ଇଂଲଣ୍ଡ, ଇରାକ, ମେକ୍ସିକୋ ଆଗେଇଲେ

କୋଲ୍‌କାତା/ଗୌହାଟୀ: ଚଳିତ ଯୁବ ଫିଫା ବିଶ୍ୱକପ୍‌ (୧୭ ବର୍ଷରୁ କମ୍‌)ର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଗ୍ରୁପ୍‌ ‘ଏଫ୍‌’ରୁ ୩ ଦଳ ଇଂଲଣ୍ଡ, ଇରାକ୍‌ ଏବଂ ମେକ୍ସିକୋ ପ୍ରି-କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି। ଶନିବାର କୋଲ୍‌କାତାର ବିବେବାନନ୍ଦ ଯୁବଭାରତୀ କୀଡ଼ାଙ୍ଗନରେ ଇଂଲଣ୍ଡ ୪-୦ରେ ଇରାକ୍‌କୁ ଦଳି ଦେଇଥିଲା। କିନ୍ତୁ ଉଭୟ ଦଳ ଯୋଗ୍ୟତା ଅର୍ଜନ କରି ନେଇଥିଲେ। ଇଂଲଣ୍ଡ ୩ରୁ ୩ ବିଜୟ ସହିତ ଗ୍ରୁପ୍‌ର ବିଜେତା ଦଳ ଭାବେ ଆଗେଇଥିବା ବେଳେ ଇରାକ୍‌ ଦ୍ୱିତୀୟ ଶ୍ରେଷ୍ଠ ଦଳ ଭାବେ ଶୀର୍ଷ ୧୬ ଦଳରେ ସାମିଲ ହୋଇଥିଲା। ଇଂଲଣ୍ଡ ପାଇଁ ଗୋମ୍‌ସ (୧୧ ମିନିଟ୍‌) ପ୍ରଥମାର୍ଧରେ ଏକମାତ୍ର ଗୋଲ୍‌ ଦେଇଥିବାବେଳେ ଦ୍ୱିତୀୟାର୍ଧରେ ସ୍ମିଥ୍‌ ରୋୟେ (୫୭ ମିନିଟ୍‌) ଏବଂ ଲୋଡର୍‌ (୫୯ ଓ ୭୧ ମିନିଟ୍‌) ଦଳକୁ ଏକତରଫା ବିଜୟ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ଗୌହାଟୀରେ ମେକ୍ସିକୋ-ଚିଲି ମୁକାବିଲା ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। କିନ୍ତୁ ମେକ୍ସିକୋ କିନ୍ତୁ ଏହି ଅମୀମାଂସିତ ମ୍ୟାଚ୍‌ରୁ ପାଇଥିବା ଗୋଟିଏ ପଏଣ୍ଟ୍‌ ଦଳ ପାଇଁ ଯଥେଷ୍ଟ ହୋଇଥିଲା। ୨ ପଏଣ୍ଟ୍‌ ସହିତ ମେକ୍ସିକୋ ଏହି ଗ୍ରୁପର ତୃତୀୟ ଶ୍ରେଷ୍ଠ ଦଳ ଭାବେ ପ୍ରି-କ୍ୱାର୍ଟରଫାଇନାଲ୍‌ ପହଞ୍ଚିଥିଲା। ଏହି ଗ୍ରୁପ୍‌ର ଚତୁର୍ଥ ଦଳ ଚିଲି ବିଦାୟ ନେଇଛି।

ସମ୍ବନ୍ଧିତ ଖବର