ଫିଫା ବିଶ୍ୱ କପ୍‌ : ଜିତିଲା ଜର୍ମାନି

ସୋଚି : ଫିଫା ବିଶ୍ୱ କପ୍‌ର ଶନିବାର ବିଳମ୍ବିତ ରାତିରେ ଏକ ଉତ୍କଣ୍ଠାପୁର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିଲା। ଗ୍ରୁପ୍‌-ଏଫ୍‌ରେ ସ୍ୱିଡେନ୍‌ ଓ ଜର୍ମାନି ମଧ୍ୟରେ ଖେଳାଯାଇଥିଲା ଏହି ଅତି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌। ନିର୍ଧାରିତ ସମୟ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ହେଲେ ୫ ମିନିଟ୍‌ର ଷ୍ଟପେଜ୍‌ ସମୟରେ ହିଁ ସବୁକିଛି ଓଲଟପାଲଟ ହୋଇଗଲା। ଶେଷ କ୍ଷଣରେ ଜର୍ମାନିକୁ ମିଳିଥିଲା ଫ୍ରି-କିକ୍‌। ସ୍ୱିଡେନ୍‌ ବକ୍ସର ବାମପଟୁ ଟୋନି କ୍ରୁସ୍‌ ମାରିଥିବା ଚମତ୍କାର ସଟ୍‌ ଜର୍ମାନିକୁ ରୋମାଞ୍ଚକ ବିଜୟ ଭେଟି ଦେଇଥିଲା। ଟୋନିଙ୍କ କର୍ନର ସଟ୍‌କୁ ସ୍ୱିଡେନ୍‌ ଗୋଲ୍‌ରକ୍ଷକ ଅଟକାଇବାର କୌଣସି ସୁଯୋଗ ପାଇନଥିଲେ। ବଲ୍‌ ଗୋଲ୍‌ପୋଷ୍ଟର ବାମ କୋଣରେ ପଶି ଯାଇଥିଲା। ଏଥି ସହିତ ଜର୍ମାନି ୨-୧ ଗୋଲ୍‌ରେ ମ୍ୟାଚ୍‌ ଜିତି ନେଇଥିଲା। ଆଉ ଜର୍ମାନି ଶିବିରରେ ବିଜୟ ଉତ୍ସବ ପାଳନ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ମେକ୍ସିକୋଠୁ ୦-୧ ଗୋଲ୍‌ରେ ହାରି ଯାଇଥିବା ଜର୍ମାନି ନିଜର ଦ୍ୱିତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ପାଇଲା। ଆଉ ଏହି ବିଜୟ ସହ ଜର୍ମାନି ୪ ପଏଣ୍ଟ୍‌ ପାଇଁ ପ୍ରି-କ୍ୱାର୍ଟର ଫାଇନାଲ୍‌ ଦୌଡ଼ରେ ମଧ୍ୟ ରହିଲା। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ କୋରିଆକୁ ୧-୦ ଗୋଲ୍‌ରେ ହରାଇଥିବା ସ୍ୱିଡେନ୍‌ ପ୍ରଥମ ପରାଜୟ ବରଣ କରି ୩ ପଏଣ୍ଟ୍‌ରେ ଅଟକିିଗଲା। ଫଳରେ ପ୍ରି-କ୍ୱାର୍ଟର ଫାଇନାଲ୍‌ ଆଶଙ୍କାରେ ରହିଗଲା ଏହି ଦଳ। ଶନିବାର ପୂର୍ବରୁ ପ୍ରଥମାର୍ଧରେ ପଛୁଆ ରହିବା ପରେ ଜର୍ମାନି ତା’ର ଶେଷ ୮ ବିଶ୍ୱକପ୍‌ ମ୍ୟାଚ୍‌ରେ କେବେ ବି ଜିତିପାରିନଥିଲା। ଏଥି ମଧ୍ୟରେ ୩ଟିକୁ ଅମୀମାଂସିତ ରଖିଥିଲା ବେଳେ ୫ଟିରେ ପରାଜୟ ବରଣ କରିଥିଲା। କିନ୍ତୁ ଏହି ଧାରାକୁ ଚଳିତ ବିଶ୍ୱକପ୍‌ରେ ଭାଙ୍ଗିପାରିଲା।

