କରାଯିବ ନାହିଁ।

ସମ୍ବନ୍ଧିତ ଖବର