ବିଶ୍ୱକପ୍‌ର ୬ ପଡ଼ିଆ

ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଭାରତର ୬ ପଡ଼ିଆରେ ଆୟୋଜିତ ହେବ। ଏହି ୨୩ ଦିନିଆ ମହାକୁମ୍ଭ ନୂଆଦିଲ୍ଲୀର ଜବାହରଲାଲ୍‌ ନେହରୁ ଷ୍ଟାଡିୟମ୍‌ରୁ ଆରମ୍ଭ ହୋଇ କୋଲ୍‌କାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ ଷ୍ଟାଡିୟମ୍‌ (ସଲ୍‌ଟଲେକ୍‌ ଷ୍ଟାଡିୟମ୍‌)ରେ ଉଦ୍‌ଯାପିତ ହେବ। ଦିଲ୍ଲୀ ଓ କୋଲ୍‌କାତାକୁ ବାଦ୍‌ ଦେଲେ ଅନ୍ୟ ୪ଟି (ଗୋଆ, କୋଚି, ଗୌହାଟୀ ଓ ନଭି ମୁମ୍ବାଇ) ଷ୍ଟାଡିୟମ୍‌ ମଧ୍ୟ ବିଶ୍ୱକପ୍‌ ମ୍ୟାଚ୍‌ ଆୟୋଜନ କରିବାର ସୌଭାଗ୍ୟ ପାଇଛନ୍ତି। ଏମାନଙ୍କ ମଧ୍ୟରୁ ଜବାହରଲାଲ୍‌ ନେହରୁ ଷ୍ଟାଡିୟମ୍‌ର ଦର୍ଶକଙ୍କ ପାଇଁ ଆସନ କ୍ଷମତା ୫୮,୦୦୦ ଥିଲା ବେଳେ ସର୍ବାଧିକ ୮୫,୦୦୦ ଆସନର କ୍ଷମତା କୋଲ୍‌କାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ ଷ୍ଟାଡିୟମ୍‌ ରଖିଛି। ଏଠାରେ ସମସ୍ତ ୬ ପଡ଼ିଆ ସଂପର୍କରେ କିଛି ତଥ୍ୟ ରଖିଛୁ।
ନଭି ମୁମ୍ବାଇ
(ଡ. ଡିଓ୍ଵାଇ ପାଟିଲ ସ୍ପୋର୍ଟସ୍‌ ଷ୍ଟାଡିୟମ୍‌)
ମୁମ୍ବାଇର ନେରୁଲସ୍ଥିତ ଏହି ଷ୍ଟାଡିୟମ୍‌ ଉଭୟ ଫୁଟ୍‌ବଲ୍‌ ଓ କ୍ରିକେଟ୍‌ ଖେଳ ପାଇଁ ଉପଯୋଗୀ। ୨୦୦୮ ମାର୍ଚ ୪ ତାରିଖରେ ଷ୍ଟାଡିୟମ୍‌ର ବିଧିବଦ୍ଧ ଉଦ୍‌ଘାଟନ ହୋଇଥିଲା। ବିଶ୍ୱସ୍ତରୀୟ ଭିତ୍ତିଭୂମି ଥିବା ମହାରାଷ୍ଟ୍ର ରାଜ୍ୟର ଏହି ଷ୍ଟାଡିୟମ୍‌ରେ ୫୧,୦୦୦ ଦର୍ଶକଙ୍କ ବସିବା ପାଇଁ ଆସନ ରହିଛି। ଏହି ଷ୍ଟାଡିୟମ୍‌ ଆଇପିଏଲ୍‌ ପ୍ରଥମ ସଂସ୍କରଣ (୨୦୦୮) ସାଙ୍ଗକୁ ଆଇଏସ୍‌ଏଲ୍‌ (୨୦୧୪ ପ୍ରଥମ ସଂସ୍କରଣର ଫାଇନାଲ୍‌ ମ୍ୟାଚ୍‌ ଆୟୋଜନ କରିଥିଲା।
ଗୌହାଟୀ
(ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌)
ଆସାମ ରାଜଧାନୀରେ ଅବସ୍ଥିତ ଏହି ଷ୍ଟାଡିୟମ୍‌ରେ ଦର୍ଶକଙ୍କ ପାଇଁ ୩୦,୦୦୦ ଆସନ ରହିଛି। ମୁଖ୍ୟତଃ ଏହି ଷ୍ଟାଡିୟମ୍‌ ଫୁଟ୍‌ବଲ୍‌ ପାଇଁ ଉଦ୍ଦିଷ୍ଟ। ତଥାପି କିଛି ସମୟରେ ଦୌଡ଼କୁଦ ମଧ୍ୟ ଏଠାରେ ହୋଇଥାଏ। ୩୩ତମ ଜାତୀୟ କ୍ରୀଡ଼ା ପରେ ଗତବର୍ଷ ଦକ୍ଷିଣ ଏସୀୟ କ୍ରୀଡ଼ା ମଧ୍ୟ ଏହି ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିଲା। ଏହି ଷ୍ଟାଡିୟମ୍‌ ହିରୋ ଇଣ୍ଡିଆନ୍‌ ସୁପର ଲିଗ୍‌ରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସିର ଘରୋଇ ପଡ଼ିଆ।