ପ୍ରଥମ ମ୍ୟାଚ୍‌ ହାରି ଯାଇଥିବା ଜର୍ମାନି ପାଇଁ ପ୍ରି-କ୍ୱାର୍ଟର ଆଶା ଉଜ୍ଜୀବୀତ କରିବାକୁ ଶନିବାର ମୁକାବିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଉଭୟ ଦଳର ଛକାପନ୍‌ଝା ମଧ୍ୟରେ ମ୍ୟାଚ୍‌ର ୩୨ ମିନିଟ୍‌ ପର୍ଯ୍ୟନ୍ତ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। କେହି କାହାରିକୁ ଗୋଲ୍‌ ଦେଇପାରିନଥିଲେ। ହେଲେ ୩୨ ମିନିଟ୍‌ରେ ହିଁ ସ୍ୱିଡେନ୍‌ ଆଗେଇଗଲା। ଓଲା ଟୋଇଭୋନେନ୍‌ ଚମତ୍କାର ଢଙ୍ଗରେ ଗୋଲ୍‌ କରି ସ୍ୱିଡେନ୍‌କୁ ଆଗେଇ ନେଲେ। ବକ୍ସ ଭିତରେ ବଲ୍‌କୁ ନିଜ ଛାତିରେ ଅଟକାଇଦେବା ପରେ ଜର୍ମାନି ଗୋଲ୍‌ରକ୍ଷକ ମାନୁଏଲ୍‌ ନିଉର୍‌ଙ୍କ ଉପର ଦେଇ ସଟ୍‌ ମାରିଥିଲେ। ଏଥିରେ ନିଉର୍‌ ସଂପୂର୍ଣ୍ଣ ଚକ୍‌ମା ଖାଇଥିଲେ। ଆଉ ସ୍ୱିଡେନ୍‌ ୧-୦ ଗୋଲ୍‌ରେ ଆଗେଇ ଯାଇଥିଲା। ଫଳରେ ପ୍ରଥମାର୍ଧ ମଧ୍ୟ ସ୍ୱିଡେନ୍‌ ସପକ୍ଷରେ ରହିଥିଲା। ପ୍ରଥମାର୍ଧରେ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ ମଧ୍ୟ ଜର୍ମାନି ଗୋଲ୍‌ ଦେବାରେ ସମର୍ଥ ହୋଇନଥିଲା। ତେବେ ଦ୍ୱିତୀୟାର୍ଧରେ ଜର୍ମାନି ଆକ୍ରମଣକୁ ଜୋର୍‌ଦାର କରି ଖୁବ୍‌ ଶୀଘ୍ର ମ୍ୟାଚ୍‌କୁ ଫେରିଥିଲା। ୪୮ ମିନିଟ୍‌ରେ ମାର୍କୋ ରିଉଜ୍‌ ଗୋଲ୍‌ ଶୁଝି ଦେଇ ଜର୍ମର୍ାନି ସ୍ଥିତି ୧-୧ କରିଥିଲେ। ୫୨ ମିନିଟ୍‌ରେ ସ୍ୱିଡେନ୍‌ର ଅଲ୍‌ବିନ୍‌ ଏକ୍‌ଡାଲ୍‌ଙ୍କୁ ମିଳିଥିଲା ହଳଦିଆ କାର୍ଡ। ଏହା ମଧ୍ୟ ମ୍ୟାଚ୍‌ର ପ୍ରଥମ ହଳଦିଆ କାର୍ଡ ଥିଲା। ଏହାପରେ ୭୧ ମିନିଟ୍‌ରେ ଜର୍ମାନିର ଜେରୋମି ବୋଏଟେଙ୍ଗ୍‌ଙ୍କୁ ମିଳିଥିଲା ନାଲି କାର୍ଡ। ୭୨ ମିନିଟ୍‌ରେ ଜର୍ମାନି ପାଇଁ ଆସିଥିଲା ଏକ ସୁଯୋଗ। ହେଲେ ଟିମୋ ଓ୍ଵର୍ନର ନିକଟରୁ ମାରିଥିବା ଏକା ସଟ୍‌କୁ ସ୍ୱିଡେନ୍‌ ଅଧିନାୟକ ଆନ୍ଦ୍ରିଆ ଗ୍ରାନ୍‌କ୍ୱିଷ୍ଟ ଅଟକାଇ ଦେଇ ଦଳକୁ ପଛୁଆ ହେବାରୁ ବଞ୍ଚାଇଥିଲେ। କିନ୍ତୁ ମ୍ୟାଚ୍‌ର ୮୭ ମିନିଟ୍‌ ଥିଲା ଏକ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତ। ସ୍ୱିଡେନ୍‌ର ଜନ୍‌ ଗୁଇଡିଟି ଅତି ନିକଟରୁ ମାରିଥିବା ଏକ ସଟ୍‌ ଗୋଲ୍‌ପୋଷ୍ଟ ଭିତରେ ପଶିବାରୁ ଅଳ୍ପକେ ରହିଯାଇଥିଲା। ଏହାକୁ ଜର୍ମାନି ଗୋଲି ନିଉର୍‌ ସାହସର ସହ ହାତମାରି ପୋଷ୍ଟ ଉପର ଦେଇ ବାହାରକୁ ପଠାଇ ଦେଇଥିଲେ। ମ୍ୟାଚ୍‌ ଅମୀମାଂସିତ ଆଡକୁ ଗତି କରୁଥିଲା ବେଳେ ୯୫ ମିନିଟ୍‌ରେ ହିଁ ଜର୍ମାନି ବିଜୟ ପାଇଗଲା।

ସମ୍ବନ୍ଧିତ ଖବର