ନୂଆଦିଲ୍ଲୀ : ଭାରତର ତିନିଟି ଭେନ୍ୟୁ (ଭୁବନେଶ୍ବର, ଗୋଆ ଓ ନଭି ମୁମ୍ବାଇ)ରେ ଚଳିତ ବର୍ଷ ଅକ୍ଟୋବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ପାଇଁ ଶୁକ୍ରବାର ଡ୍ର’ ଉଠାଣ ହୋଇଛି। ଏଥିରେ ଆୟୋଜକ ଭାରତ କଷ୍ଟସାଧ୍ୟ ଗ୍ରୁପ୍ରେ ସ୍ଥାନ ପାଇଛି। ଭାରତ ଗ୍ରୁପ୍-ଏ’ରେ ଫୁଟ୍ବଲ ମହାଶକ୍ତି ବ୍ରାଜିଲ, ମରକ୍କୋ ଏବଂ ଆମେରିକା ସହ ରହିଛି। ଏହି ବିଶ୍ବକପ୍ରେ ୧୬ ଦଳ ୪ଟି ଗ୍ରୁପ୍ରେ ବିଭକ୍ତ ହୋଇଛନ୍ତି। ଅକ୍ଟୋବର ୧୧ ତାରିଖରେ ଭାରତ ତା’ର ପ୍ରଥମ ମ୍ୟାଚ୍ ଆମେରିକା ସହ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଖେଳିବ। ସମାନ ଭେନ୍ୟୁରେ ଅକ୍ଟୋବର ୧୪ ତାରିଖ ଦିନ ମରକ୍କୋ ସହ ଦ୍ବିତୀୟ ମ୍ୟାଚ୍ ଖେଳିବା ପରେ ୧୭ ତାରିଖରେ ତୃତୀୟ ତଥା ଅନ୍ତିମ ଗ୍ରୁପ୍ ମ୍ୟାଚ୍ରେ ବ୍ରାଜିଲକୁ ଭେଟିବ। ଏହି ବିଶ୍ବକପ୍ର ୨୦୨୦ ସଂସ୍କରଣକୁ ଭାରତ ଆୟୋଜନ ଅଧିକାର ପାଇଥିଲା। ହେଲେ କୋଭିଡ୍ ମହାମାରୀ ପାଇଁ ପ୍ରତିଯୋଗିତା ବାତିଲ ହୋଇଯାଇଥିଲା।
ତେବେ ଆଗାମୀ ବିଶ୍ବକପ୍ ପାଇଁ ବିଜେତା ସ୍ପେନ୍ ସାଙ୍ଗକୁ କଲମ୍ବିଆ, ଚୀନ୍ ଓ ମେକ୍ସିକୋ ଗ୍ରୁପ୍-ସି’ରେ ରହିଛି। ସ୍ପେନ୍ ଗତ ୨୦୧୮ ସଂସ୍କରଣ ଫାଇନାଲ୍ରେ ମେକ୍ସିକୋକୁ ପରାସ୍ତ କରି ବିଶ୍ବ ବିଜେତା ହୋଇଥିଲା। ତେବେ ବିଶ୍ବକପ୍ ଇତିହାସରେ ସର୍ବାଧିକ ସଫଳ ଦଳ ରହିଛି ଉତ୍ତର କୋରିଆ। ଏହି ଦଳ ୨୦୦୮ ଏବଂ ୨୦୧୬ରେ ଟ୍ରଫି ଜିତିଥିଲା। ଅନ୍ୟମାନଙ୍କ ମଧ୍ୟରେ ଜାପାନ, ଦକ୍ଷିଣ କୋରିଆ ଓ ଫ୍ରାନ୍ସ ଥରେ ଲେଖାଏଁ ବିଶ୍ବକପ୍ ଜିତିଛନ୍ତି।
ଶୁକ୍ରବାର ଡ୍ର’ ଉଠାଣ ଉତ୍ସବରେ ଆୟୋଜକଙ୍କ ପକ୍ଷରୁ ମୋଲି କିମିତା, ପୂର୍ବତନ ଆମେରିକା ଜାତୀୟ ଦଳର ଖେଳାଳି ଏବଂ ଫିଫା ମହିଳା ବିଶ୍ବକପ୍ ବିଜୟିନୀ ହିଦର ଓ’ରିଲି, ପୂର୍ବତନ ନ୍ୟୁଜିଲାଣ୍ଡ ଜାତୀୟ ଦଳ ପ୍ରଶିକ୍ଷକ ରିକି ହର୍ବର୍ଟ, ଫିଫାର ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଜାମି ୟାର୍ଜା ଏବଂ ଫିଫାର ମୁଖ୍ୟ ମହିଳା ଫୁଟ୍ବଲ ଅଧିକାରୀ ସରାଇ ବାରେମନ ଉପସ୍ଥିତ ଥିଲେ।