‘ପରିବାର ସଦସ୍ୟଙ୍କ ଉପସ୍ଥିତି ଆମକୁ ପ୍ରେରିତ କରିବ’

ନୂଆଦିଲ୍ଲୀ: ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଆଉ ମାତ୍ର ୪ ଦିନ ପରେ ଆରମ୍ଭ ହେବ। ଆୟୋଜକ ଭାରତ ଶତପ୍ରତିଶତ ପ୍ରସ୍ତୁତି ସାରି ଦେଇଥିଲା ବେଳେ ଦଳର ଖେଳାଳିମାନେ ମଧ୍ୟ ଭଲ ପ୍ରଦର୍ଶନ ଦେବା ପାଇଁ ଉତ୍ସାହିତ ଅଛନ୍ତି। ଭାରତୀୟ ଦଳର ଖେଳାଳିମାନେ ପ୍ରଶିକ୍ଷକ ଲୁଇସ୍‌ ନର୍ଟନ୍‌ ଡି ମାତୋସ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୋର୍‌ଦାର ପ୍ରସ୍ତୁତି ଚଳାଇଛନ୍ତି। ବିଶ୍ୱକପ୍‌ର ପ୍ରତ୍ୟେକ ମ୍ୟାଚ୍‌ ବେଳେ ପରିବାର ସଦସ୍ୟଙ୍କ ଉପସ୍ଥିତି ହିଁ ଆମମାନଙ୍କୁ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ରବିବାର ପ୍ରଶିକ୍ଷଣ ବେଳେ ଭାରତୀୟ ଦଳର ଖେଳାଳିମାନେ କହିଛନ୍ତି। ସର୍ବଭାରତୀୟ ଫୁଟ୍‌ବଲ୍‌ ସଂଘ (ଏଆଇଏଫ୍‌ଏଫ୍‌) ଆମମାନଙ୍କ ପରିବାର ସଦସ୍ୟଙ୍କୁ ଦିଲ୍ଲୀ ଆଣିବାର ଯୋଜନା କରିଥିଲା ବେଳେ ମ୍ୟାଚ୍‌ ବେଳେ ସେମାନଙ୍କୁ ଅତିଥି ଭାବେ ସତ୍କାର କରିବ ବୋଲି କହିଛି। ଯାହାକି ପରିବାର ସଦସ୍ୟ ଆମ ମ୍ୟାଚ୍‌ ଉପଭୋଗ କରିପାରିବେ।ଲି ସର୍ବଭାରତୀୟ ସଂଘର ଏହି ଯୋଜନା ସଂପର୍କରେ ଶୁଣିବା ପରେ ପ୍ରତି ଖେଳାଳି ଉତ୍ସାହିତ ହୋଇପଡ଼ିଛନ୍ତି। କିଛି ଖେଳାଳିଙ୍କ ପରିବାର ସଦସ୍ୟ ମଧ୍ୟ ଦିଲ୍ଲୀ ଆସିବା ଆରମ୍ଭ କରିଦେଲେଣି। ମ୍ୟାଚ୍‌ ବେଳେ ପରିବାର ସଦସ୍ୟଙ୍କ ଉପସ୍ଥିତି ହିଁ ଆମମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପ୍ରେରିତ କରିବ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ଅମରଜିତ୍‌ ସିଂହ। ପୂର୍ବରୁ ୨୦୧୫ ସେପ୍ଟେମ୍ବରରେ ଗୋଆରେ ଆୟୋଜିତ ଏଏଫ୍‌ସି ୧୬ ବର୍ଷରୁ କମ୍‌ ପ୍ରତିଯୋଗିତା ବେଳେ ମଧ୍ୟ ଏଆଇଏଫ୍‌ଏଫ୍‌ ଆମ ପରିବାର ସଦସ୍ୟଙ୍କୁ ଆତିଥ୍ୟ ଦେଇଥିଲା। ଯାହାକି ଆମ ପାଇଁ ସ୍ୱରଣୀୟ ହୋଇ ରହିଛି ବୋଲି ଅମରଜିତ୍‌ କହିଛନ୍ତି। କୌଣସି ବିଶ୍ୱକପ୍‌ ବେଳେ ପରିବାର ସଦସ୍ୟ ମ୍ୟାଚ୍‌ ଉପଭୋଗ କରୁଥିଲା ବେଳେ ତାହା ଆମଙ୍କୁ ଅଧିକ ଉତ୍ସାହିତ କରିଥାଏ ବୋଲି କହିଛନ୍ତି ମହାରାଷ୍ଟ୍ର ଖେଳାଳି ଅଙ୍କିତ ଯାଦବ। ଅନ୍ୟପକ୍ଷରେ ପରିବାର ସଦସ୍ୟଙ୍କୁ ଅତିଥି ଭାବେ ପଡ଼ିଆରେ ମ୍ୟାଚ୍‌ ଦେଖିବା ପାଇଁ ଏଆଇଏଫ୍‌ଏଫ୍‌ର ଯୋଜନା ଆମ ପାଇଁ ଦୀପାବଳି ଉପହାର ବୋଲି କହିଛନ୍ତି ବେଙ୍ଗାଲୁରୁ ଖେଳାଳି ସଞ୍ଜୀବ ଷ୍ଟାଲିନ୍‌। ଏନେଇ ସେ ମଧ୍ୟ ଏଏଫ୍‌ସି ୧୬ ବର୍ଷରୁ କମ୍‌ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ର ଅବତାରଣା କରିଥିଲେ। ମଣିପୁରର ମହମ୍ମଦ ଶାହାଜାହାନ କହିବା କଥା ହେଲା ପରିବାର ସଦସ୍ୟ ଅତି ପାଖରୁ ଆମ ମ୍ୟାଚ୍‌ ଦେଖିବାର ଯୋଜନା ମୋ ପାଇଁ ଉପନ୍ୟାସର ଅବତାରଣ ଭଳି ଲାଗୁଛି। ମୁଁ ଏଏଫ୍‌ସି ୧୬ ବର୍ଷରୁ କମ୍‌ ପ୍ରତିଯୋଗିତାରେ ଦଳର ସଦସ୍ୟ ନଥିଲି। ହେଲେ ସାଥୀ ଖେଳାଳିଙ୍କଠାରୁ ଶୁଣିବାକୁ ପାଇଥିଲି ଯେ ସେମାନଙ୍କ ପରିବାର ସଦସ୍ୟ ଅତିଥି ଭାବେ ପଡ଼ିଆରେ ମ୍ୟାଚ୍‌ ଦେଖିଥିଲେ। ଏବେ ଆସନ୍ତା ୬ ତାରିଖରେ ଯେତେବେଳେ ମୁଁ ପଡ଼ିଆରେ ପାଦ ଦେବି ସେତେ ବେଳେ ମୋର ଅଭିଭାବକ ମୋ ପାଇଁ ପ୍ରେରଣାର ଉତ୍ସ ହେବେ ବୋଲି ଶାହାଜାହାନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର