ନୂଆଦିଲ୍ଲୀ: ଭାରତୀୟ ଫୁଟ୍ବଲ୍ ଦଳ ଫିଫା ୧୭ ବର୍ଷରୁ କମ୍ ବିଶ୍ୱକପ୍ ଖେଳି ଶୁକ୍ରବାର ଇତିହାସ ରଚିଛି। ପ୍ରଥମ ଥର ପାଇଁ ନିଜ ଦେଶରେ ଆୟୋଜିତ ବିଶ୍ୱକପ୍ ଖେଳି ଭାରତୀୟ ଖେଳାଳିମାନେ ମଧ୍ୟ ଉତ୍ଫୁଲିତ ହୋଇପଡ଼ିଛନ୍ତି। ଏହି ବିଶ୍ୱକପ୍ ଉଦ୍ଘାଟନୀ ଦିବସରେ ସ୍ଥାନୀୟ ଜବାହରଲାଲ୍ ନେହରୁ ଷ୍ଟାଡିୟମ୍ରେ ଆମେରିକା ସହ ଖେଳି ଭାରତ ତା’ର ଅଭିଯାନ ଆରମ୍ଭ କରିଛି। ଆଉ ଭାରତର ଏହି ଐତିହାସିକ ମୁହୂର୍ତ୍ତକୁ ଷ୍ଟାଡିୟମ୍ରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ୍ ଉପଭୋଗ କରିଛନ୍ତି। ମ୍ୟାଚ୍ ଆରମ୍ଭରୁ ପ୍ରଧାନମନ୍ତ୍ରୀ ଉଭୟ ଭାରତ ଓ ଆମେରିକା ଦଳର ଖେଳାଳିମାନଙ୍କ ସହ ପରିଚିତ ହୋଇ ଶୁଭେଚ୍ଛା ଜଣାଇଥିଲେ। ଏଠାରେ ଖେଳାଯାଇଥିବା ଘାନା ଓ କଲମ୍ବିଆ ଉଦ୍ଘାଟନୀ ମ୍ୟାଚ୍ ପରେ ପରେ ପ୍ରଧାନମନ୍ତ୍ରୀ ଷ୍ଟାଡିୟମ୍କୁ ପ୍ରବେଶ କରିଥିଲେ। ସେ ଭିଆଇପି ମଞ୍ଚରୁ ପଡ଼ିଆ ଭିତରକୁ ଆସି ଖେଳାଳିମାନଙ୍କ ସହ କରମର୍ଦନ କରିଥିଲେ। ଏହି ସମୟରେ ଜାତୀୟ ସଂଗୀତ ଗାନ ବେଳେ ପ୍ରଧାନମନ୍ତ୍ରୀ ଠିଆ ହୋଇ ରହିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର, ଫିଫା ମହାସଚିବ ଫତ୍ମା ସମ୍ବା ଡିଉଫ୍ ସାମୌରା, ଏସୀୟ ଫୁଟ୍ବଲ୍ ମହାସଂଘ ସଭାପତି ଶେଖ୍ ସଲ୍ମନ ଇବ୍ରାହିମ୍ ଅଲ୍ ଖଲିଫା ଏବଂ ସର୍ବଭାରତୀୟ ଫୁଟ୍ବଲ୍ ସଂଘର ମୁଖ୍ୟ ପ୍ରଫୁଲ୍ଲ ପଟେଲ ଉପସ୍ଥିତ ଥିଲେ। ଭାରତ ପ୍ରଥମ ଥର ଲାଗି ଏଭଳି ଏକ ବୃହତ୍ ପ୍ରତିଯୋଗିତା ତଥା ବିଶ୍ୱକପ୍ ଆୟୋଜନ କରୁଥିବା ଦେଶ ପାଇଁ ଗର୍ବର କଥା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଫୁଟ୍ବଲ୍ କିମ୍ବଦନ୍ତୀ ତଥା ଦେଶର ପ୍ରଥମ ଅଧିନାୟକ ପିକେ ବାନାର୍ଜୀ (ହୁଇଲ୍ ଚେୟାରରେ ଆସିଥିଲେ), ଦ୍ୱିତୀୟ ଅଧିନାୟକ ସୟଦ୍ ନୟିମୁଦ୍ଦିନ୍, ତୃତୀୟ ଅଧିନାୟକ ଭାସ୍କର ଗାଙ୍ଗୁଲି, ଚତୁର୍ଥ ଅଧିନାୟକ ଆଇଏମ୍ ବିଜୟନ୍, ପଞ୍ଚମ ଅଧିନାୟକ ବାଇଚୁଙ୍ଗ୍ ଭୂତିଆ, ଷଷ୍ଠ ଅଧିନାୟକ ମଦନ ସିଂହ, ସପ୍ତମ ଅଧିନାୟକ ସୁନୀଲ ଛେତ୍ରୀ ଓ ବେମ୍ବେମ୍ ଦେବୀଙ୍କୁ ସମ୍ବର୍ଧିତ କରିଥିଲେ। ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ସାଲ୍ ଓ ସ୍ମୃତିଫଳକ ଉପହାର ଦେଇଥିଲେ। ଏହି ସମ୍ବର୍ଧିତ ତାଲିକାରେ ଚୁନି ଗୋସ୍ୱାମୀଙ୍କ ନାମ ଥିଲେ ମଧ୍ୟ ସେ ଅନୁପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଅବସରରେ ମିସନ୍ ଇଲେଭେନ୍ ମିଲିୟନ୍ ଯୋଜନା ଅନ୍ତର୍ଗତ ଯୁବ ତାରକାମାନଙ୍କୁ ବଲ୍ ଉପହାର ପ୍ରଦାନ କରିଥିଲେ। ଏହି ବିଶ୍ୱକପ୍ ପାଇଁ କେନ୍ଦ୍ର ସରକାର ୧୨୦ କୋଟି ଟଙ୍କା ଖର୍ଚ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ।
ସ୍ମରଣୀୟ ମୁହୂର୍ତ୍ତକୁ ଉପଭୋଗ କଲେ ପ୍ରଧାନମନ୍ତ୍ରୀ
/sambad/media/post_attachments/wp-content/uploads/2017/10/19-Pk-Banarjee.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)