ବିଜେତା ଜର୍ମାନିକୁ ସ୍ତବ୍ଧ କଲା ମେକ୍ସିକୋ

ସମାରା : ମସ୍କୋ ବିଶ୍ୱକପ୍‌ରେ ରବିବାର ଏକ ବୃହତ୍‌ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗତଥରର ବିଜେତା ତଥା ବିଶ୍ୱମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଜର୍ମାନି ଆଶ୍ଚର୍ଯ୍ୟଜନକ ଭାବେ ତା’ର ପ୍ରଥମ ମ୍ୟାଚ୍‌ ହାରି ଯାଇଛି। ବିଶ୍ୱ ମାନ୍ୟତାରେ ଜର୍ମାନିଠାରୁ ୧୪ ସ୍ଥାନ ତଳେ ଥିବା ଏବଂ କେବେବି ବିଶ୍ୱକପ୍‌ ଜିତି ନଥିବା ମେକ୍ସିକୋ ଆଜି ଏହି ଦଳକୁ ୧-୦ ଗୋଲ୍‌ରେ ହରାଇ ଦେଇଛି। ସେହିଭଳି ୫ ଥର ବିଜେତା ବ୍ରାଜିଲ୍‌କୁ ସ୍ୱିଜରଲାଣ୍ଡ ୧-୧ରେ ରୋକି ଦେଇଛି।

ହିର୍ଭିଂ ଲୋଜାନୋ (୩୫ ମିନିଟ୍‌)ଙ୍କ ପ୍ରଥମାର୍ଧ ଗୋଲ୍‌ ବଳରେ ଜର୍ମାନିକୁ ସ୍ତବ୍ଧ କରି ମେକ୍ସିକୋ ଆତ୍ମବିଶ୍ୱାସର ସହ ତା’ ଅଭିଯାନ ଆରମ୍ଭ କରିଛି। ସେପଟେ ଜର୍ମାନି ପୂର୍ବ ସଂସ୍କରଣରେ ବିଜେତା ହୋଇ କୌଣସି ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ହାରିଥିବା ହାତଗଣତି ଦଳର ଅଲୋଡ଼ା ତାଲିକାରେ ସ୍ଥାନ ପାଇଛି। ଜର୍ମାନି ମାତ୍ର ଦ୍ୱିତୀୟ ଥର ପାଇଁ ମଧ୍ୟ କୌଣସି ବିଶ୍ୱକପ୍‌ରେ ନିଜ ପ୍ରଥମ ମ୍ୟାଚ୍‌ ହାରିଛି। ୧୯୮୨ ବିଶ୍ୱକପ୍‌ଠାରୁ ଜର୍ମାନି ତା’ର ପ୍ରଥମ ମ୍ୟାଚ୍‌ ହାରି ନଥିଲା। ଦୀର୍ଘ ୨୬ ବର୍ଷ ପରେ ମେକ୍ସିକୋ ଏହି ଧାରା ବଦଳାଇ ଦେଇଛି। ହେଲେ ଲଗାତାର ତୃତୀୟ ବିଶ୍ୱକପ୍‌ରେ ଗତବିଜେତା ତା’ ପ୍ରଥମ ମ୍ୟାଚ୍‌ ଜିତି ପାରି ନଥିଲା। ୨୦୧୦ରେ ୨୦୦୬ ବିଜେତା ଇଟାଲି ଲାଟିନ୍‌ ଆମେରିକୀୟ ଦେଶ ଉରୁଗୁଏ ସହ ପଏଣ୍ଟ (୦-୦) ବାଣ୍ଟିଥିଲା। ୨୦୧୪ ବ୍ରାଜିଲ ବିଶ୍ୱକପ୍‌ରେ ୨୦୧୦ ବିଜେତା ସ୍ପେନ୍‌ ୧-୫ରେ ନେଦରଲାଣ୍ଡଠାରୁ ହାରିଥିଲା।

