କ୍ୱାର୍ଟରରେ ବ୍ରାଜିଲ, ବେଲ୍‌ଜିୟମ୍‌ : ଶେଷ ମିନିଟ୍‌ରେ ହାରିଲା ଜାପାନ

ରସ୍ତନ ଅନ୍‌ ଡନ୍‌ : ଚଳିତ ଫିଫା ବିଶ୍ୱକପ୍‌ରେ ଏସୀୟ ଦଳ ଜାପାନକୁ ନାଟକୀୟ ଭାବେ ଶେଷ ମୁହୂର୍ତ ଗୋଲ୍‌ ବଳରେ ୩-୨ରେ ହରାଇ ବେଲ୍‌ଜିୟମ୍‌ କ୍ୱାର୍ଟରଫାଇନାଲ୍‌ରେ ସ୍ଥାନ ପକ୍କା କରିନେଇଛି। ସୋମବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଜାପାନ ୬୯ତମ ମିନିଟ୍‌ ପର୍ଯ୍ୟନ୍ତ ୨-୦ରେ ଆଗୁଆ ରହିଥିଲେ ମଧ୍ୟ ୟୁରୋପୀୟ ଦେଶ ବେଲ୍‌ଜିୟମ୍‌ ୯୪ତମ ତଥା ଶେଷ ମିନିଟ୍‌ ଗୋଲ୍‌ରେ ବିଜୟ ଛଡ଼ାଇ ନେଇଥିଲା। କ୍ୱାର୍ଟର ଫାଇନାଲ୍‌ରେ ଶୁକ୍ରବାର ନିଝନି ଷ୍ଟାଡିୟମ୍‌ରେ ବ୍ରାଜିଲକୁ ଭେଟିବ ବେଲ୍‌ଜିୟମ୍‌।

