ଫିଫା ବିଶ୍ବକପ୍‌: ବିଜେତା ଫ୍ରାନ୍ସକୁ ହରାଇଲା ଟ୍ୟୁନିସିଆ

ଅଲ୍ ରାୟନ/ଅଲ୍ ଜା‌ନୌବ (କାତାର): ଚଳିତ ଫିଫା ବିଶ୍ବକପ୍‌ର ଗ୍ରୁପ୍‌ ‘ଡି’ ଲିଗ୍ ପର୍ଯ୍ୟାୟ ବୁଧବାର ଶେଷ ହୋଇଯାଇଛି। ୨ ଥର ବିଜେତା ଫ୍ରାନ୍ସ ପରାଜୟ ବରଣ କରିବା ‌ସତ୍ତ୍ବେ ଏହି ଗ୍ରୁପ୍‌ର ବିଜେତା ଭାବେ ପ୍ରିକ୍ବାର୍ଟରଫାଇନାଲ୍‌କୁ ଉନ୍ନୀତ ହୋଇଛି। ବୁଧବାର ଶେଷ ଲିଗ୍‌ରେ ଟ୍ୟୁନିସିଆ ନିକଟରୁ ହାରିଯାଇଥିଲା ଲେସ୍ ବ୍ଲୁସ୍ ଦଳ। ପଏଣ୍ଟ ଟେବୁଲ୍‌ରେ ଶେଷରେ ସଂଘର୍ଷ କରୁଥିବା ଜାଲେଲ କାଦ୍ରିଙ୍କ ପ୍ରଶିକ୍ଷିତ ଟ୍ୟୁନିସିଆ ଦଳ ୧-୦ ଗୋଲ୍‌ରେ ୨୦୧୮ ବିଜେତା ଫ୍ରାନ୍ସକୁ ପରାସ୍ତ କରି ମଧ୍ୟ ସମସ୍ତଙ୍କୁ ଚକିତ କରି ଦେଇଥିଲା। ତଥାପି ଏହି ଫଳାଫଳ ଉଭୟ ଦଳର ଭାଗ୍ୟରେ ବିଶେଷ ପରିବର୍ତନ ଆଣିନଥିଲା। ଫ୍ରାନ୍ସ ପଏଣ୍ଟ ଟେବୁଲ୍ ଶୀର୍ଷରେ ରହି ନକ୍ ଆଉଟ୍ ଯାଇଥିବା ବେଳେ ଅଷ୍ଟ୍ରେଲିଆ ଦ୍ବିତୀୟ ଦଳ ଭାବେ ଆଗକୁ ବଢ଼ିଛି। ଅନ୍ୟ ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ମଧ୍ୟ ସମାନ ୧-୦ ଗୋଲ୍‌ରେ ଡେନମାର୍କକୁ ପରାସ୍ତ କରିଥିଲା। ଏହି ଗ୍ରୁପ୍‌ରୁ ଟ୍ୟୁନିସିଆ ଏବଂ ଡେନମାର୍କ ବିଦାୟ ନେଇଗଲେ।

