ଫିଫାର ଶ୍ରେଷ୍ଠ ଖେଳାଳି ଦୌଡ଼ରେ ରୋନାଲ୍‌ଡୋ, ମେସି, ଏମ୍‌ବାପେ

ଲଣ୍ଡନ୍‌: ବିଶ୍ୱକପ୍‌ ପରେ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଫିଫା ମଙ୍ଗଳବାର ୧୦ ଜଣିଆ ସଂକ୍ଷିପ୍ତ ତାଲିକା ଘୋଷଣା କରିଛି। କ୍ରିଷ୍ଟିଆନୋ ରୋନାଲ୍‌ଡୋ ଏବଂ ଲିଓନେଲ୍‌ ମେସିଙ୍କ ଭଳି ନିୟମିତ ଖେଳାଳିଙ୍କ ସହିତ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ବିଶ୍ୱକପ୍‌ ବିଜେତା ଫ୍ରାନ୍‌ସ ଦଳର ଯୁବ ଖେଳାଳି କିଲିଆନ୍‌ ଏମ୍‌ବାପେ। ରୋନାଲ୍‌ଡୋ ବିଗତ ୨ ବର୍ଷ ଏହି ପୁରସ୍କାର ଜିତି ଆସିଛନ୍ତି। ରିୟଲ୍‌ ମାଦ୍ରିଦ୍‌କୁ ଲଗାତାର ୩ ଥର ଚାମ୍ପିଅନ୍‌ସ ଲିଗ୍‌ ବିଜେତା କରାଇବା ପରେ ଚଳିତ ଋତୁ ଶେଷ ଭାଗକୁ ସେ ଜୁଭେଣ୍ଟସ୍‌ ସହ ଚୁକ୍ତିବଦ୍ଧ ହୋଇଛନ୍ତି। ସେହିଭଳି ଆର୍ଜେଣ୍ଟିନା ଫରଓ୍ଵାର୍ଡ ମେସି ଗୋଲ୍‌ ସ୍କୋରିଂ ତାଲିକାରେ ସର୍ବାଧିକ ୩୪ ଗୋଲ୍‌ ଦେବା ସହିତ ବାର୍ସିଲୋନାକୁ ବିଗତ ୪ ଋତୁରେ ଲା ଲିଗା ଟ୍ରଫି ଦେଇଛନ୍ତି। ଅନ୍ୟପକ୍ଷରେ ପିଏସ୍‌ଜିର ତ୍ରିମୁକୁଟ ସଫଳତା ସହିତ ଫ୍ରାନ୍‌ସକୁ ବିଶ୍ୱକପ୍‌ ବିଜେତା କରାଇଥିବା ୧୯ ବର୍ଷୀୟ କିଲିଆନ୍‌ ଏମ୍‌ବାପେ ଏବେ ଉଦିତ ସୂର୍ଯ୍ୟ ପାଲଟିଛନ୍ତି। ବିଶ୍ୱକପ୍‌ ଫାଇନାଲ୍‌ରେ ଗୋଲ୍‌ ଦେବାରେ ପେଲେଙ୍କ ପରେ ଦ୍ୱିତୀୟ ସ୍ୱଳ୍ପବୟସ ଖେଳାଳି ହୋଇଥିଲେ। ଏହି ତାଲିକାରେ ତାଙ୍କ ଦଳୀୟ ସାଥୀ ଆଣ୍ଟୋନି ଗ୍ରିଜ୍‌ମ୍ୟାନ୍‌ ଏବଂ ରାଫାଲ୍‌ ଭରାନେଙ୍କ ସହ କେଭିନ୍‌ ଡି ବ୍ରୁଇନ୍‌, ଇଡେନ୍‌ ହାଜାର୍ଡ, ହ୍ୟାରି କେନ୍‌, ଲୁକା ମୋଡ୍ରିକ୍‌, ମହମ୍ମଦ ସଲ୍ଲାହ ରହିଛନ୍ତି। ଶ୍ରେଷ୍ଠ ପ୍ରଶିକ୍ଷକ ଦୌଡ଼ରେ ଫ୍ରାନ୍‌ସ ପ୍ରଶିକ୍ଷକ ଦିଦିଏର୍‌ ଦେଶଚାମ୍ପ୍‌ସ, ରିୟଲ୍‌ ମାଡ୍ରିଡ୍‌ର ଜିନେଦିନ୍‌ ଜିଦାନ୍‌, ଇଂଲଣ୍ଡର ଗ୍ୟାରେଥ୍‌ ସାଉଥ୍‌ଗେଟ୍‌ ଆଗୁଆ ରହିଛନ୍ତି।

ସମ୍ବନ୍ଧିତ ଖବର