କୋଚି
(ଜବାହରଲାଲ୍‌ ନେହରୁ ଇଣ୍ଟରନ୍ୟାସ୍‌ନାଲ ଷ୍ଟାଡିୟମ୍‌)
୧୯୯୬ରେ ଏକାଧିକ ଖେଳ ପାଇଁ ନିର୍ମିତ ଏହି ଷ୍ଟାଡିୟମ୍‌ ବିଶେଷକରି କଲୁର ଷ୍ଟାଡିୟମ୍‌ ନାମରେ ଅଧିକ ପରିଚିତ। ଏଥିରେ ୫୫,୦୦୦ ଦର୍ଶକ ବସି ଖେଳ ଦେଖିବାର ବ୍ୟବସ୍ଥା ରହିଛି। ସବୁବେଳେ ଷ୍ଟାଡିୟମ୍‌ ଦର୍ଶକରେ ଭରପୁର ହେଉଥିବାରୁ ଏହାକୁ ବିଶ୍ୱର ଅନ୍ୟତମ ଗହଳି ଷ୍ଟାଡିୟମ୍‌ ଆଖ୍ୟା ଦିଆଯାଇଛି। ଏହି ଷ୍ଟାଡିୟମ୍‌ ଆଇଏସ୍‌ଏଲ୍‌ ଫ୍ରାଞ୍ଚାଇଜ୍‌ କେରଳା ବ୍ଲାଷ୍ଟର୍ସର ଘରୋଇ ପଡ଼ିଆ। ଏଠାରେ ଆଇଏସ୍‌ଏଲ୍‌ରେ ସର୍ବାଧିକ ୪୭,୦୦୦ ଦର୍ଶକ ମ୍ୟାଚ୍‌ ଉପଭୋଗ କରିଥିବାର ନଜିର ରହିଛି।
ନୂଆଦିଲ୍ଲୀ
(ଜବାହରଲାଲ୍‌ ନେହରୁ ଷ୍ଟାଡିୟମ୍‌)
ଫିଫା ୨୦୧୭ ବିଶ୍ୱକପ୍‌ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁଙ୍କ ନାମରେ ନାମିତ ତିନିଟି ଷ୍ଟାଡିୟମ୍‌ରେ ଆୟୋଜିତ ହେଉଥିଲା ବେଳେ ଦିଲ୍ଲୀ ସେଥିରୁ ଅନ୍ୟତମ। ଏଠାରେ ଦର୍ଶକଙ୍କ ପାଇଁ ୫୮,୦୦୦ ଆସନର କ୍ଷମତା ରହିଛି। ୧୯୮୨ ମସିହାରେ ନିର୍ମିତ ଏହି ଷ୍ଟାଡିୟମ୍‌ ଫୁଟ୍‌ବଲ୍‌ ସାଙ୍ଗକୁ ଦୌଡ଼କୁଦ ପ୍ରତିଯୋଗିତା ମଧ୍ୟ ଆୟୋଜନ କରେ। ଏକାଧିକ କ୍ରୀଡ଼ା ଆୟୋଜିତ ହେଉଥିବା ଷ୍ଟାଡିୟମ୍‌ଗୁଡ଼ିକ ମଧ୍ୟରେ ଭାରତର ଏହା ଚତୁର୍ଥ ଓ ବିଶ୍ୱର ୫୧ତମ। ୧୯୮୨ ଏସୀୟ କ୍ରୀଡ଼ା, ୧୯୮୯ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଏବଂ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏଠାରେ ଅତି ସଫଳତାର ସହ ସଂପନ୍ନ ହୋଇଛି। ୨୦୧୨ ନେହରୁ କପ୍‌ ଫୁଟ୍‌ବଲ୍‌ ଏଠାରେ ଖେଳାଯାଇଥିଲା ବେଳେ ଦୁଇଟି ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ (୧୯୮୪ରେ ଭାରତ-ଅଷ୍ଟ୍ରେଲିଆ ଓ ୧୯୯୧ରେ ଭାରତ-ଦକ୍ଷିଣ ଆଫ୍ରିକା) ଆୟୋଜିତ ହୋଇଯାଇଛି।
ଗୋଆ
