ଦୋହା : ଚଳିତ ଫିଫା ବିଶ୍ବକପ୍ରେ ଗ୍ରୁପ୍ ‘ଇ’ରୁ ଜାପାନ ଓ ସ୍ପେନ୍ ପ୍ରିକ୍ବାର୍ଟରଫାଇନାଲ୍ ଉଠିଛନ୍ତି। ଜାପାନ (୬ ପଏଣ୍ଟ୍, ୨ ବିଜୟ, ୧ ପରାଜୟ) ଗ୍ରୁପ୍ ବିଜେତା ଭାବେ ଏହି ସ୍ଥାନ ଅଧିକାର କରିଛି। ପରାଜୟ ସତ୍ତ୍ବେ ସ୍ପେନ୍ (୪ ପଏଣ୍ଟ୍, ୧ ବିଜୟ, ୧ ଅମୀମାଂସିତ, ୧ ପରାଜୟ) ଦ୍ବିତୀୟରେ ରହି ଶୀର୍ଷ ୧୬ ଦଳରେ ସାମିଲ ହୋଇଛି। ଅନ୍ୟପକ୍ଷରେ କୋଷ୍ଟାରିକାକୁ ୪-୨ରେ ଜର୍ମାନି ହରାଇବା ସତ୍ତ୍ବେ ବିଦାୟ ନେଇଛି। ସ୍ପେନ୍ (୬) ଓ ଜର୍ମାନି (୧) ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ଜର୍ମାନି ପଛରେ ପଡ଼ିଯାଇଥିଲା।
ଖଲିଫା ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଗୁରୁବାର ବିଳମ୍ବିତ ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ୩ ଥରର ବିଜେତା ସ୍ପେନ୍କୁ ୨-୧ ଗୋଲ୍ରେ ଜାପାନ୍ ପରାସ୍ତ କରି ଦେଇଥିଲା। ଆରମ୍ଭରୁ ପୂରା ଆଧିପତ୍ୟ ବିସ୍ତାର କରିଥିବା ସ୍ପେନ୍ ୧୧ତମ ମିନିଟ୍ରେ ହିଁ ଅଗ୍ରଣୀ ନେଇଥିଲା। ସିଜର ଆଜ୍ପିଲିକୁଟାଙ୍କ ପାସ୍କୁ ଆଲ୍ଭାରୋ ମୋରାଟା ହେଡର୍ରେ ଜାପାନ୍ର ଗୋଲ୍ ପୋଷ୍ଟ୍କୁ ବଲ୍ ପଠାଇ ଏହି ଅଗ୍ରଣୀ ଦେଇଥିଲେ। ଏହି ଏକ ମାତ୍ର ଗୋଲ୍ରେ ପ୍ରଥମାର୍ଦ୍ଧ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧରେ ଆରମ୍ଭରୁ ଜୁନ୍ୟା ଇତୋଙ୍କ ପାସ୍କୁ ରିତ୍ସୁ ଡୋଆନ୍ (୪୮ ମିନିଟ୍) ଜାପାନ୍ ପାଇଁ ଏହି ଗୋଲ୍ ଶୁଝି ସ୍ଥିତି ୧-୧ କରିଥିଲେ। କାରୁ ମିତୋମାଙ୍କ ସହାୟତାରେ ଆଓ ତାନକା (୫୧ ମିନିଟ୍) ସ୍ପେନ୍ ଗୋଲ୍ ପୋଷ୍ଟ୍କୁ ବଲ୍ ପଠାଇ ଦେବାରୁ ଜାପାନ୍ ୨-୧ରେ ଅଗ୍ରଣୀ ପାଇଥିଲା।