ରାସ୍ତଭ୍‌ ଆରେନାରେ ଖେଳାଯାଇଥିବା ଏହି ମ୍ୟାଚ୍‌ ପ୍ରଥମାର୍ଧରେ ଗୋଲଶୂନ୍ୟ ରହିଥିଲା। ବେଲ୍‌ଜିୟମ୍‌ ଭଲ ଖେଳିଥିଲେ ମଧ୍ୟ ଗୋଲ୍‌ ଅର୍ଜନରେ ବିଫଳ ରହିଥିଲା। ଲୁକାକୁ, ହାଜାର୍ଡ ଏବଂ କୋମ୍ପାନିଙ୍କୁ ପ୍ରଥମରୁ ଖେଳାଇଥିବା ବେଲ୍‌ଜିୟମ୍‌ ଜାପାନର ରକ୍ଷଣଭାଗକୁ ଭେଦିବାରେ ସକ୍ଷମ ହୋଇନଥିଲା। ପାନାମା ବିପକ୍ଷ ପ୍ରଥମାର୍ଧ ଭଳି ଦଳ ମଧ୍ୟ ସୁଯୋଗ ବନାଇ ପାରିନଥିଲା। ପ୍ରଥମାର୍ଧ ଶେଷ ଆଡ଼କୁ ଜାପାନ ମଧ୍ୟ ନିଜ ରକ୍ଷଣଭାଗକୁ ଦୃଢ଼ ରଖିବାକୁ ପଛୁଆ ହୋଇଯାଇଥିଲା। ଦ୍ୱିତୀୟାର୍ଧ କିନ୍ତୁ ରୋମାଞ୍ଚଭରା ଥିଲା। ପ୍ରାରମ୍ଭରୁ ହିଁ ଜାପାନ ଦୁଇ ଦୁଇଟି ଗୋଲ୍‌ ଦେଇ ବେଲ୍‌ଜିୟମ୍‌କୁ ପ୍ରବଳ ଚାପରେ ପକାଇ ଦେଇଥିଲା। ୪୮ତମ ମନିିଟ୍‌ରେ ବେଲ୍‌ଜିୟମ୍‌ ଗୋଲ୍‌ରକ୍ଷକ ତିବୌତ୍‌ କୋର୍ଟଇସ୍‌ଙ୍କୁ ବୋକା ମନାଇ ଦେଇଥିଲେ ଜେନ୍‌କି ହାରାଗୁଚି। ଜାନ୍‌ ଭେର୍ଟୋପେନ୍‌ ଏକ ବଲ୍‌କୁ କାଟିବାରେ ବିଫଳ ହେବା ପରେ ହାରାଗୁଚି ଗୋଲ୍‌ମୁହଁର ଉପର କର୍ନର ଦେଇ ଗୋଲ୍‌ଟି କରିଥିଲେ। ୪ ମିନିଟ୍‌ ପରେ କିନ୍ତୁ ଏକ ଚମତ୍କାର ଗୋଲ୍‌ ଦେଖିଲେ ଦର୍ଶକ। ଲୁକା ମୋଡ୍ରିକ୍‌ ଷ୍ଟାଇଲ୍‌ରେ ୨୫ ଗଜ ଦୂରରୁ ତାକାସି ଇନୁଇ ଗୋଲ୍‌ ଦେଇ ଜାପାନକୁ ୨-୦ରେ ଆଗୁଆ କରାଇ ନେଇଥିଲେ। ବେଲଜିୟମ୍‌ କିନ୍ତୁ ଇନୁଇଙ୍କୁ ଏହି ଗୋଲ୍‌ ଦେବାକୁ ଯଥେଷ୍ଟ ସମୟ ଦେବାର ଫଳ ଭୋଗିଥିଲା। ପ୍ରବଳ ଚାପ ସତ୍ତ୍ୱେ ବେଲ୍‌ଜିୟମ୍‌ ଅଧିକ ଆକ୍ରାମକ ଖେଳିଥିଲା। ୬୯ତମ ମିନିଟ୍‌ୟରେ ଜାନ୍‌ ଭେର୍ଟୋପେନ୍‌ଙ୍କ ହେଡର୍‌ ବେଲ୍‌ଜିୟମ୍‌କୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲା। ୫ ମିନିଟ୍‌ ପରେ ବଦଳ ଖେଳାଳି ମାରୁଇ ଫେଲାନିଙ୍କ ଗୋଲ୍‌ରେ ଜାପାନ ଚକମା ଖାଇଯାଇଥିଲା ଏବଂ ମ୍ୟାଚ୍‌ ୨-୨ ସମତୁଲ ସ୍ତରକୁ ଆସିଯାଇଥିଲା। ଏହା ପରେ ମ୍ୟାଚ୍‌ରେ ଏକାଧିକ ସଂଘର୍ଷପୂର୍ଣ୍ଣ ମୁହୂର୍ତ ଆସିଥିଲା। ଜାପାନ ଗୋଲରକ୍ଷକ ଏକାଧିକ ଗୋଲ୍‌ ବଞ୍ଚାଇବା ଶେଷକୁ ବେକାର ଯାଇଥିଲା। ମ୍ୟାଚ୍‌ ହଠାତ୍‌ ଅତିରିକ୍ତ ସମୟକୁ ଯାଉଥିବାବେଳେ ଶେଷ ୪୦ ସେକେଣ୍ଡ୍‌ରେ ନିଜ ପାର୍ଶ୍ୱରୁ ବଲ୍‌ ନେଇ ବେଲ୍‌ଜିୟମ୍‌ ଗୋଲ୍‌ ଦେବା ଜାପାନକୁ ଏକ ପ୍ରକାର ଜାଳି ଦେଇଥିଲା। ୯+୪ ମିନିଟ୍‌ରେ ନାସିର୍‌ ଚାଦଲି ଦେଇଥିଲେ ଏହି ନିର୍ଣ୍ଣାୟକ ଗୋଲ୍‌। ୧୯୭୦ ମସିହା ପରେ ପ୍ରଥମ ଥର ଏକ ନକ୍‌ ଆଉଟ୍‌ ମ୍ୟାଚ୍‌ରେ ୦-୨ରେ ପଛୁଆ ଥିବା ଦଳ ୩-୨ରେ ଜିତିଯାଇଥିଲା। ୧୯୭୦ରେ ଜର୍ମାନି ୦-୨ରେ ପଛୁଆ ଥିଲେ ମଧ୍ୟ ଇଂଲଣ୍ଡକୁ ୩-୨ରେ ହରାଇ ଦେଇଥିଲା।

ଏସୀୟ ଆଶା ମଉଳିଯିବା ପରେ ବେଲ୍‌ଜିୟମ୍‌ ତୃତୀୟ ଥର ପାଇଁ କ୍ୱାର୍ଟରଫାଇନାଲ୍‌ ପହଞ୍ଚିଯାଇଥିଲା। ଲାଲବାହିନୀ ବେଲ୍‌ଜିୟମ୍‌ ପୂର୍ବରୁ ୧୯୮୬ ଏବଂ ୨୦୧୪ରେ କ୍ୱାର୍ଟରଫାଇନାଲ୍‌ ଉଠି ପାରିଥିଲା। ବେଲ୍‌ଜିୟମ୍‌ ଏବେ ବିଗତ ୨୩ ମ୍ୟାଚ୍‌ରେ ଅପରାଜିତ ରହି ଶୀର୍ଷ ୮ ବିଶ୍ୱକପ୍‌ ଦଳରେ ସାମିଲ ହୋଇଛି। ଫେୟାର ପ୍ଲେ ଆଧାରରେ ପ୍ରିକ୍ୱାର୍ଟରଫାଇନାଲ୍‌ ଆସିଥିବା ଜାପାନର ପ୍ରଥମ ଥର ପ୍ରିକ୍ୱାର୍ଟରଫାଇନାଲ୍‌ ସୀମା ଡେଇଁବା ଆଶା ସ୍ୱପରେ ରହିଗଲା। ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ସଂସ୍କରଣରେ ହିଁ ଜାପାନ ପ୍ରିକ୍ୱାର୍ଟରଫାଇନାଲ ଉଠି ପାରାଗୁଏଠୁ ହାରିଥିଲା।

ସମ୍ବନ୍ଧିତ ଖବର