ସ୍ୱିଜରଲାଣ୍ଡ୍‌ର ପ୍ରଥମ ବିଜୟ

କାଲିନିଗ୍ରାଡ୍‌ : ମ୍ୟାଚ୍‌ର ପଞ୍ଚମ ମିନିଟ୍‌ ଗୋଲ୍‌ ବଳରେ ଅଗ୍ରଣୀ ସତ୍ତ୍ୱେ ସର୍ବିଆ ପରାଜୟ ବରଣ କଲା। ଅନ୍ୟପକ୍ଷରେ ୫୨ ମିନିଟ୍‌ରେ ଗ୍ରାନିଟ୍‌ ଖାକାଙ୍କ ସ୍ଥିତି ବରାବର ଗୋଲ୍‌ ପରେ ୯୦ ମିନିଟ୍‌ରେ ଜେର୍‌ଦାନ୍‌ ସାକିରିଙ୍କ ଗୋଲ୍‌ ହିଁ ସ୍ୱିଜରଲାଣ୍ଡ୍‌କୁ ଦମ୍‌ଦାର ବିଜୟ ଭେଟିଦେଲା। ଏଥି ସହିତ ନିଜର ପ୍ରଥମ ମ୍ୟାଚ୍‌କୁ ବ୍ରାଜିଲ୍‌ ସହ ୧-୧ ଗୋଲ୍‌ରେ ଅମୀମାଂସିତ ରଖି ପଏଣ୍ଟ୍‌ ବାଣ୍ଟିଥିବା

ସ୍ୱିଜରଲାଣ୍ଡ୍‌ ଚଳିତ ବିଶ୍ୱକପ୍‌ରେ ପ୍ରଥମ ବିଜୟ ହାସଲ କଲା। ଶୁକ୍ରବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଗ୍ରୁପ୍‌-ଇ ଅନ୍ତର୍ଗତ ଏହି ମ୍ୟାଚ୍‌ରେ ସର୍ବିଆକୁ ୨-୧ ଗୋଲ୍‌ରେ ପରାସ୍ତ କରି ସ୍ୱିଜରଲାଣ୍ଡ୍‌ ମଧ୍ୟ ମୋଟ ୪ ପଏଣ୍ଟ ହାସଲ କରି ପ୍ରି-କ୍ୱାର୍ଟର ଫାଇନାଲ୍‌ ଆଶା ବଳବତ୍ତର ରଖିଲା। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ରେ କୋଷ୍ଟାରିକାକୁ ୧-୦ ଗୋଲ୍‌ରେ ପରାସ୍ତ କରିଥିବା ସର୍ବିଆ ତା’ର ପ୍ରଥମ ପରାଜୟ ବରଣ କରି ପ୍ରି-କ୍ୱାର୍ଟର ଫାଇନାଲ୍‌ ଆଶଙ୍କାରେ ରହିଲା।