ଅଲ୍ ବାୟତ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଗ୍ରୁପ୍ର ଅନ୍ୟ ଏକ ମ୍ୟାଚ୍ରେ ୪ ଥରର ବିଜେତା ଜର୍ମାନି ୪-୨ ଗୋଲ୍ରେ କୋଷ୍ଟାରିକାକୁ ହରାଇ ଦେଇଥିଲା। ଜର୍ମାନୀ ଦ୍ବିତୀୟ ମିନିଟ୍ରେ ହିଁ କୋଷ୍ଟାରିକାର ବକ୍ସରେ ପହଞ୍ଚି ଯାଇଥିଲା। ହେଲେ କୋଷ୍ଟାରିକା ଗୋଲି କେଲର ନାଭାସ ଏହାକୁ ଅଟକାଇ ଦେଇଥିଲେ। ନବମ ମିନିଟ୍ରେ ମୁଲେର ଏକ ସୁବର୍ଣ୍ଣ ସୁଯୋଗ ହାତ ଛଡ଼ା କରିଥିଲେ ମଧ୍ୟ ଏହା ପର ମିନିଟ୍ରେ ଡେଭିଡ ରଉମଙ୍କ ପାସ୍କୁ ସର୍ଜେ ଜ୍ଞାବ୍ରି ଗୋଲ୍ରେ ପରିଣତ କରି ଜର୍ମାନିକୁ ଆଗୁଆ ରଖିଥିଲେ। ଏଥିସହ ଜ୍ଞାବ୍ରି ବିଶ୍ବକପ୍ର ପ୍ରଥମ ଗୋଲ୍ କରିବାର ଗୌରବ ପାଇଥିଲେ। ଦ୍ବିତୀୟାର୍ଦ୍ଧରେ କୋଷ୍ଟାରିକା ପ୍ରତ୍ୟାବର୍ତ୍ତନ କରିଥିଲା। ୫୮ତମ ମିନିଟ୍ରେ କୋଷ୍ଟାରିକା ମିଡ୍ଫିଲ୍ଡର ୟେଲ୍ସିନ୍ ତେଜେଦା ଏକାକୀ ବଲ୍ ନେଇ ଜର୍ମାନି ଗୋଲି ମାନୁଏଲ୍ ନିଉରଙ୍କୁ ପରାସ୍ତ କରି ଗୋଲ୍ ଦେଇଥିଲେ। ଏହି ଗୋଲ୍ ବଳରେ କୋଷ୍ଟାରିକା ସ୍ଥିତି ବରାବର କରିଥିଲା। ୭୦ତମ ମିନିଟ୍ରେ ଜୁଆନ୍ ପାବ୍ଲୋ ଭାର୍ଗାସ ଗୋଲ୍ ଦେଇ କୋଷ୍ଟାରିକାକୁ ୨-୧ରେ ଅଗ୍ରଣୀ ଦେଇଥିଲେ। ଏହି ଅଗ୍ରଣୀ ବେଶି ସମୟ ରହିନଥିଲା। ୪ ଥରର ବିଜେତା ଜର୍ମାନି ପ୍ରତ୍ୟାବର୍ତ୍ତନ କରିଥିଲା। ପଛରେ ପଡ଼ିବାର ୩ ମିନିଟ୍ ପରେ ଫୁଲକ୍ରୁଗଙ୍କ ପାସ୍କୁ ବଦଳ ଖେଳାଳି କାଇ ହାଭର୍ଜ (୭୩ ମିନିଟ୍) ଏହି ଗୋଲ୍ ଶୁଝି ଦେବାରୁ ସ୍ଥିତି ୨-୨ କରି ଦେଇଥିଲେ। ୮୫ତମ ମିନିଟ୍ରେ ଜ୍ଞାବ୍ରିଙ୍କ ପାସ୍କୁ ହାଭର୍ଜ ଗୋଲ୍ ଦେଇ ବ୍ୟକ୍ତିଗତ ଦ୍ବିତୀୟ ସଫଳତା ପାଇବା ସହ ଦଳକୁ ୩-୧ରେ ଆଗୁଆ ରଖିଥିଲେ। ଏହାର ୪ ମିନିଟ୍ ପରେ ଫୁଲକ୍ରୁଗ (୮୯ ମିନିଟ୍) ଗୋଲ୍ ଦେଇ ଦଳକୁ ୪-୨ ବିଜୟ ଭେଟି ଦେଇଥିଲେ। ଏହି ବିଜୟ କିନ୍ତୁ ଜର୍ମାନିକୁ ରାଉଣ୍ଡ ୧୬ରେ ପହଞ୍ଚାଇ ପାରିନଥିଲା।