ଭୁବନେଶ୍ୱର: ବିଶ୍ୱକପ୍ ପଦାର୍ପଣରୁ ଶୁଭମ ଷଡ଼ଙ୍ଗୀ ବଞ୍ଚିତ ହୋଇଥିଲେ ମଧ୍ୟ ଫିଫା ବିଶ୍ୱକପରେ ଓଡ଼ିଆଙ୍କ ସମ୍ପୃକ୍ତି ଅତୁଟ ରହିଛି। ଭୁବନେଶ୍ୱରର ସ୍କୁଲ୍ ଫୁଟ୍ବଲର୍ ବବୁଲ ସାଣ୍ଡିଲ୍ ‘ମିଶନ୍ ୧୧ ମିଲିୟନ’ ଅଭିଯାନରେ ସାମିଲ ହୋଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସମ୍ମାନିତ ହେବା ରାଜ୍ୟ ପାଇଁ ଖୁସୀର କାରଣ ହୋଇଛି। ଭୁବନେଶ୍ୱରରେ ଜୁଲାଇ ୨୨ ତାରିଖରେ ଅନୁଷ୍ଠିତ ମିଶନ୍ ୧୧ ମିଲିଅନ ଅଭିଯାନରେ ବବୁଲ୍ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ତେବେ ଦେଶବ୍ୟାପୀ ଚାଲିଥିବା ଏହି ଅଭିଯାନରେ ବବୁଲ୍ ଦ୍ୱିତୀୟ ମିଲିଅନ୍ ଦଳରୁ ମନୋନୀତ ହୋଇ ଶୁକ୍ରବାର ନୂଆଦିଲ୍ଲୀର ଜବାହରଲାଲ୍ ନେହେରୁ ଷ୍ଟାଡିୟମ୍ରେ ଖେଳାଯାଇଥିବା ଭାରତ-ଆମେରିକା ମ୍ୟାଚ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସମ୍ମାନସୂଚକ ‘ବିଶ୍ୱକପ୍ ବଲ୍’ ଗ୍ରହଣ କରିଥିଲେ। ମୋଟ ୧୧ ଜଣ ଏହି ସୁଯୋଗ ପାଇଥିବାବେଳେ ବବୁଲ୍ ଏକମାତ୍ର ଓଡ଼ିଆ ଭାବେ ରାଜ୍ୟର ଗୌରବ ବଢ଼ାଇଥିଲେ। ଭୁବନେଶ୍ୱର ଆଇଆରସି ଭିଲେଜ୍ ବାଳକ ହାଇସ୍କୁଲ୍ର ଦଶମ ଶ୍ରେଣୀ ଛାତ୍ର ବବୁଲ୍ ଏବେ ଉପକୂଳ ଆଦିବାସୀ ସମ୍ପ୍ରଦାୟ ପାଇଁ ପ୍ରେରଣାର ଉତ୍ସ ହେବାକୁ ଯାଉଛନ୍ତି। ବିଭିନ୍ନ ରାଜ୍ୟସ୍ତରୀୟ ଫୁଟ୍ବଲ୍ ପ୍ରତିଯୋଗିତାରେ ସେ ନିଜ ସ୍କୁଲ୍ର ସୁନାମ ଆଣି ସାରିଥିଲେ।
ଯାଜପୁର ଜିଲ୍ଳାରୁ ଆସିଥିବା ଲକ୍ଷ୍ମଣ ସାନ୍ଦିଲ୍ ଓ ଗୀତା ସାନ୍ଦିଲଙ୍କ ୪ ସନ୍ତାନ ମଧ୍ୟରୁ ବବୁଲ୍ ଅନ୍ୟତମ। କାମ ସନ୍ଧାନରେ ଲକ୍ଷ୍ମଣଙ୍କ ପରିବାର ଭୁବନେଶ୍ୱର ଚାଲି ଆସିଥିବାବେଳେ ବବୁଲ ଏବ ବଡ଼ ପାଦ ବଢ଼ାଇଛନ୍ତି ଖେଳ ଦୁନିଆରେ ପ୍ରବେଶ କରି। ଆର୍ଥିକ ଅନଟନ ଓ ସଙ୍କଟ ଭିତରେ ନିଜକୁ ଦୌଡ଼କୁଦ, ଫୁଟ୍ବଲ୍ ଏବଂ କବାଡ଼ି ଦୁନିଆରେ ବବୁଲ୍ ସାମିଲ କରିଥିଲେ। ପାଠ ପଢ଼ାରେ ମଧ୍ୟ ବବୁଲ୍ ଏତେ ଖରାପ ନୁହନ୍ତି। ଏହି ଚମତ୍କାର କ୍ରୀଡ଼ା ପ୍ରତିଭା ଏବେ ଫୁଟିବା ଅପେକ୍ଷାରେ ଅଛନ୍ତି। ବବୁଲଙ୍କ ସହିତ ତାଙ୍କ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅଶୋକ ପାତ୍ର ମଧ୍ୟ ନୂଆଦିଲ୍ଲୀ ଗସ୍ତ କରି ଏହି ସ୍ମରଣୀୟ ମୁହୂର୍ତର ଅଂଶୀଦାର ହୋଇଥିଲେ।
୨୭,୦୦୦ ବିଦ୍ୟାଳୟ ପିଲାଙ୍କୁ ବଣ୍ଟାଗଲା ଟିକେଟ୍
ନୂଆଦିଲ୍ଲୀ: ଫିଫା ୧୭ ବର୍ଷରୁ କମ୍ ବିଶ୍ୱକପ୍ର ଶୁକ୍ରବାର ନୂଆଦିଲ୍ଲୀରେ ଖେଳା ଯାଇଥିବା ଭାରତ-ଆମେରିକା ମ୍ୟାଚ୍ର ୨୭,୦୦୦ ଟିକେଟ୍ ବିଦ୍ୟାଳୟର ପିଲାଙ୍କୁ ବଣ୍ଟାଯାଇଥିଲା। ଉଦ୍ଘାଟନୀ ମ୍ୟାଚ୍ ଭାରତର ରାଜଧାନୀରେ ଆୟୋଜନ କରିବା ଲାଗି କ୍ରୀଡ଼ା ମନ୍ତ୍ରଳାୟ ପକ୍ଷରୁ ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍)କୁ ଅନୁରୋଧ ପରେ ନଭି ମୁମ୍ବାଇରୁ ନୂଆଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଥିଲା। କିନ୍ତୁ ପୂର୍ବ ଅଭିଜ୍ଞତା ଅନୁସାରେ ନୂଆଦିଲ୍ଲୀରେ ଫୁଟ୍ବଲ୍ ମ୍ୟାଚ୍ ଦେଖିବାକୁ ଅଧିକ ଦର୍ଶକ ହୋଇ ନଥାନ୍ତି। ଏହାକୁ ନଜରରେ ରଖି ଏଆଇଏଫ୍ଏଫ୍ ଟିକେଟରେ ରିହାତି ଦେବା ସାଙ୍ଗକୁ ସ୍ଥାନୀୟ ଏବଂ ଆଖପାଖର ୫୦୦ ବିଦ୍ୟାଳୟକୁ ୨୭,୦୦୦ ଟିକେଟ୍ ବାଣ୍ଟିଥିଲା।