ଅକ୍ଲାଣ୍ଡ: ଫିଫା ମହିଳା ବିଶ୍ବକପ୍ ଗୁରୁବାରଠୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ସହ ଆୟୋଜକ ନ୍ୟୁଜିଲାଣ୍ଡ ୪୨,୦୦୦ରୁ ଊର୍ଦ୍ଧ୍ବ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଐତିହାସକ ସଫଳତା ପାଇଛି। ଅନ୍ୟତମ ଆୟୋଜକ ଦଳ ୧-୦ ଗୋଲ୍ରେ ପୂର୍ବତନ ବିଜେତା ନରୱେକୁ ପରାସ୍ତ କରି ବିଶ୍ବକପ୍ ଇତିହାସରେ ପ୍ରଥମ ବିଜୟ ପାଇଛି। ପୂର୍ବରୁ ୫ ଥର ବିଶ୍ବକପ୍ରେ ୧୫ ମ୍ୟାଚ୍ ଖେଳିଥିଲେ ମଧ୍ୟ ବିଜୟ ଶୂନ୍ୟ ରହିଥିଲା ନ୍ୟୁଜିଲାଣ୍ଡ। ଗୁରୁବାର ମ୍ୟାଚ୍ର ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟରେ ସରିଥିଲା। ଦ୍ବିତୀୟାର୍ଦ୍ଧର ଆରମ୍ଭରୁ ହାନ୍ନା ୱିଲକିନସନ (୪୮ ମିନିଟ୍) ଘରୋଇ ଦଳ ଅଗ୍ରଣୀ ନେଇଥିଲା। ଏହାପରେ ଆଉ ଗୋଲ୍ ନ ହେବାରୁ ନ୍ୟୁଜିଲାଣ୍ଡ ବିଶ୍ବକପ୍ରେ ପ୍ରଥମ ବିଜୟ ସ୍ବାଦ ପାଇଥିଲା। ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆ ସହ ମିଶି ନ୍ୟୁଜିଲାଣ୍ଡ ୩୨ ରାଷ୍ଟ୍ରୀୟ ଏହି ପ୍ରତିଯୋଗିତାର ଆୟୋଜନ କରୁଛି। ଗୁରୁବାର ଖେଳାଯାଇଥିବା ଅନ୍ୟଏକ ମ୍ୟାଚ୍ରେ ଯୁଗ୍ମ ଆୟୋଜକ ଅଷ୍ଟ୍ରେଲିଆ ୧-୦ ଗୋଲ୍ରେ ରିପବ୍ଲିକ୍ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା।
ଅକ୍ଲାଣ୍ଡରେ ବିଶ୍ବକପ୍ ଉଦ୍ଘାଟନୀ ଦିବସର ସକାଳେ ଗୁଳି ଚାଳନରେ ଦୁଇ ଜଣ ସାଧାରଣ ନାଗରିକଙ୍କ ସହ ଜଣେ ବନ୍ଧୁକଧାରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଖେଳାଳିମାନେ ରହୁଥିବା ହୋଟେଲ ନିକଟରେ ଘଟିଥିଲା। ଏହାପରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଉଦ୍ଘାଟନୀ ଉତ୍ସବ ଏବଂ ମ୍ୟାଚ୍ ଖେଳାଯାଇଥିଲା। ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିସ ହିପ୍କିନ୍ସ ଏବଂ ଫିଫା ସଭାପତି ଜିଆନି ଇନ୍ଫାଣ୍ଟିନୋ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/65465gd4j65gddjggjjgjg.jpg)