ଦୋହା : କତାରରେ ହେଉଥିବା ଫୁଟବଲ ବିଶ୍ବକପରେ ବିୟରକୁ ନିଷିଦ୍ଧ କରିବା ଦର୍ଶକମାନଙ୍କୁ ନିରାଶ କରିଛି । ଦର୍ଶକମାନେ ମ୍ୟାଚ ଚାଲିଥିବାବେଳେ କେତେକ ଦର୍ଶକ ‘ଆମେ ଚାହୁଁ ବିୟର’ ଦାବି କରୁଥିବା ଶୁଣାଯାଇଥିଲା ।

Advertisment

ଉଦଘାଟନୀ ମ୍ୟାଚ ଇକ୍ବେଡର ଓ ଆୟୋଜକ କତାର ମଧ୍ୟରେ ଖେଳାଯାଉଥିବାବେଳେ ଇକ୍ବେଡର ପ୍ରସଂଶକମାନେ କହୁଥିଲେ ‘କ୍ବେରେମସ ସେରଭେଜା’ । ଏହାର ଅର୍ଥ ହେଉଛି ‘ଆମେ ବିୟର ଚାହୁଁଛୁ’ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚାର କାରଣ ହୋଇଛି ।

କେତେକ ସୋସିଆଲ ମିଡିଆ ୟୁଜର ନିଜ ପ୍ରତିକ୍ରିୟାରେ ଲେଖିଛନ୍ତି, ଆୟୋଜକମାନେ ଭିଆଇପି ବକ୍ସ ଗୁଡ଼ିକରେ ବିୟର ବିକୁଛନ୍ତି । ତୁମେ ଯଦି ଅଧିକ ଅର୍ଥ ଦେବ, ତେବେ ତୁମକୁ ବି ବିୟର ମିଳିବ । ଆଉ କେତେକ ଲେଖିଛନ୍ତି, କତାରରେ ବିଶ୍ବକପ ହେବାର ନଥିଲା । ଆଉ ଜଣେ ଲେଖିଛନ୍ତି, ସେମାନେ ମୂଳରୁ ହିଁ ବିଶ୍ବକପରେ ମଦକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇସାରିଥିଲେ, କିନ୍ତୁ ଜାଣିଶୁଣି ଶେଷ ମୂହୂର୍ତ୍ତରେ ନିଜର ନିଷ୍ପତ୍ତି ଜଣାଇଲେ, ଯେପରିକି ଫିଫା କିଛି କରିପାରିବ ନାହିଁ ।

ସୂଚନାଯୋଗ୍ୟ ଯେ, ଆୟୋଜକଙ୍କ ନିଷ୍ପତ୍ତି ଅନୁଯାୟୀ, ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ଷ୍ଟାଡିୟମଗୁଡ଼ିକରେ ଆଲକହଲ ଯୁକ୍ତ ବିୟର ବିକ୍ରିକୁ ନିଷିଦ୍ଧ କରାଯାଇଛି । ଉଦଘାଟନର ମାତ୍ର ୨ ଦିନ ପୂର୍ବରୁ କତାର ସରକାର ଏହି ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । ତେବେ ଷ୍ଟାଡିୟମରେ ଆଲକହଲ ନଥିବା ବିୟର ବିକ୍ରି ହୋଇପାରିବ । ଏହା ସହିତ ଫିଫା ଫ୍ୟାନ ଫେଷ୍ଟିଭାଲ ଓ ଅନ୍ୟ ଲାଇସେନ୍ସଥିବା ସ୍ଥାନରେ ଆଲକହଲ ଯୁକ୍ତ ବିୟର ବିକ୍ରି ହୋଇପାରିବ ।