ଫିଫା ବିଶ୍ୱକପ୍‌ : ପ୍ରି-କ୍ୱାର୍ଟର୍‌ରେ ସ୍ପେନ୍‌ ଓ ପର୍ତୁଗାଲ୍‌

କାଜାନ/କଲିନ୍‌ଗ୍ରାଡ୍‌ : ଚଳିତ ଫିଫା ବିଶ୍ୱକପ୍‌ରେ ସୋମବାର ଗ୍ରୁପ୍‌ ‘ବି’ରୁ ୨୦୧୦ ବିଜେତା ସ୍ପେନ୍‌ ଏବଂ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ପର୍ତୁଗାଲ୍‌ ପ୍ରି-କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଛନ୍ତି। ଉଭୟ ନିଜ ନିଜ ଶେଷ ଗ୍ରୁପ୍‌ ମ୍ୟାଚ୍‌କୁ ଅମୀମାଂସିତ ରଖି ଏହି ସୁଯୋଗ ହାତେଇଛନ୍ତି। ମରକ୍କୋ ସହିତ ସ୍ପେନ୍‌ ୨-୨ରେ ଏବଂ ପର୍ତୁଗାଲ୍‌ ସହିତ ଇରାନ୍‌ ୧-୧ରେ ଗୋଲ୍‌ରେ ମ୍ୟାଚ୍‌ ଶେଷ କରି ପଏଣ୍ଟ୍‌ ବାଣ୍ଟିବାରୁ ଏହି ଆଶାଜନକ ଫଳ ମିଳିଛି। ହାତ ପାହାନ୍ତାରେ ପାଇ ଏସୀୟ ଦଳ ଇରାନ୍‌କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ସୋମାର କାଜାନ ଆରେନା ଷ୍ଟାଡିୟମ୍‌ରେ ପର୍ତୁଗାଲ୍‌ ପାଇଁ ପ୍ରଥମେ ଆଗୁଆ ହୋଇଥିଲା। ୪୫ତମ ମିନିଟ୍‌ରେ ରକାର୍ଡୋ କ୍ୱାରେଜ୍‌ମୋଙ୍କ ଗୋଲ୍‌ ବଳରେ ଇରାନ୍‌କୁ ଚକିତ କରି ଦେଇଥିଲା। ଏକା ଏକା କ୍ୱାରେଜ୍‌ମୋ ଗୋଲ୍‌ ବନାଇଥିଲେ ଏବଂ ସ୍କୋର୍‌ କରିଥିଲେ। ୩୪ ବର୍ଷ ୨୭୨ ଦିନରେ ଗୋଲ୍‌ ଦେଇ ସେ ନିଜର ପ୍ରଥମ ବିଶ୍ୱକପ୍‌ ଗୋଲ୍‌ ଦେବାରେ ସବୁଠୁ ବୟୋଜ୍ୟେଷ୍ଠ ସ୍କୋରର୍‌ ହୋଇଥିଲେ। ୨୦୦୬ ମସିହାରେ ୟାହ୍ୟା ଗୋଲମହମଦି ଇରାନ୍‌ ପାଇଁ ମେକ୍ସିକୋ ବିପକ୍ଷରେ ୩୫ ବର୍ଷ ୮୪ ଦିନରେ ଗୋଲ୍‌ ଦେଇଥିବାରୁ ଏହା ପଛରେ ପଡ଼ିଯାଇଥିଲା। ଏହି ମ୍ୟାଚ୍‌ରେ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ଗୋଲକୁ ରୋକି ଇରାନ୍‌ ଗୋଲି ଅଲୀ ବିରାନ୍‌ଭାଦ ନାୟକ ସାଜିଥିଲେ। ଶେଷକୁ ଇରାନ୍‌ କିନ୍ତୁ ୯୩ତମ ମିନିଟ୍‌ରେ କରିମ୍‌ଙ୍କ ପେନାଲଟି ଗୋଲ୍‌ ଜରିଆରେ ପଏଣ୍ଟ୍‌ ଛଡ଼ାଇଥିଲା। କିନ୍ତୁ ପ୍ରି-କ୍ୱାର୍ଟର ପହଞ୍ଚିବାରୁ ବଞ୍ଚିତ ରହିଥିଲା। ମ୍ୟାଚ୍‌ ୧-୧ରେ ଶେଷ ହୋଇଥିଲା।