ଅଲ୍ ରାୟନ୍‌ର ଏଜୁକେସନ୍ ସିଟି ଷ୍ଟାଡିୟମ୍‌ରେ ଖେଳାଇଥିବା ମ୍ୟାଚ୍‌ରେ ଫ୍ରାନ୍ସ ପ୍ରଥମରୁ ଏହାର ତାରକା ଖେଳାଳି କିଲିଆନ୍ ଏମ୍‌ବାପେଙ୍କ ବିନା ପଡ଼ିଆକୁ ଓହ୍ଲାଇଥିଲା। ଆଗୁଆ ପ୍ରିକ୍ବାର୍ଟରଫାଇନାଲ୍ ଯୋଗ୍ୟତା ଅର୍ଜନ କରିସାରିଥିବାରୁ ଦଳ ତାଙ୍କୁ ବିଶ୍ରାମ ଦେବାକୁ ପସନ୍ଦ କରିଥିଲା। ଏହି କୌଶଳ କିନ୍ତୁ ନିମ୍ନ ମାନ୍ୟତାପ୍ରାପ୍ତ ଟ୍ୟୁନିସିଆ ପାଇଁ ସ‌ୁଯୋଗ ଆଣି ଦେଇଥିଲା। ତଥାପି ପ୍ରଥମାର୍ଦ୍ଧ ଗୋଲଶୂ୍ନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧ ତଥା ୫୮ତମ ମିନିଟରେ ଫ୍ରାନ୍ସ ଡିଫେଣ୍ଡରଙ୍କୁ ହଡ଼ବଡ଼େଇ ଦେଇ ୱାହବି ଖାଜରି ଗୋଲ୍‌ ଦେବାରୁ ଟ୍ୟୁନିସିଆ ଅଗ୍ରଣୀ ନେଇଯାଇଥିଲା। ଏହା ପରେ ଫ୍ରାନ୍ସ ପ୍ରଶିକ୍ଷକ ଦିଦିଏର୍ ଦେଶଚାମ୍ପ୍ସ ଖେଳାଳି ପରିବର୍ତନକୁ ତୀବ୍ର କରିଥିଲେ। ଦୁଇ ଅଭିଜ୍ଞ ଖେଳାଳି କିଲିଏନ୍ ଏମ୍‌ବାପେ ଓ ଆଣ୍ଟୋନି ଗ୍ରିଜମ୍ୟାନଙ୍କୁ ଖେଳାଇଥିଲେ। ୱିଲିୟମ୍‌ ସାଲିବା ଓ ଆଡ୍ରିଏନ୍ ରାବିଓଟ୍‌ ମଧ୍ୟ ବଦଳ ଖେଳାଳି ଭାବେ ପଡ଼ିଆ ଭିତରକୁ ଆସିଥିଲେ।

ଏହା ପରେ ଫ୍ରାନ୍ସର ଆକ୍ରମଣ ବଢ଼ିଥିଲେ ମଧ୍ୟ ଗୋଲ୍‌ ପାଇଁ ଦଳ ସଂଘର୍ଷ କରିଥିଲା। ୮୮ତମ ମିନିଟରେ ଏମ୍‌ବାପେ ଗୋଲ୍‌ ପାଇଁ ଖେଳିଥିବା ସଟ୍‌କୁ କିନ୍ତୁ ଟ୍ୟୁନିସିଆ ଗୋଲ୍‌ରକ୍ଷକ ଡାମେନ୍ ପଣ୍ଡ କରି ଦେଇଥିଲେ। ଏକ ଫ୍ରି-କିକ୍‌କୁ ମଧ୍ୟ ସେ ଟ୍ୟୁନିସିଆ ୱାଲ୍‌କୁ ମାରି ନିଷ୍ଫଳ ରହିଥିଲେ। ଇନଜ୍ୟୁରି ସମୟର ଅତିରିକ୍ତ ୮ ମିନିଟ୍‌ରେ ଏମ୍‌ବାପେ ଏକାଧିକ ପ୍ରୟାସ କରିଥିଲେ ମଧ୍ୟ ଗୋଲ୍‌ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲେ। ବଦଳ ଖେଳାଳି ଗ୍ରିଜ୍‌ମ୍ୟାାନ୍‌ ଶେଷ ମିନିଟ୍‌ରେ ଗୋଲ୍ ଦେଇ ଦଳକୁ ଅପ୍ରତ୍ୟାଶିତ ପରାଜୟ ଲଜ୍ଜାରୁ ରକ୍ଷା କରିବାର ଅନ୍ତିମ ସୁଯୋଗ ଦେଇଥିଲେ। ଗୋଲ୍‌ ପୋଷ୍ଟ ମେଳିରୁ ସେ ଗୋଲ୍ ଦେଇଥିଲେ ମଧ୍ୟ ଭାର୍‌ ସହାୟତାରେ ନ୍ୟୁଜିଲାଣ୍ଡ୍‌ ରେଫରି ମାଥ୍ୟୁ କଙ୍ଗର ଏହାକୁ ନାକଚ କରିଦେଇଥିଲେ। ଏଥି ସହିତ ଟ୍ୟୁନିସିଆ ସାନ୍ତ୍ବନାମୂଳକ ବିଜୟ ହେଲେ ବି ସ୍ମରଣୀୟ ସଫଳତା ସହ କାତାର ବିଶ୍ବକପ୍ ଅଭିଯାନ ଶେଷ କରିଥିଲା। ମ୍ୟାଚ୍‌ ସାରା ଟ୍ୟୁନିସିଆ ବଲ୍ ନିୟନ୍ତ୍ରଣରେ ୩୪-୬୬ରେ ଏବଂ ଗୋଲ୍ ସଟ୍‌ରେ ୫-୧୦ରେ ପଛୁଆ ରହିଥିଲେ ମଧ୍ୟ ୱାହବି ଖାଜରିଙ୍କ ଏକମାତ୍ର ଗୋଲ୍ ଏହି ଆଫ୍ରିକୀୟ ଦେଶକୁ ଅବିସ୍ମରଣୀୟ ମୁହୂର୍ତ୍ତ ପ୍ରଦାନ କରିଥିଲା। ଏଥି ସହ ବିଶ୍ବକପ୍‌ରେ ପରସ୍ପରକୁ ପ୍ରଥମ ଥର ମୁକାବିଲା କରିଥିଲେ ମଧ୍ୟ ଟ୍ୟୁନିସିଆ ବାଜି ମାରିନେଲା।

ଡେନ୍‌ମାର୍କକୁ ହରାଇ ଅଷ୍ଟ୍ରେଲିଆ ପ୍ରିକ୍ବାର୍ଟରରେ
ଅଲ୍‌ ଜାନୈବ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍‌-ଡି’ର ଅନ୍ୟଏ କ ମ୍ୟାଚ୍‌‌ରେ ଅଷ୍ଟ୍ରେଲିଆ ୧-୦ ଗୋଲ୍‌ରେ ଡେନ୍‌ମାର୍କକୁ ହରାଇ ଦେଇଛି। ଫଳରେ ନିଜର ପ୍ରଥମ ମ୍ୟାଚ୍‌ରେ ଟ୍ୟୁନିସିଆ ସହ ଅମୀମାଂସିତ ରଖିଥିବା ଡେନ୍‌ମାର୍କ ପରବର୍ତୀ ଦୁଇ ମ୍ୟାଚ୍‌ ହାରି ବିଜୟ ଶୂନ୍ୟ ସହ ବିଶ୍ବକପ୍‌ରୁ ବିଦାୟ ନେଇଛି। ମ୍ୟାଚ୍‌ ଆରମ୍ଭରୁ ଡେନ୍‌ମାର୍କ ଭଲ ଖେଳିଥିଲା। ବଲ୍‌ ନିଜ ନିୟନ୍ତ୍ରଣରେ ରଖି ଅନେକ ଗୋଲ୍‌ ସୁଯୋଗ ସୃଷ୍ଟି କରିବା ସହ ଅଷ୍ଟ୍ରେଲିଆକୁ ଚାପରେ ରଖିଥିଲା। ହେଲେ ଅଷ୍ଟ୍ରେଲିଆ ଗୋଲି ମାଥ୍ୟୁ ରିଆନ୍‌ ଏବଂ ରକ୍ଷଣଭାଗର ଚମତ୍କାର ପ୍ରଦର୍ଶନ ଯୋଗୁଁ ଡେନ୍‌ମାର୍କ ଗୋଲ୍‌ ଦେବାରେ ବିଫଳ ହୋଇଥିଲା। ଫଳରେ ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧ ଆରମ୍ଭ ଅଷ୍ଟ୍ରେଲିଆ ପାଇଁ ଭଲ ରହିଥିଲା। ଡେନ୍‌ମାର୍କ ଗୋଲ୍‌ ପୋଷ୍ଟ୍‌କୁ ଘନ ଘନ ଆକ୍ରମଣ କରି ସୁଯୋଗ ଆଣୁଥିଲା। ଫଳ ସ୍ବରୂପ ୬୦ତମ ମିନିଟ୍‌ରେ କଙ୍ଗାରୁ ଦଳ ଗୋଲ୍‌ କରିବାକୁ ସକ୍ଷମ ହୋଇଥିଲା। ରିଲେ ମ୍ୟାକଗ୍ରିଙ୍କ ପାସ୍‌କୁ ମାଥ୍ୟୁ ଲିକି ଗୋଲ୍‌ରେ ପରିଣତ କରି ଅଷ୍ଟ୍ରେଲିଆକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହା ପରେ‌ ଆଉ ଗୋଲ୍‌ ନ ହେବାରୁ ଅଷ୍ଟ୍ରେଲିଆ ବିଜୟୀ ହୋଇ ପ୍ରିକ୍ବାର୍ଟରଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଥିଲା।

ସମ୍ବନ୍ଧିତ ଖବର