ଲୁଝ୍‌ନିକି ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଏହି ମ୍ୟାଚ୍‌ର ଦ୍ୱିତୀୟ ମିନିଟ୍‌ରେ କର୍ନର ଅର୍ଜନ କରି ଜର୍ମାନିକୁ ଚକିତ କରି ଦେଇଥିବା ମେକ୍ସିକୋ ୩୫ ମିନିଟ୍‌ରେ ନିଜ ଶୃଙ୍ଖଳିତ ଖେଳର ଲାଭ ପାଇଥିଲା। ଜର୍ମାନିର ଶକ୍ତିଶାଳୀ ରକ୍ଷକ ଭାଗକୁ ଭେଦ କରି ମ୍ୟାଚ୍‌ ଏବଂ ନିଜ ପ୍ରଥମ ଗୋଲ୍‌ ଦେଇଥିଲା। ଏହି ଗୋଲ୍‌ଟି ହାର୍ଭିଂ ଲୋଜାନୋ ଦେଇଥିଲେ। ଜାଭିଅର ହର୍ନଣ୍ଡେଜଙ୍କଠାରୁ ପାଇଥିବା ପାସ୍‌କୁ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇବାରେ ଲୋଜାନେ କୌଣସି ତ୍ରୁଟି କରି ନଥିଲେ। ଡାହାଣ ପାଦରେ ସେ ମାରିଥିବା ତଳିଆ ସଟ୍‌ ଗୋଲ୍‌ ଲାଇନ ପାର କରିବା ପରେ ମେକ୍ସିକୋ ଖେଳାଳିମାନେ ନିଜ ଭାଗ୍ୟକୁ ବିଶ୍ୱାସ କରି ପାରି ନଥିଲେ। ଅନ୍ୟପକ୍ଷରେ ଜର୍ମାନି ରକ୍ଷଣଭାଗ ନିଜ ଦୁର୍ବଳତାକୁ ତଉଲିବା ଆରମ୍ଭ କରି ଦେଇଥିଲା। ପ୍ରଥମାର୍ଧର ବଳକା ୧୦ ମିନିଟ୍‌ରେ ଜର୍ମାନି ଯେତେ ଚେଷ୍ଟା କଲେ ମଧ୍ୟ ଏହି ଗୋଲ୍‌ଟିକୁ ଶୁଝି ପାରି ନଥିଲା। ଫଳରେ ପ୍ରଥମାର୍ଧରେ ମେକ୍ସିକୋ ଅପ୍ରତ୍ୟାଶିତ ଭାବେ ୧-୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଧରେ ତାରକା ଖଚିତ ଜର୍ମାନି ବହୁ ଚେଷ୍ଟା କରିଥିଲା। ହେଲେ ମେକ୍ସିକୋ ରକ୍ଷଣଭାଗକୁ ମାତ୍‌ ଦେବାକୁ ସକ୍ଷମ ହୋଇ ନଥିଲା। ଫଳରେ ମେକ୍ସିକୋ ଐତିହାସିକ ସଫଳତା ସହ ସ୍ମରଣୀୟ ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଥିଲା। ତେବେ ଦ୍ୱିତୀୟାର୍ଧରେ ଅଧିକାଂଶ ସମୟ ବଲ୍‌ ଜର୍ମାନି ନିୟନ୍ତ୍ରଣରେ ରହିଥିଲା। ହେଲେ କେନ୍ଦ୍ରୀୟ ଆମେରିକୀୟ ଦେଶ ମେକ୍ସିକୋର ରକ୍ଷଣଭାଗ ପାଚେରି ଭଳି ଛିଡ଼ା ହୋଇ ସେମାନଙ୍କୁ ଗୋଲ୍‌ କରିବାର ଗୋଟିଏ ହେଲେ ବି ସୁଯୋଗ ଦେଇ ନଥିଲେ। ମେକ୍ସିକୋ ଗୋଲ୍‌ ରକ୍ଷକ ଗୁଲେର୍ମୋ ଓଚା ଜର୍ମାନିର ଟୋନି କ୍ରୁକ୍‌ଙ୍କ ଫ୍ରି କିକ୍‌କୁ ଅଟକାଇଦେଇଥିଲେ। ଯାହା ଜର୍ମାନି ପରାଜୟର ପ୍ରମୁଖ କାରଣ ପାଲଟିଥିଲା। ବ୍ରାଜିଲ୍‌-ସ୍ୱିଜରଲାଣ୍ଡ ମ୍ୟାଚ୍‌ରେ ଉଭୟାର୍ଧରେ ଗୋଟିଏ ଲେଖାଏ ଗୋଲ୍‌ ଦେଇ ଉଭୟ ଦଳ ପଏଣ୍ଟ ବାଣ୍ଟିଥିଲେ।

ସମ୍ବନ୍ଧିତ ଖବର