ଦୋହା : ଜିଓର୍ଜିଆନ୍ ଡି ଆରାସ୍କାଏଟାଙ୍କ ଡବଲ୍ ଗୋଲ୍ ବଳରେ ଚମତ୍କାର ବିଜୟ ସତ୍ତ୍ବେ ଦୁଇ ଥରର ବିଜେତା ଉରୁଗୁଏ ନକ୍ଆଉଟ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଛି। ଶୁକ୍ରବାର ଗ୍ରୁପ୍ ଏଚ୍’ର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ କୋରିଆ ୨-୧ ଗୋଲ୍ରେ ପର୍ତୁଗାଲ୍କୁ ହରାଇ ପ୍ରି-କ୍ବାର୍ଟରଫାଇନାଲ୍ ଯୋଗ୍ୟତା ଅର୍ଜନ କରିଛି। ଯଦିଓ ବିଜୟ ପରେ କୋରିଆ ଓ ଉରୁଗୁଏର ପଏଣ୍ଟ (୪-୪) ଏବଂ ଗୋଲ୍ ବ୍ୟବଧାନ (୦-୦) ସମାନ ଥିଲା ଏବଂ ପୂର୍ବରୁ ପରସ୍ପର ମୁକାବିଲା ୦-୦ରେ ଅମୀମାଂସିତ ରହିଥିଲା। ତେବେ ଅଧିକ ଗୋଲ୍ କରିଥିବା ଭିତ୍ତିରେ କୋରିଆ ଦଳ ବାଜି ମାରିନେଲା। ପ୍ରତିଯୋଗିତାରେ ଉରୁଗୁଏ ୨ ଗୋଲ୍ ଦେଇଥିଲା ବେଳେ ଦକ୍ଷିଣ କୋରିଆ ୪ ଗୋଲ୍ ସ୍କୋର କରିଥିବାରୁ ଏହି ଦଳ ରାଉଣ୍ଡ ୧୬କୁ ଟିକେଟ ପାଇଗଲା। ପୂର୍ବରୁ ପର୍ତୁଗାଲ୍ ଲଗାତାର ମ୍ୟାଚ୍ ଜିତି ଗ୍ରୁପ୍ ଏଚ୍’ରୁ ପ୍ରଥମ ଦଳ ଭାବେ ଏହି ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଥିଲା। ଫଳରେ ଶେଷ ମ୍ୟାଚ୍ ହାରିବା ସତ୍ତ୍ବେ ଗ୍ରୁପ୍ ବିଜେତା ହେବାରେ କୌଣସି ଫରକ ପଡ଼ିନଥିଲା। ଲିଗ୍ ପର୍ଯ୍ୟାୟ ଶେଷରେ ପର୍ତ୍ତୁଗାଲ୍ ୬ ଓ ଦକ୍ଷିଣ କୋରିଆ ୪ ପଏଣ୍ଟ ପାଇ ଆଗକୁ ବଢିଛନ୍ତି। ଅନ୍ୟପକ୍ଷରେ ଉରୁଗୁଏ ୪ ଓ ଘାନା ୩ ପଏଣ୍ଟ ପାଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।
ପ୍ରଥମ ଦୁଇ ମ୍ୟାଚ୍ ଜିତି ଆଗୁଆ ପ୍ରିକ୍ବାର୍ଟରଫାଇନାଲ୍ ସ୍ଥାନ ପକ୍କା କରିଥିବା ପର୍ତୁଗାଲ୍ ଶୁକ୍ରବାର ଦକ୍ଷିଣ କୋରିଆଠୁ ୧-୨ ଗୋଲ୍ରେ ହାରିଗଲା। ଏଜୁକେସନ ସିଟି ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍-ଏଚ୍ର ଏହି ମ୍ୟାଚ୍ର ପଞ୍ଚମ ମିନିଟ୍ରେ ହିଁ ତାରକା ଖଚିତ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ପ୍ରାରମ୍ଭିକ ଅଗ୍ରଣୀ ପାଇଥିଲା। ଡିଏଗୋ ଡାଲୋଟଙ୍କ ପାସ୍କୁ ରିକାର୍ଡୋ ହୋର୍ତା ୬ ଗଜ ଦୂରରୁ ଦକ୍ଷିଣ କୋରିଆ ଗୋଲ୍ ପୋଷ୍ଟ୍କୁ ବଲ୍ ପଠାଇ ଏହି ଅଗ୍ରଣୀ ଦେଇଥିଲେ। ପଛରେ ପଡ଼ିଥିବା କୋରିଆ ପ୍ରତ୍ୟାବର୍ତ୍ତନ କରି ୨୭ତମ ମିନିଟ୍ରେ ଏହି ଗୋଲ୍ ଶୁଝି ସ୍ଥିତି ବରାବର କରିଥିଲା। ଏହି ଗୋଲ୍ଟି କିମ୍ ୟଙ୍ଗ-ଗ୍ବନ ଦେଇଥିଲେ। ଏହି ଦୁଇ ଗୋଲ୍ରେ ପ୍ରଥମାର୍ଦ୍ଧ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧର ଶେଷ ମିନିଟ୍ ପର୍ଯ୍ୟନ୍ତ ଉଭୟ ଦଳ ଗୋଲ୍ କରିବାକୁ ସଂଘର୍ଷ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ହେଲେ ମ୍ୟାଚ୍ର ଇନ୍ଜୁରି ସମୟରେ ସନ୍ ଜୁନୋଙ୍କ ପାସ୍କୁ ବଦଳ ଖେଳାଳି ହ୍ବାଙ୍ଗ ହି-ଚାନ୍ (୯୦+୧ ମିନିଟ୍) ଗୋଲ୍ରେ ପରିଣତ କରି କୋରିଆକୁ ବହୁ ପ୍ରତୀକ୍ଷିତ ବିଜୟ ଭେଟି ଦେଇଥିଲେ।
ବିଜୟ ସତ୍ତ୍ବେ ଉରୁଗୁଏ ବିଦା
ଅଲ୍ ଜାନବ ଷ୍ଟାଡିୟମ୍ରେ ଆରମ୍ଭରୁ ଘାନା ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଉରୁଗୁଏ ଗୋଲ୍ରକ୍ଷକ ସର୍ଗିଓ ରଚେଟ୍ଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଏହା ନିସ୍ଫଳ ହୋଇଯାଇଥିଲା। ଉରୁଗୁଏ ପୋଷ୍ଟ ଅଞ୍ଚଳ ଭିତରେ ଜୋର୍ଡାନ ଆୟୁଙ୍କୁ ରଚେଟ୍ ଫାଉଲ୍ ମାରିଥିଲେ। ଭାର୍ ଯାଞ୍ଚ ପରେ ରେଫରି ଏହାକୁ ପେନାଲ୍ଟି ଘୋଷଣା କରିଥିଲେ। ହେଲେ ଆନ୍ଦ୍ରେ ଆୟୁଙ୍କ ପେନାଲ୍ଟି କିକ୍କୁ ରଚେଟ୍ ଅଟକାଇ ଦେଇଥିଲେ। ଏହି ଗୋଲ୍ ବିଫଳତା ପରେ ଘାନା ବିଶ୍ବକପ୍ ଇତିହାସରେ ଏକମାତ୍ର ଦଳ ଭାବେ ଗୋଟିଏ ଦଳ ବିପକ୍ଷରେ ଦୁଇଥର ପେନାଲ୍ଟି (ସୁଟ୍ଆଉଟ୍କୁ ଛାଡ଼ି) ହାତଛଡ଼ା କରିବାର ଅଲୋଡ଼ା କୀର୍ତ୍ତିମାନ ବହନ କରିଛି। ପୂର୍ବରୁ ୨୦୧୦ରେ ଘାନା ପ୍ରଥମ ଥର ଉରୁଗୁଏ ବିପକ୍ଷରେ ମିଳିଥିବା ପେନାଲ୍ଟିକୁ ଗୋଲ୍ରେ ପରିଣତ କରିପାରିନଥିଲା। କିନ୍ତୁ ଉରୁଗୁଏ ସୁଯୋଗ ହାତଛଡ଼ା ନକରି ୨୬ ତମ ମିନିଟ୍ରେ ପ୍ରଥମ ଗୋଲ୍ ଦେଇଥିଲା। ଦୁଇ ଡିଫେଣ୍ଡରଙ୍କୁ ପାର୍ କରି ଜିଓର୍ଜିଆନ୍ ଡି ଆରାସ୍କାଏଟା ହେଡର କରି ପ୍ରଥମ ଗୋଲ୍ ଦେଇଥିଲେ। ୬ ମିନିଟ୍ ପରେ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ଦେଇ ଦଳକୁ ପ୍ରଥମାର୍ଦ୍ଧ ସୁଦ୍ଧା ୨-୦ରେ ଅଗ୍ରଣୀ ରଖିଥିଲେ। ଆଉ ଗୋଲ୍ ନହେବାରୁ ଶେଷରେ ସେହି ୨-୦ରେ ଉରୁଗୁଏ ବିଜୟୀ ହୋଇଥିଲା।