ଲଣ୍ଡନ୍ : କ୍ରିକେଟ୍ ମ୍ୟାଚ୍ରେ କେବଳ ବ୍ୟାଟିଂ କି ବୋଲିଂ ନୁହେଁ ଫିଲ୍ଡିଂର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କେବଳ ଏଇଥି ପାଇଁ ଭାରତୀୟ ଟେଷ୍ଟ୍ ଦଳ ଡବ୍ଲ୍ୟୁଟିସି ଫାଇନାଲ୍ ପୂର୍ବରୁ ବିବିଧ ରଙ୍ଗର ରବର୍ ବଲ୍ରେ ଡ୍ରିଲ୍ କରିଛି। କ୍ୟାଚ୍ ହାତଛଡ଼ା ହେଲେ ମ୍ୟାଚ୍ ହାତଛଡ଼ା ହେବାର ଗୁରୁତ୍ବକୁ ଭଲ ବୁଝିଛି ଭାରତ। ବୁଧବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଡବଲ୍ୟୁଟିସି ଫାଇନାଲ୍ ଖେଳାଯିବାକୁ ଥିବାରୁ ଭାରତୀୟ ଦଳ ଏବେଠାରୁ କ୍ଷେତ୍ରରକ୍ଷଣକୁ ଗୁରୁତ୍ବ ଦେଇ ଏଭଳି ନିଆରା ଅଭ୍ୟାସ କରୁଛି। ଅରୁଣ୍ଡେଲ୍ ଗ୍ରାଉଣ୍ଡ୍ରେ ଶୁବମନ ଗିଲ୍ କ୍ୟାଚିଂ ଅଭ୍ୟାସ କରୁଥିବା ବେଳେ ସବୁଜ ରଙ୍ଗର ବଲ ଦେଖିବାକୁ ମିଳିଛି। ୱିକେଟରକ୍ଷକ ଏବଂ କ୍ଲୋଜ୍ ଇନ୍ ଫିଲ୍ଡରମାନଙ୍କ ହାତରୁ ସାଧାରଣତଃ କ୍ୟାଚ୍ ପ୍ରତିଫଳିତ ହୋଇ ବାହାରି ଯାଉଥିବାରୁ ରବର୍ ବଲ୍ରେ ଅଭ୍ୟାସ କରଯାଉଛି। ‘ଏହା ସ୍ବତନ୍ତ୍ର ଭାବେ ନିର୍ମିତ ରବର୍ ବଲ୍। ଗଲି କ୍ରିକେଟ୍ରେ ବ୍ୟବହାର କରାଯାଉଥିବା ବଲ୍ ଏହା ନୁହେଁ। ଏହା କେବଳ ଫିଲଡିଂ ଡ୍ରିଲ୍ ପାଇଁ ପ୍ରସ୍ତୁତ କରାଯାଇଛି। ଏହି ବଲ୍କୁ ‘ରିଆକ୍ସନ୍ ବଲ୍’ କୁହାଯାଉଛି।
କେତେକ ନିର୍ଦ୍ଧିଷ୍ଟ ଦେଶରେ ଏହାକୁ ଫିଲ୍ଡିଂ ଡ୍ରିଲ୍ ପାଇଁ ବ୍ୟବହାର କରାଯାଏ। ବିଶେଷ କରି ଇଂଲଣ୍ଡରେ ଏବଂ କିଛି ମାତ୍ରାରେ ନ୍ୟୁଜିଲାଣ୍ଡ୍ରେ ଏହା ବ୍ୟବହୃତ ହୁଏ।’ ଏଭଳି ମତ ଦେଇଛନ୍ତି ଏନ୍ସିଏରେ କାର୍ଯ୍ୟରତ ଜଣେ ପ୍ରତିଷ୍ଠିତ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ। ରଙ୍ଗ ବେରଙ୍ଗର ରବର୍ ବଲ୍ ବ୍ୟବହାର ସମ୍ପର୍କରେ ସେ କହିଥିଲେ ‘ଏହା ପଛରେ ସେଭଳି କିଛି ନିର୍ଦ୍ଧିଷ୍ଟ ବୈଜ୍ଞାନିକ କିମ୍ବା କ୍ରିକେଟିଂ କାରଣ ନାହିଁ। କିନ୍ତୁ ସ୍ଲିପ୍ ଫିଲଡର୍ ଓ ୱିକେଟରକ୍ଷକଙ୍କ ପାଇଁ ଏଭଳି କରିବାର କିଛି କାରଣ ନିଶ୍ଚିତ ରହିଛି। ଇଂଲଣ୍ଡରେ ଆଦ୍ରତା ଓ ପିଚ୍ ପାର୍ଶ୍ବର ସବୁଜ ଘାସ କାରଣରୁ ବଲ୍ ଏଣେତେଣେ ହୋଇଥାଏ। ବ୍ୟାଟରକୁ ପରାସ୍ତ କରୁଥିବା ବଲ୍ ଗତିପଥ ବଦଳାଉଥିବାରୁ କ୍ୟାଚ୍ ଧରିବା କଷ୍ଟକର ହୋଇଥାଏ। ଏପରିକି ଇଂଲଣ୍ଡରେ ବ୍ୟବହୃତ ଡ୍ୟୁକ୍ସ ବଲ୍ ଅଧିକ ଏପଟ ସେପଟ ହୋଇ ଗତି କରିଥାଏ ବୋଲି ସେ କହିଥିଲେ। ରବର୍ ବଲ୍ ଓଜନରେ ହାଲକା ହୋଇଥିବାରୁ ଅଧିକ ସୁଇଙ୍ଗ ସହ ଏପଟ ସେପଟ ହେଉଥିବାରୁ ସେଥି ସହ ଖାପ ଖୁଆଇଯିବା ପାଇଁ ଏଭଳି ଅଭ୍ୟାସ କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Jadeja.jpg)