ଶୁକ୍ରବାର ଖେଳାଯାଇଥିବା ତିନିଟି ମ୍ୟାଚ୍‌ରେ ବ୍ରାଜିଲ୍‌ ୨-୦ରେ କୋଷ୍ଟାରିକାକୁ ଏବଂ ନାଇଜେରିଆ ୨-୦ରେ ଆଇସ୍‌ଲାଣ୍ଡ୍‌କୁ ପରାସ୍ତ କରିଥିଲା ବେଳେ ବିଳମ୍ବିତ ରାତିର ମ୍ୟାଚ୍‌ରେ ସ୍ୱିଜରଲାଣ୍ଡ୍‌ ୨-୧ରେ ସର୍ବିଆକୁ ପରାସ୍ତ କରିଥିଲା। ଏହା ପୂର୍ବରୁ ନିଜର ଶେଷ ୧୮ ବିଶ୍ୱକପ୍‌ ମ୍ୟାଚ୍‌ ମଧ୍ୟରୁ ମାତ୍ର ଗୋଟିଏ ବିଜୟ ପାଇଥିବା ସ୍ୱିଜରଲାଣ୍ଡ୍‌ ବିଫଳତା ଧାରା ଭାଙ୍ଗି ଦେଇଥିଲା। ଶେଷଥର ପାଇଁ ୨୦୧୪ ବିଶ୍ୱକପ୍‌ରେ ଇକ୍ୱେଡର୍‌କୁ ୨-୧ରେ ହରାଇବା ବ୍ୟତୀତ ୧୫ ପରାଜୟ ଏବଂ ୨ ଅମୀମାଂସିତ ରଖିବାରେ ସମର୍ଥ ହୋଇଥିଲା। ଶୁକ୍ରବାର ବିଳମ୍ବିତ ରାତି ମ୍ୟାଚ୍‌ର ପଞ୍ଚମ ମିନିଟ୍‌ରେ ଆଲେକ୍‌ଜାଣ୍ଡର ମିତ୍ରୋଭିକ୍‌ ଦୁଇ ଥର ହେଡର୍‌ ଜରିଆରେ ସ୍ୱିଜରଲାଣ୍ଡ୍‌ ଗୋଲ୍‌ପୋଷ୍ଟ୍‍କୁ ଲକ୍ଷ୍ୟ କରିଥିଲେ। ପ୍ରଥମ ପ୍ରୟାସକୁ ସ୍ୱିସ୍‌ ଗୋଲ୍‌ରକ୍ଷକ ୟାନ୍‌ ସୋମେର୍‌ ଅଟକାଇ ଦେଇଥିଲା ବେଳେ ଦ୍ୱିତୀୟ ପ୍ରୟାସରେ ହିଁ ମିତ୍ରୋଭିକ୍‌ ସଫଳ ହୋଇଥିଲେ। ଏଥର ସୋମେର୍‌ଙ୍କୁ କୌଣସି ସୁଯୋଗ ନଦେଇ ୮ ଗଜ ଦୂରରୁ ହେଡର୍‌ ଜରିଆରେ ମିତ୍ରୋଭିକ୍‌ ସର୍ବିଆ ପାଇଁ ପ୍ରଥମ ଗୋଲ୍‌ କରିଥିଲେ। ଏହାପରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ଉଭୟ ଦଳ ଜଗିରଖି ଖେଳିଥିଲେ। ହେଲେ ୩୦ ମିନିଟ୍‌ରେ ସ୍ୱିଜରଲାଣ୍ଡ୍‌ ପାଇଁ ଏକ ସୁଯୋଗ ଆସିଥିଲା। ଷ୍ଟିଭେନ୍‌ ଜୁବେର୍‌ଙ୍କଠୁ ପାଇଥିବା ଏକ ସୁନ୍ଦର ପାସ୍‌କୁ ବ୍ଲେରିମ୍‌ ଜେମାଇଲ୍‌ ଅତି ନିକଟରୁ ମାରିଥିଲେ ମଧ୍ୟ ଏଡାକୁ ସର୍ବିଆ ଗୋଲ୍‌ରକ୍ଷକ ଭ୍ଲାଦିମିର୍‌ ଷ୍ଟୋକୋଭିକ୍‌ ଦୃଢ଼ତାର ସହ ବଞ୍ଚାଇ ଦେଇଥିଲେ। ଫଳରେ ସ୍ଥିତି ୧-୧ କରିବାର ଏକ ବଡ଼ ସୁଯୋଗ ସ୍ୱିଜରଲାଣ୍ଡ୍‌ ହାତଛଡ଼ା କରିଥିଲା। ଏଥି ସହିତ ପ୍ରଥମାର୍ଧ ମଧ୍ୟ ୧-୦ରେ ସର୍ବିଆ ସପକ୍ଷରେ ରହିଥିଲା। ହେଲେ ମଧ୍ୟାନ୍ତର ପରେ ସ୍ୱିଜରଲାଣ୍ଡ୍‌ ମ୍ୟାଚ୍‌କୁ ଚମତ୍କାର ଢଙ୍ଗରେ ଫେରିଥିଲା। ଏହାର ୧୦ ନମ୍ବର ଜର୍ସି ଗ୍ରାନିଟ୍‌ ଖାକା ୫୨ ମିନିଟ୍‌ରେ ଦମ୍‌ଦାର ଗୋଲ୍‌ କରି ସ୍ଥିତି ୧-୧ କରିଦେଇଥିଲେ। ଗ୍ରାନିଟ୍‌ ୨୫ ଗଜ ଦୂରରୁ ମାରିଥିବା ସଟ୍‌୍‌କୁ ରୋକିବା ପାଇଁ ସର୍ବିଆ ଗୋଲ୍‌ରକ୍ଷକଙ୍କ ପାଖରେ କୌଣସି ସୁଯୋଗ ନଥିଲା। ଏହାପରେ ସ୍ୱିଜରଲାଣ୍ଡ୍‌ ଖେଳାଳି ଘନଘନ ଆକ୍ରମଣ କରିଥିଲେ। ଏହାର ଫଳ ୯୦ ମିନିଟ୍‌ରେ ହିଁ ପାଇଥିଲା। ଗ୍ରାନିଟ୍‌ ଖାକା ବ୍ୟକ୍ତିଗତ ପ୍ରଥମ ତଥା ସ୍ୱିଜରଲାଣ୍ଡ୍‌ ପାଇଁ ଦ୍ୱିତୀୟ ଗୋଲ୍‌ କରି ସର୍ବିଆ ଆଶାରେ ପାଣି ଢାଳି ଦେଇଥିଲେ।

ସ୍ୱିଜରଲାଣ୍ଡ୍‌ର ପ୍ରଶିକ୍ଷକ ପେଟ୍‌କୋଭିକ୍‌ ବ୍ରଜିଲ୍‌ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ୧-୧ ଗୋଲ୍‌ରେ ଅମୀମାଂସିତ ରଖିଥିବା ପ୍ରଥମ ୧୧ ଜଣିଆ ଦଳକୁ ଅପରିବର୍ତିତ ରଖି ସ୍ୱିଜରଲାଣ୍ଡ୍‌ ବିପକ୍ଷ ଶୁକ୍ରବାର ମ୍ୟାଚ୍‌କୁ ଓହ୍ଲାଇଥିଲା। ଅନ୍ୟପକ୍ଷରେ କୋଷ୍ଟାରିକାକୁ ୧-୦ ଗୋଲ୍‌ରେ ପରାସ୍ତ କରିଥିବା ସର୍ବିଆ ଆଜି ଗୋଟିଏ ପରିବର୍ତନ କରିଥିଲା। ମଧ୍ୟଭାଗ ଖେଳାଳି ଲାଜିକ୍‌ଙ୍କ ବଦଳରେ ପ୍ରଶିକ୍ଷକ କ୍ରାଜିକ୍‌ ଆଜି କୋଷ୍ଟିକ୍‌ଙ୍କୁ ଆରମ୍ଭରୁ ଖେଳାଇଥିଲେ।

ସମ୍ବନ୍ଧିତ ଖବର