ଲୁସାଇଲ୍: ଫିଫା ବିଶ୍ବକପ୍ର ତୃତୀୟ କ୍ବାର୍ଟରଫାଇନାଲ୍ ପର୍ତୁଗାଲ୍ ଓ ମରକ୍କୋ ମଧ୍ୟରେ ଖେଳାଯିବ। ଶନିବାର ଅଲ୍ ଥୁମାମା ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ମଙ୍ଗଳବାର ଖେଳାଯାଇଥିବା ଶେଷ ପ୍ରିକ୍ବାର୍ଟରଫାଇନାଲ୍ ମ୍ୟାଚ୍ରେ ପଦାର୍ପଣ ଖେଳାଳି ଗଙ୍କାଲୋ ରାମୋସ୍ଙ୍କ ହ୍ୟାଟ୍ରିକ ଗୋଲ୍ ବଳରେ ପର୍ତୁଗାଲ୍ ୬-୧ ଗୋଲ୍ରେ ସ୍ବିଜରଲାଣ୍ଡକୁ ହରାଇ ଆଗକୁ ବଢିଛି। ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିନା ପର୍ତୁଗାଲ୍ ମଙ୍ଗଳବାର ପଡ଼ିଆକୁ ଓହ୍ଲାଇବା ସତ୍ତ୍ବେ ଏହି ଦଳ ଆରମ୍ଭରୁ ମ୍ୟାଚ୍ ଉପରେ ଦବ୍ଦବା ବନାଇ ରଖିଥିଲା। ପ୍ରଥମାର୍ଦ୍ଧରେ ଦଳ ୨-୦ରେ ଆଗୁଅା ରହିବା ପରେ ଦ୍ବିତୀୟାର୍ଦ୍ଧକୁ ୪-୧ ଗୋଲ୍ରେ ପର୍ତ୍ତୁଗାଲ୍ ଜିତିଯାଇଥିଲା।
ମ୍ୟାଚ୍ର ୧୭ତମ ମିନିଟ୍ରେ ଗଙ୍କାଲୋ ରାମୋସ୍ ପ୍ରଥମ ଗୋଲ୍ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏପରିକି ନକ୍ଆଉଟ୍ରେ ସର୍ବକନିଷ୍ଠ (୨୧ ବର୍ଷ ୧୬୯ ଦିନ) ଖେଳାଳି ଭାବେ ସେ ଏହି ଗୋଲ୍ ଦେଇଥିଲେ। ସେହିପରି ୩୩ ତମ ମିନିଟ୍ରେ ପେପେଙ୍କ ହେଡର ଗୋଲ୍ ବଳରେ ଦଳ ଦ୍ବିତୀୟ ଗୋଲ୍ ଦେଇଥିଲା। ଏହି ଗୋଲ୍ ବଳରେ ପେପେ ନକ୍ଆଉଟ୍ ପର୍ଯ୍ୟାୟରେ ସ୍କୋର କରିବାରେ ସବୁଠୁ ବୟୋଜ୍ୟେଷ୍ଠ ଖେଳାଳି (୩୯ ବର୍ଷ ୨୮୩ ଦିନ) ର ଆଖ୍ୟା ପାଇଛନ୍ତି। ଦ୍ବିତୀୟାର୍ଦ୍ଧରେ ମଧ୍ୟ ପର୍ତୁଗାଲ୍ ଆକ୍ରମଣ ଜାରି ରଖିଥିଲା ବେଳେ ୫୦ ମିନିଟ୍ରେ ରାମୋସ୍ ଓ ୫ ମିନିଟ୍ ପରେ ରାଫେଲ୍ ଗୁଇରେରୋ ଗୋଲ୍ ଦେଇ ବ୍ୟବଧାନ ବଢାଇଥିଲେ। ତେବେ ୫୮ ମିନିଟ୍ରେ ମାନୁଏଲ୍ ଆକାଞ୍ଜି ଗୋଟିଏ ଗୋଲ୍ ଶୁଝିଥିଲେ ସୁଦ୍ଧା ଏହା ପର୍ଯ୍ୟାପ୍ତ ହୋଇନଥିଲା। ଗୋଲ୍ ବର୍ଷା ଏତିକିରେ ସରିନଥିଲା। ୬୬ ମିନିଟ୍ରେ ରାମୋସ୍ ହ୍ୟାଟ୍ରିକ୍ ଗୋଲ୍ ଦେଇ ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ରୋନାଲ୍ଡୋଙ୍କ ଅନୁପସ୍ଥିତିର ତାଙ୍କୁ ଦଳରେ ସୁଯୋଗ ମିଳିଥିଲା। ତେଣୁ ତାଙ୍କ ଚୟନକୁ ସଠିକ୍ ପ୍ରମାଣିତ କରିବା ପାଇଁ ଏତିକି ଗୋଲ୍ ଯଥେଷ୍ଟ ଥିଲା। ୭୩ ମିନଟ୍ରେ ରୋନାଲ୍ଡୋ ବଦଳ ଖେଳାଳି ଭାବେ ପଡ଼ିଆକୁ ଆସିଥିଲେ ବି ତାଙ୍କର ଏକ ଗୋଲ୍ ଅଫ୍ସାଇଡ୍ ହୋଇଯାଇଥିଲା। ୯୦+୨ ମିନିଟ୍ରେ ରାଫେଲ୍ ଲିଓ ଷଷ୍ଠ ଗୋଲ୍ ଦେଇ ବିଜୟ ମୁଣ୍ଡି ମାରିଥିଲେ।
ସ୍ପେନ୍ ସୁଟ୍ଆଉଟ୍
ଅଲ୍ ରାୟନ୍: ଚଳିତ ଫିଫା ବିଶ୍ବକପ୍ରେ ୨୦୧୦ ବିଜେତା ସ୍ପେନକୁ ପେନାଲ୍ଟି ସୁଟ୍ ଆଉଟ୍ରେ ୩-୦ (୦-୦) ଗୋଲ୍ ପରାସ୍ତ କରି ମରକ୍କୋ ପ୍ରଥମ ଥର କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛି। ଏଥି ସହିତ ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋ ନିଜ ଫୁଟ୍ବଲ୍ ଇତିହାସରେ ମଧ୍ୟ ଶ୍ରେଷ୍ଠ ମୁହୂର୍ତ ଅର୍ଜନ କରି ନେଇଛି। ଫୁଟ୍ବଲ୍ ପଣ୍ଡିତଙ୍କୁ ଭୁଲ ପ୍ରମାଣିତ କରି ମରକ୍କୋ ମଙ୍ଗଳବାର ଚମତ୍କାର ଖେଳି ଆଗକୁ ବଢ଼ିଛି। ଅତିରିକ୍ତ ସମୟ ଏବଂ ପେନାଲଟି ସୁଟ୍ ଆଉଟ୍ ସମୟରେ ମରକ୍କୋ ଗୋଲରକ୍ଷକ ୟସିନ୍ ବୋନୋ ଏକାଧିକ ଥର ବଞ୍ଚାଇ ନାୟକ ସାଜିଥିଲେ।
ଅଲ୍ ରାୟନ୍ର ଏଜୁକେସନ୍ ସିଟି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। କିନ୍ତୁ ଆକ୍ରମଣ ଓ ପ୍ରତି ଆକ୍ରମଣ ଭରା ଏହି ମ୍ୟାଚ୍ରେ ଦୁଇ ଦଳର ଖେଳାଳିଙ୍କ ଗତି ତୀବ୍ର ରହିଥିଲା। କିନ୍ତୁ କୌଣସି ଦଳ ଗୋଲ୍ ଟାର୍ଗେଟ୍ରେ ସଟ୍ ଖେଳିବାରେ ବିଫଳ ରହିଥିଲେ। ଦ୍ବିତୀୟାର୍ଦ୍ଧରେ ମଧ୍ୟ ସମାନ ଢ଼ଙ୍ଗରେ ମ୍ୟାଚ୍ ଗତିଶୀଳ ହୋଇ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ସ୍ପେନ୍ ଏହି ୯୦ ମିନିଟ୍ ପ୍ରାଧାନ୍ୟ ବିସ୍ତାର କରିଥିଲା।
ବଲ୍ ନିୟନ୍ତ୍ରଣ (୭୫-୨୫ ପ୍ରତିଶତ), ପାସ୍ (୭୪୬-୨୫୧), ସଠିକ୍ ପାସ (୯୨-୭୧), କର୍ଣ୍ଣର ଅର୍ଜନ (୪-୦), ସଟ୍ସ (୭-୪)ରେ ସ୍ପେନ୍ ଆଗୁଆ ରହିଥିଲେ ମଧ୍ୟ ଠିକଣା ଫିନିସିଂ ଓ ଲକ୍ଷ୍ୟଭେଦୀ ସଟ୍ ଅଭାବ କାରଣରୁ ଗୋଲ୍ ପାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଫଳରେ ମ୍ୟାଚ୍ ଅତିରିକ୍ତ ସମୟକୁ ଯିବା ସ୍ପେନ୍ ପାଇଁ ଏକ ଅପୂର୍ବ ସଂଯୋଗ ଆଣିଥିଲା। କାରଣ ପ୍ରମୁଖ ପ୍ରତିଯୋଗିତା ଗୁଡ଼ିକରେ ସ୍ପେନ୍ କ୍ରମାଗତ ପଞ୍ଚମ ମ୍ୟାଚ୍ ଅତିରିକ୍ତ ସମୟକୁ ନେଇଥିଲା। ୨୦୧୮ ବିଶ୍ବକପ୍ ପ୍ରି-କ୍ବାର୍ଟର ଏବଂ ୨୦୨୦ ୟୁରୋ କପ୍ରେ ୩ ଥର ଅତିରିକ୍ତ ସମୟ ଖେଳିଥିଲା ଏହି ୟୁରୋପୀୟ ଦେଶ। ଏହି ୪ଟିରୁ କିନ୍ତୁ ମାତ୍ର ଥରେ ଜିତିଥିଲା। ବିଶ୍ବକପ୍ ଇତିହାସରେ ସ୍ପେନ୍ ୪ଟିରୁ ୩ଟି ପେନାଲଟି ସୁଟ୍ ଆଉଟ୍ ହାରିଥିଲା। ଅନ୍ୟପକ୍ଷରେ ମରକ୍କୋ ପେନାଲ୍ଟି ସୁଟ୍ ଆଉଟ୍ ଖେଳି ସମସ୍ତ ହାରିଥିଲେ ମଧ୍ୟ ପ୍ରଥମ ଥର ବିଶ୍ବକପ୍ରେ ଏଭଳି ସୁଯୋଗ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/8-Official-emblem-of-the-FIFA-World-Cup-2022-launched-in-Qatar.jpg)