ଦୋହା: ବ୍ରାଜିଲ୍ ତାହାର ଷଷ୍ଠ ବିଶ୍ବକପ୍ ଟ୍ରଫି ହାତେଇବା ଲକ୍ଷ୍ୟ ଆଡ଼କୁ ପ୍ରଥମ ପାଦ ଅଗ୍ରସର ହୋଇଛି। ସୋମବାର ଗ୍ରୁପ୍ ଜି’ରେ ସ୍ବିଜରଲାଣ୍ଡକୁ ହରାଇ ବ୍ରାଜିଲ୍ ନକ୍ ଆଉଟ୍ (ପ୍ରି-କ୍ବାର୍ଟର)ରେ ପ୍ରବେଶ କରିଛି। ଷ୍ଟାଡିୟମ୍ ୯୭୪ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବ୍ରାଜିଲ୍ ୧-୦ ଗୋଲ୍ରେ ବିଜୟୀ ହୋଇଥିଲା। ପ୍ରଥମ ମ୍ୟାଚ୍ରେ ସର୍ବିଆକୁ ୨-୦ ଗୋଲ୍ରେ ହରାଇଥିବା ବ୍ରାଜିଲ୍ ତାହାର ଶେଷ ଲିଗ୍ ମ୍ୟାଚ୍ ଡିସେମ୍ବର ୩ ତାରିଖରେ କାମେରୁନ୍ ବିପକ୍ଷରେ ଖେଳିବ। ଆହତ ନେମାରଙ୍କ ବିନା ପଡ଼ିଆକୁ ଓହ୍ଲାଇଥିଲା ବ୍ରାଜିଲ। ହଳଦିଆ ଜର୍ସିର ଏହି ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା। ଉଭୟ ଦଳଙ୍କ ପାଇଁ ଏକାଧିକ ସୁଯୋଗ ସୃଷ୍ଟି ହୋଇଥିଲେ ମଧ୍ୟ କଡ଼ା ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ପ୍ରଥମାର୍ଦ୍ଧ ବିନା ଗୋଲ୍ରେ ଶେଷ ହୋଇଥିଲା।
ଦ୍ବିତୟାର୍ଦ୍ଧରେ ବ୍ରାଜିଲ୍ ବାଜି ମାରିନେଇଥିଲା। ପ୍ରଥମେ ୬୬ ମିନିଟ୍ରେ ଭିନିସିଅସ୍ ଜୁନିଅର ଦଳ ପାଇଁ ପ୍ରଥମ ଗୋଲ୍ ଦେଇଥିଲେ। କିନ୍ତୁ ଭାର୍ରେ ଏହା ଅଫ୍ସାଇଡ୍ ଘୋଷଣା ହେବାରୁ ପ୍ରଶଂସକ ନିରାଶ ହୋଇଥିଲେ। ୮୩ତମ ମିନିଟ୍ରେ ମିଡ୍ଫିଲ୍ଡର କାର୍ଲୋସ ହେନରିକ୍ କେସ୍ମିରୋ ବ୍ରାଜିଲ୍କୁ ଅଗ୍ରଣୀ ଦେଇଥିଲେ। ଶେଷ ପର୍ଯ୍ୟନ୍ତ ସ୍ବିଜରଲାଣ୍ଡ ଏହାକୁ ଶୁଝିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲା। ଫଳରେ ଦ୍ବିତୀୟ ବିଜୟ ସହ ବ୍ରାଜିଲ୍ ଏହି ଗ୍ରୁପ୍ରୁ ପ୍ରଥମ ଦଳ ଭାବେ ନକ୍ଆଉଟ୍ରେ ପ୍ରବେଶ କରିଛି।