ଆୟୋଜନ ସମିତିର ଘୋଷଣା; ଭାରତ ଶତପ୍ରତିଶତ ପ୍ରସ୍ତୁତ

ନୂଆଦିଲ୍ଲୀ: ଆଉମାତ୍ର ଗୋଟିଏ ସପ୍ତାହ ପରେ ଆରମ୍ଭ ହୋଇଯିବ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌। ଅକ୍ଟୋବର ୬ ତାରିଖରୁ ଆୟୋଜିତ ହେବାକୁ ଯାଉଥିବା ଏହି ବିଶ୍ୱକପ୍‌ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି। ଫଳରେ ବିଶ୍ୱକପ୍‌ ଆୟୋଜନ ପାଇଁ ଏବେଠୁ ଆମେ ଶତପ୍ରତିଶତ ପ୍ରସ୍ତୁତ ହୋଇସାରିଛୁ ବୋଲି ଘୋଷଣା କରିଛନ୍ତି ଆୟୋଜନ ସମିତି ଅଧ୍ୟକ୍ଷ ତଥା ସର୍ବଭାରତୀୟ ଫୁଟ୍‌ବଲ୍‌ ସଂଘ ମୁଖ୍ୟ ପ୍ରଫୁଲ ପଟେଲ।

ଭାରତୀୟ ଦଳ ମଧ୍ୟ ଏଥିରେ ଅଂଶଗ୍ରହଣ କରିବା ନେଇ ଖୁବ୍‌ ଉତ୍ସାହିିତ ରହିଛି। ଦଳର ପ୍ରସ୍ତୁତି ସହିତ ପ୍ରତିଯୋଗିତାର ପ୍ରସ୍ତୁତି ଶେଷ କରିଥିବାରୁ ଆମେ ଗର୍ବର ସହ ଘୋଷଣା କରୁଛୁ ବୋଲି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପଟେଲ କହିଛନ୍ତି। କେବଳ ସେତିକି ନୁହେଁ, ଫିଫା ଭାରତରେ ପ୍ରଥମ ଥର ଲାଗି ତା’ର କାର୍ଯ୍ୟନିର୍ବାହୀ ସମିତି ବୈଠକ ଆହୂତ କରିଥିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିବା ସେ କହିଛନ୍ତି। ଫିଫା ଭାରତରେ ଫୁଟ୍‌ବଲ୍‌ ପ୍ରତି ମାତ୍ରାଧିକ ଆଗ୍ରହକୁ ପ୍ରଶଂସା କରିଛି। ଭାରତ ଭବିଷ୍ୟତର ଏକ ଫୁଟ୍‌ବଲ୍‌ ଶକ୍ତି ରାଷ୍ଟ୍ର ଭାବେ ଉଭା ହେବା ଦିଗରେ ଆଗେଇ ଚାଲିଥିବା ଫିଫା ଅନୁଭବ କରିଛି। ଯାହାକି ଆମ ପାଇଁ ଗର୍ବ ଓ ଗୌରବର କଥା ବୋଲି ପଟେଲ କହିଛନ୍ତି। ଆମେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶ୍ୱକପ୍‌ ଉଦ୍‌ଘାଟନୀ ମୁକାବିଲା (ଅକ୍ଟୋବର ୬ ତାରିଖ) ଉପଭୋଗ କରିବା ପାଇଁ ଜବାହରଲାଲ୍‌ ନେହରୁ ଷ୍ଟାଡିୟମ୍‌ରେ ଉପସ୍ଥିତ ରହିବାକୁ ଆମନ୍ତ୍ରଣ କରିଛୁ ବୋଲି ପଟେଲ କହିଛନ୍ତି। ଏହି ମ୍ୟାଚ୍‌ ଭାରତ ଓ ଆମେରିକା ମଧ୍ୟରେ ଖେଳାଯିବ।