(ପଣ୍ଡିତ ଜବାହରଲାଲ୍‌ ନେହରୁ ଷ୍ଟାଡିୟମ୍‌)
ମାର୍ଗାଓ ସହରରେ ଅବସ୍ଥିତ ଏହି ଷ୍ଟାଡିୟମ୍‌ ଗୋଆର ଏକମାତ୍ର ଆନ୍ତର୍ଜାତିକ ଷ୍ଟାଡିୟମ୍‌। ଏହାର ଆସନ ସଂଖ୍ୟା ୧୯,୦୦୦। ୧୯୮୯ରେ ଏହା ନିର୍ମିତ ହୋଇଥିଲା ବେଳେ ୨୦୧୪ରେ ନବୀକରଣ କରାଯାଇଥିଲା। ଏବେ ଏହା ଆଇଏସ୍‌ଏଲ୍‌ ପାଇଁ ଏଫ୍‌ସି ଗୋଆର ଏବଂ ଆଇ ଲିଗ୍‌ କ୍ଲବ୍‌ ଡେମ୍ଫୋ ଏସ୍‌ସି, ସାଲ୍‌ଗାଓକାର ଏସ୍‌ସି ଓ ସ୍ପୋର୍ଟିଂ କ୍ଲବ୍‌ ଡି ଗୋଆର ଘରୋଇ ପଡ଼ିଆ। ଏହି ଷ୍ଟାଡିୟମ୍‌ରେ ମୁଖ୍ୟତଃ ଫୁଟ୍‌ବଲ୍‌ ପ୍ରତିଯୋଗିତା ହୋଇଥାଏ। ଏଠାରେ ଅଧିକାଂଶ ଆନ୍ତର୍ଜାତିକ ଫୁଟ୍‌ବଲ୍‌ ଖେଳାଯାଇଛି। ଗତବର୍ଷ ଏଏଫ୍‌ସି ୧୬ ବର୍ଷରୁ କମ୍‌ ପ୍ରତିଯୋଗିତା ଖେଳାଯାଇଥିଲା।
କୋଲ୍‌କାତା
(ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ)
ସଲ୍‌ଟ ଲେକ୍‌ ସହରରେ ହିଁ ଏହି ଷ୍ଟାଡିୟମ୍‌ ଅବସ୍ଥିତ। ଏହାର ଆସନ କ୍ଷମତା ୮୫,୦୦୦। ଏହା ଭାରତର ସବୁଠୁ ବଡ଼ ଷ୍ଟାଡିୟମ୍‌। ୨୦୧୧ ନବୀକରଣ ପୂର୍ବରୁ ଏଠାରେ ୧,୨୦,୦୦୦ ଆସନ ରହିଥିଲା। ଯାହାକି ସେତେବେଳେ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ଷ୍ଟାଡିୟମ୍‌ର ମାନ୍ୟତା ପାଇଥିଲା। ୧୯୯୭ରେ କୋଲ୍‌କାତା ଡର୍ବିର ମୋହନ ବାଗାନ୍‌-ଇଷ୍ଟ ବେଙ୍ଗଲ ମ୍ୟାଚ୍‌ ବେଳେ ଷ୍ଟାଡିୟମ୍‌ରେ ୧,୩୧,୦୦୦ ଦର୍ଶକ ମ୍ୟାଚ୍‌ ଉପଭୋଗ କରିଥିଲେ। ଏହି ଷ୍ଟାଡିୟମ୍‌ରେ ୧୯୮୫ ପ୍ରାକ୍‌ ବିଶ୍ୱକପ୍‌, ୧୯୮୬, ୧୯୮୯, ୧୯୯୧ ଓ ୧୯୯୪ରେ ସୁପର ସକ୍କର, ୧୯୮୭ରେ ତୃତୀୟ ସାଫ୍‌ କ୍ରୀଡ଼ା, ୧୯୮୮ରେ ୟୁଏସ୍‌ଏସ୍‌ଆର୍‌ ଫେଷ୍ଟିଭାଲ୍‌, ୧୯୯୨ରେ ଚାର୍ମିନାର ଚ୍ୟାଲେଞ୍ଜର୍‌ ଟ୍ରଫି, ୧୯୯୫ରେ ଜବାହରଲାଲ୍‌ ନେହରୁ ଇଣ୍ଟରନ୍ୟାସ୍‌ନାଲ୍‌ ଗୋଲ୍‌ଡ କପ୍‌ ଖେଳାଯାଇସାରିଛି। ଏହା ବାଦ୍‌ ୨୦୧୧ରେ ଆର୍ଜେଣ୍ଟିନା-ଭେନେଜୁଏଲା ଫିଫା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌, ମୋହନ ବାଗାନ୍‌-ଇଷ୍ଟବେଙ୍ଗଲ ଆଇଲିଗ୍‌ ମ୍ୟାଚ୍‌ ଖେଳାଯାଇଥିଲା ବେଳେ ଆଟ୍‌ଲେଟିକୋ ଡି କୋଲ୍‌କାତାର ଏହା ଘରୋଇ ପଡ଼ିଆ।

 

ସମ୍ବନ୍ଧିତ ଖବର