କଲିନ୍‌ଗ୍ରାଡ୍‌ ଷ୍ଟାଡିୟମ୍‌ରେ ୨୦୧୦ ବିଶ୍ୱକପ୍‌ ନାୟକ ଆନ୍ଦ୍ରେ ଇନିସ୍ତାଙ୍କ ପ୍ରଭାବହୀନ ଖେଳରୁ ମରକ୍କୋ ଫାଇଦା ନେଇଥିଲା। ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ଇନିସ୍ତା ମଝି ପଡ଼ିଆରେ ବଲ୍‌ ଉପରୁ ନିୟନ୍ତ୍ରଣ ହରାଇବାରୁ ଖଲିଦ୍‌ ବୌତାଇବ୍‌ ଏହାକୁ ସିଧା ନେଇ ଯାଇଥିଲେ। ରାମୋସ୍‌ ଏବଂ ଇନିସ୍ତାଙ୍କ ଦ୍ୱନ୍ଦ୍ୱରୁ ଫାଇଦା ଉଠାଇ ସେ ଅତ୍ୟନ୍ତ ଶାନ୍ତ ସ୍ୱଭାବରେ ବଲକୁ ତଳୁଆ ସଟ୍‌ରେ ସ୍ପେନ୍‌ ଗୋଲରକ୍ଷକ ଡେଭିଡ୍‌ ଡି ଜିଆଙ୍କୁ ପରାସ୍ତ କରିଥିଲେ। ମରକ୍କୋର ଏହି ଅଗ୍ରଣୀ କିନ୍ତୁ ମାତ୍ର ୫ ମିନିଟ୍‌ ରହିଥିଲା। ୧୯ତମ ମିନିଟ୍‌ରେ ଇସ୍କୋଙ୍କ ଗୋଲ୍‌ ସ୍ପେନ୍‌କୁ ଆଶ୍ୱସ୍ତ କରିଥିଲା। ଇନିସ୍ତା ଓ ଡିଏଗୋ କୋଷ୍ଟାଙ୍କ ଦେଇଥିବା ସୁନ୍ଦର ସୁଯୋଗକୁ ଇସ୍କୋ ହାତଛଡ଼ା କରିବାକୁ ଦେଇନଥିଲେ। ଏଥି ସହିତ ସେ ସ୍ପେନ୍‌ ପାଇଁ ୧୫ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୨ ଗୋଲ୍‌ରେ ସମ୍ପୃକ୍ତି ରଖିଥିଲେ। ୧୦ ଗୋଲ୍‌ ଦେଇଥିବାବେଳେ ୨ଟିରେ ସହାୟତା କରିଛନ୍ତି। ପ୍ରଥମାର୍ଧ ୧-୧ରେ ଶେଷ ହୋଇଥିଲା। ଦ୍ୱିତୀୟାର୍ଧରେ ସ୍ପେନ୍‌ ପ୍ରଭାବହୀନ ରହିଥିଲା। ୮୧ତମ ମିନିଟ୍‌ରେ ଏନ୍‌ ନେସରିଙ୍କ ଗୋଲ୍‌ ମରକ୍କୋକୁ ପୁଣି ଆଗୁଆ କରାଇ ଦେଇଥିଲେ। ସମ୍ପ୍ରସାରିତ ସମୟର ୯୧ତମ ମିନିଟ୍‌ରେ ସ୍ପେନ୍‌ ପାଇଁ ଇଆଗୋ ଅସ୍‌ପାସଙ୍କ ବ୍ୟାକ୍‌ ସଟ୍‌ ଗୋଲ୍‌ ମରକ୍କୋକୁ ଏକ ପ୍ରକାର ମାରି ଦେଇଥିଲା। ଏହାକୁ ଅଫ୍‌ସାଇଡ୍‌ ଗୋଲ୍‌ ସଙ୍କେତ ଯାଇଥିଲେ ମଧ୍ୟ ଭାର୍‌ ଜରିଆରେ ଗୋଲ୍‌ ନିଶ୍ଚିତ ହୋଇଥିଲା। ଦୁଇ ଥର ଆଗୁଆ ହୋଇ ମରକ୍କୋ ଜିତିପାରିନଥିଲା। ମ୍ୟାଚ୍‌ ୨-୨ରେ ବରାବର ରହିଥିଲା। ଆଗରୁ ବାଦ୍‌ ପଡ଼ିଥିବା ମରକ୍କୋ ଗୋଟିଏ ପଏଣ୍ଟ୍‌ରେ ସନ୍ତୁଷ୍ଟ ହୋଇଥିଲା। ସ୍ପେନ୍‌ ଆଗକୁ ବଢ଼ିଯାଇଥିଲା।

ସମ୍ବନ୍ଧିତ ଖବର