ଭୁବନେଶ୍ବରକୁ ଫିଫା ମୋହ‌ର, କଳିଙ୍ଗ ଷ୍ଟାଡିୟମ୍‌‌ରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ୍‌

ଭୁବନେଶ୍ବର: ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି। କେବଳ ଓଡ଼ିଶା ନୁହେଁ ଭାରତରେ ପ୍ରଥମ ଥର ପାଇଁ ଏକ ଫିଫା ମହିଳା ପ୍ରତିଯୋଗିତା ଆୟୋଜିତ ହେବା ନିଶ୍ଚିତ ହୋଇଛି। ତା’ ପୁଣି ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍‌। ଭୁବନେଶ୍ବର ମଧ୍ୟ ଦେଶର ପ୍ରଥମ ଭେନ୍ୟୁ ଭାବେ ଫିଫାର ଅ‌ନୁମୋଦନ ଲାଭ କରିଛି। ୨୦୨୦ ମସିହା ସେପ୍ଟେମ୍ବର-ଅକ୍ଟୋବରରେ ଖେଳାଯିବାକୁ ଥିବା ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍‌ ଲାଗି ଗତବର୍ଷ ଭାରତକୁ ଆୟୋଜନ ଅଧିକାର ମିଳିଥିଲା। ଦେଶର ୪ଟି ସହରରେ ଖେଳାଯିବାକୁ ଥିଲେ ମଧ୍ୟ ଭୁବନେଶ୍ବର ପ୍ରଥମେ ଯୋଗ୍ୟତା ଅର୍ଜନ କରିଛି। କୋଲକାତା, ମୁମ୍ବାଇ, ଅହମ୍ମଦାବାଦ ଅନ୍ୟ ୩ ସହର ଦୌଡ଼ରେ ରହିଛନ୍ତି। ବିଶ୍ବକପ୍‌ ପାଇଁ ଫିଫାର ଧାର୍ଯ୍ୟ ମାନଦଣ୍ଡ ଔପଚାରିକତା ପୂର୍ଣ୍ଣ କରିବା ପରେ ଭୁବନେଶ୍ବରକୁ ଚୂଡାନ୍ତ ଅନୁମୋଦନ ମିଳିବ ବୋଲି କୁହାଯାଇଛି। ୨୦୨୦ ମସିହାର ୧୭ ବର୍ଷରୁ କମ୍‌ ଫିଫା ବିଶ୍ବକପ୍‌ ନିଶ୍ଚିତ ଭାବେ ଭାରତ ଏବଂ ଓଡ଼ିଶା କ୍ରୀଡ଼ାରେ ସୁଦୂର ପ୍ରସାରୀ ପ୍ରଭାବ ରଖିବ। କଳିଙ୍ଗ ଷ୍ଟାଡିୟମ୍ ଫୁଟ୍‌ବଲ୍‌ ଭିତ୍ତିଭୂମି ନିଶ୍ଚିତ ଫିଫା ସ୍ତରର ହୋଇଯିବ। ପ୍ରଥମ ଥର ପାଇଁ ଓଡ଼ିଶା ଏକ ଫିଫା ପ୍ରତିଯୋଗିତା ଆ‌‌ୟୋଜନ କରୁଥିବାରୁ ରାଜ୍ୟରେ ମହିଳା ଫୁଟ୍‌ବଲ୍ ପାଇଁ ମଧ୍ୟ ଏକ ଅପୂର୍ବ ସୁଯୋଗ ଆସିଛି। ‘ଭୁବନେଶ୍ବରକୁ ପ୍ରଥମ ସହର ଭାବେ ଫିଫାର ଅସ୍ଥାୟୀ ଅନୁମୋଦନ ମିଳିବା ଖୁସିର କଥା। ଏଥିପାଇଁ ଓଡ଼ିଶା ସରକାରଙ୍କୁ ଅଭିନନ୍ଦନ ଜଣାଉଛୁ’ ବୋଲି ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ସ୍ଥାନୀୟ ଆୟୋଜକ ସମିତି (ଏଲଓସି)ର ପ୍ରତିଯୋଗିତା ନିର୍ଦେଶିକା ରୋମା ଖାନ୍ନା। ଦେଶରେ ମହିଳା ଫୁଟବଲ୍‌ର କେନ୍ଦ୍ରରେ ରହିବାରେ ଓଡ଼ିଶା ଆଗୁଆ ହୋଇଛି। ଫିଫା ମାନଦଣ୍ଡ ଅନୁସାରେ ଷ୍ଟାଡିୟମ୍‌ ଏବଂ ତାଲିମ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଓଡ଼ିଶା ସରକାର ନିଜ ପ୍ରତିଶ୍ରୁତି ରକ୍ଷା କରିଛନ୍ତି। କିନ୍ତୁ ଏହାକୁ ଚୂଡାନ୍ତ ଦୃଢ଼ୀକରଣ କରିବା ପୂର୍ବରୁ ସରକାରଙ୍କୁ ଆଉ କିଛି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ଅଛି ବୋଲି ରୋମା ପ୍ରକାଶ କରିଥିଲେ।

ଆଉ ଏକ ବିଶ୍ବକପ୍ ଆୟୋଜନକୁ‌ ନେଇ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ କୁମାର ଦେବ ମଧ୍ୟ ଉତ୍ସାହିତ ଏବଂ ସଙ୍କଳ୍ପବଦ୍ଧ। ‘ଫିଫା ବିଶ୍ବକପ୍‌ ସହିତ ଜଡ଼ିତ ରହିବା ଆମ ପାଇଁ ଏକ ମର୍ଯ୍ୟାଦାଜନକ ମୁହୂର୍ତ, ଏହା ମଧ୍ୟ ଭୁବନେଶ୍ବରକୁ ବିଶ୍ବର ଅନ୍ୟ ପ୍ରମୁଖ ଫିଫା ମ୍ୟାଚ୍‌ ଆୟାଜିତ ସହର ସହିତ ଯୋଡ଼ିଛି। ଫିଫାର ନିୟମାବଳୀ ଅନୁସାରେ ଆମେ ଭିତ୍ତିଭୂମିର ବିକାଶ କରି ଚାଲିଛୁ। ଚୂଡାନ୍ତ ