ଆସନ୍ତା ସପ୍ତାହାନ୍ତରୁ ଫିଫା ବିଶ୍ବକପ୍‌: ନଭେମ୍ବର ୨୦ରୁ ଆରମ୍ଭ, ମାସେ ଯାଏଁ ଲଢ଼ିବେ ୩୨ ଦଳ

ଭୁବନେଶ୍ବର: ଆସନ୍ତା ୨୦ ତାରିଖରୁ କାତାରରେ ଫିଫା ବିଶ୍ବକପ୍‌ର ୨୨ତମ ସଂସ୍କରଣ ଆରମ୍ଭ ହେବ। ଫିଫା ବିଶ୍ବକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଆରବ ଦେଶ ଏହା ଆୟୋଜନ କରିଛି। ଡିସେମ୍ବର ୧୮ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୩୨ ଦଳ ଟ୍ରଫି ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ। ସମସ୍ତ ଦଳଙ୍କୁ ୮ ଗ୍ରୁପ୍‌ରେ ବଣ୍ଟାଯାଇଛି। ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଲିଗ୍‌ ପର୍ଯ୍ୟାୟ ଚାଲିବା ପରେ ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ୨ ଦଳଙ୍କୁ ନେଇ ୩ ତାରିଖରୁ ନକ୍‌ଆଉଟ୍‌ ପର୍ଯ୍ୟାୟ ଆରମ୍ଭ ହେବ। କାତାର ଓ ଇକ୍ବେଡର ମଧ୍ୟରେ ଦୋହାର ଅଲ୍‌ ବାୟତ୍‌ ଷ୍ଟାଡିୟମ୍‌ରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ।
୨୦୧୮ ସଂସ୍କରଣରେ ବିଶ୍ବକପ୍‌ ଖେଳିନଥିବା ନେଦରଲାଣ୍ଡ୍ସ, ଇକ୍ବେ‌ଡର, ଘାନା, କାମେରୁନ୍‌ ଓ ଆମେରିକା ଏଥର ପ୍ରତ୍ୟାବର୍ତ୍ତନ କରିଛନ୍ତି।

ପରବର୍ତ୍ତୀ ସଂସ୍କରଣକୁ ଦଳ ସଂଖ୍ୟା ୪୬ରେ ପହଞ୍ଚାଯିବ ବୋଲି କୁହାଯାଇଛି। ତେବେ ଚଳିତ ବର୍ଷ କାନାଡା ୩୬ ବର୍ଷ ପରେ ବିଶ୍ବକପ୍‌ ଖେଳିବାକୁ ଯାଉଛି। ଶେଷ ଥର ପାଇଁ ଏହି ଦଳ ୧୯୮୬ରେ ଅଂଶଗ୍ରହଣ କରିଥିଲା। ସେହିପରି ୟୁରୋପିଆନ୍‌ ଦଳ ୱେଲ୍ସ ୬୪ ବର୍ଷ ପରେ ବିଶ୍ବକପ୍‌ ଖେଳିବ। କାତାର ଚଳିତ ବର୍ଷ ବିଶ୍ବକପ୍‌ରେ ପଦାର୍ପଣ କରିବାକୁ ଯାଉଛି। ଏଥି ପୂର୍ବରୁ ୧୯୩୪ରେ ଇଟାଲି ପ୍ରଥମ ଥର ଆୟୋଜକ ହେବା ସହ ପଦାର୍ପଣ ଦଳ ଭାବେ ବିଶ୍ବକପ୍‌ରେ ଖେଳିଥିଲା। ଚଳିତ ବର୍ଷ ଇଟାଲି ଯୋଗ୍ୟତା ପର୍ଯ୍ୟାୟରୁ ପରାସ୍ତ ହେବାରୁ ପ୍ରଥମ ଥର ଏକ ବିଜେତା ଦଳ ବିଶ୍ବକପ୍‌ ଖେଳିବାକୁ ଅଯୋଗ୍ୟ ଘୋଷିତ ହୋଇଛି। ୟୁ‌କ୍ରେନ୍‌ ଉପରେ ଆକ୍ରମଣ କରିଥିବାରୁ ଋଷିଆକୁ ମଧ୍ୟ ଅଯୋଗ୍ୟ ଘୋଷିତ କରାଯାଇଛି। ପୂର୍ବତନ କୋପା ଆମେରିକା ବିଜେତା ଚିଲି ଦ୍ବିତୀୟ ଥର ପାଇଁ ବିଶ୍ବକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଗତ ସଂସ୍କରଣରେ ଖେଳିଥିବା ଇଜିପ୍ଟ, ପାନାମା, କଲମ୍ବିଆ, ପେରୁ, ଆଇସ୍‌ଲାଣ୍ଡ ଓ ସ୍ବିଡେନ୍‌ ମଧ୍ୟ ଏଥର ଖେଳିବାକୁ ଯୋଗ୍ୟ ହୋଇପାରିନାହାନ୍ତି। ଘାନା ସବୁଠୁ କମ୍‌ ମାନ୍ୟତାପ୍ରାପ୍ତ (୬୧) ଦଳ ଭାବେ ବିଶ୍ବକପ୍‌ ପାଇଁ ଯୋଗ୍ୟ ହୋଇଛି।

ଦେଶରେ ପ୍ରଥମ ଥର ଆୟୋଜନ ହେଉଥିବା ଏହି ବିଶ୍ବକପ୍‌ ପାଇଁ ଆୟୋଜକଙ୍କ ପକ୍ଷରୁ ୮ଟି ଷ୍ଟାଡିୟମ୍‌ ପ୍ରସ୍ତୁତ କରାଯାଇଛି। ଲୁସେଲ୍‌ ଆଇକନିକ୍‌ ଷ୍ଟାଡିୟମ୍‌, ଅଲ୍‌ ବାତ୍‌ ଷ୍ଟାଡିୟମ୍‌, ଷ୍ଟାଡିୟମ୍‌ ୯୭୪, ଅଲ୍‌ ଥୁମାମା ଷ୍ଟାଡିୟମ୍‌, ଖଲିଫା ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌, ଏଜୁକେସନ୍‌ ସିଟି ଷ୍ଟାଡିୟମ୍‌, ଅହମ୍ମଦ ବିନ୍‌ ଅଲୀ ଷ୍ଟାଡିୟମ୍‌, ଅଲ୍‌ ଜାନୁବ ଷ୍ଟାଡିୟମ୍‌ରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ବିଶ୍ବକପ୍‌ର ଏହି ସଂସ୍କରଣ ପାଇଁ ‘ଲାଇବ୍‌’କୁ ମାସ୍କଟ୍‌ ରୂପେ ବଛାଯାଇଛି। ଏହି ଆରବୀୟ ଭାଷାର ଅର୍ଥ ହେଉଛି ‘ସବୁଠୁ ଦକ୍ଷ ଖେଳାଳି’। ସେହିପରି ଅଫିସିଆଲ୍‌ ମ୍ୟାଚ୍‌ ବଲ୍‌ର ନାମ ରଖାଯାଇଛି ‘ଅଲ୍‌ ରିହଲା’। ଆରବିକ୍‌ ଭାଷାରେ ଏହାର ଅର୍ଥ ହେଉଛି ‘ଦ ଜର୍ଣ୍ଣି’। ପ୍ରଥମ ଥର ଏଭଳି ଏକ ମ୍ୟାଚ୍‌ ବଲ୍‌ର ଉପର ଭାଗରେ ପାଣି ମିଶ୍ରିତ ଅଠା ଓ ରଙ୍ଗ ବ୍ୟବହାର କରାଯାଇଛି। ସେହିପରି ଚଳିତ ବର୍ଷ ପ୍ରଥମ ଥର ପାଇଁ କୌଣସି ଗୋଟିଏ ଅଫିସିଆଲ୍‌ ଗୀତ ବଦଳରେ ତିନିଟି ଗୀତକୁ ନେଇ ଏକ ସାଉଣ୍ଡ ଟ୍ରାକ୍‌ ଆଲ୍‌ବମ୍‌ ପ୍ରସ୍ତୁତ କରାଯାଇଛି। ଆଲ୍‌ବମ୍‌ର ପ୍ରଥମ ଗୀତ ‘ହାୟା ହାୟା’, ଦ୍ବିତୀୟ ଗୀତ ‘ଆର୍‌ବୋ’, ତୃତୀୟ ଗୀତ ‘ଲାଇଟ୍‌ ଦ ସ୍କାଏ’ କରାଯାଇଛି। ଏଗୁଡ଼ିକୁ ଯଥାକ୍ରମେ ଏପ୍ରିଲ୍‌, ଅଗଷ୍ଟ ଓ ଅକ୍ଟୋବରରେ ଉନ୍ମୋଚନ କରାଯାଇଥିଲା।

ସମ୍ବନ୍ଧିତ ଖବର