ଅନ୍ୟପକ୍ଷରେ ଭାରତୀୟ ଦଳ ଏବେ ଭଲ ପ୍ରସ୍ତୁତି ପଥରେ ରହିଛି। ଖେଳାଳିମାନଙ୍କ ଉତ୍ସାହ ବିଶ୍ୱକପ୍‌ରେ ଭଲ କରିବାର ଆଶା ଦେଇଛି। ଏହି ବିଶ୍ୱକପ୍‌ ପାଇଁ ତିନି ବର୍ଷ ଧରି ଯେଉଁ ପ୍ରସ୍ତୁତି ଚାଲିଥିଲା ତା’ର ଫଳ ନିଶ୍ଚୟ ମିଳିବ। ଇତି ମଧ୍ୟରେ ଭାରତୀୟ ଦଳ ବିଦେଶ ଗସ୍ତ କରି ଯଥେଷ୍ଟ ଅଭିଜ୍ଞତା ସାଉଁଟି ସାରିଛି। ବଡ଼ ବଡ଼ ଦଳ ବିପକ୍ଷରେ ଅଭ୍ୟାସ କରି ଖେଳାଳିମାନେ ନିଜ ନିଜ ପ୍ରଦର୍ଶନରେ ଉନ୍ନତି ଆଣିପାରିଛନ୍ତି। ତେଣୁ ଦଳ ଏବେ ପ୍ରତିପକ୍ଷକୁ କଡ଼ା ଟକ୍କର ଦେବା ଲକ୍ଷ୍ୟରେ ରହିଛି। ତେଣୁ ମୁଁ ବିଶ୍ୱକପ୍‌ରେ ଦଳର ପ୍ରଦର୍ଶନକୁ ନେଇ ଆଦୌ ହତୋତ୍ସାହିତ ନାହିଁ, ବରଂ ଆତ୍ମବିଶ୍ୱାସ ବଢ଼ାଇ ପାରିଛି ବୋଲି କହିଛନ୍ତି ଭାରତୀୟ ଦଳର ପ୍ରଶିକ୍ଷକ ଲୁଇସ୍‌ ନର୍ଟନ୍‌ ଡି ମାତୋସ୍‌। ମଙ୍ଗଳବାର ଏଠାରେ ପହଞ୍ଚିଥିବା ମାତୋସ୍‌ ଦଳର ପ୍ରସ୍ତୁତିରେ ଖୁବ୍‌ ସନ୍ତୁଷ୍ଟ। ଦେଶ ପାଇଁ ଖେଳିବାର ସୁଯୋଗ ପାଇଥିବା ଯୁବ ଖେଳାଳିମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀ ମନୋଭାବ ବଢ଼ିଯାଇଛି। ଏବର ଦଳ ଉଚ୍ଚସ୍ତରର ପ୍ରତିଯୋଗିତାରେ ଖେଳିବାର ସାମର୍ଥ୍ୟ ରଖିଛି। ସେମାନେ ବିଜୟ ପାଇଁ ଖେଳିବେ। ପ୍ରତି ମ୍ୟାଚ୍‌ରେ ବିଜୟ ହିଁ ଦଳର ଟାର୍ଗେଟ୍‌ ରହିବ ବୋଲି ମାତୋସ୍‌ ଜୋର୍‌ ଦେଇ କହିଛନ୍ତି। ତେବେ ଭାରତରେ ବିଶ୍ୱ କପ୍‌ କିଏ ଜିତିପାରିବ ବୋଲି ପଚାରାଯିବାରୁ ମାତୋସ୍‌ ବିଶେଷକରି ବ୍ରାଜିଲ୍‌ ଓ ସ୍ପେନ୍‌କୁ ଦାବିଦାର ଆଖ୍ୟା ଦେଇଥିଲେ। ତେବେ ଫୁଟ୍‌ବଲ୍‌ରେ ପ୍ରତି ତିନି ଦିନରେ ୩ ମ୍ୟାଚ୍‌ ଫଳାଫଳ ବଦଳାଇ ଦେଇପାରେ ବୋଲି ସେ କହିଥିଲେ। ଏହାସତ୍ତ୍ୱେ ଏକ ଭଲ ଦିନରେ ଆମେ ମଧ୍ୟ ଯେକୌଣସି ବଡ଼ ଦଳ ପାଇଁ ଯଥେଷ୍ଟ ସମସ୍ୟା ସୃଷ୍ଟି କରିବାର ସାମର୍ଥ୍ୟ ରଖିଛୁ ବୋଲି ଭାରତୀୟ ଦଳର ଏହି ପର୍ତୁଗିଜ୍‌ ପ୍ରଶିକ୍ଷକ ଦୃଢ଼ତାର ସହ କହିଛନ୍ତି।

ସମ୍ବନ୍ଧିତ ଖବର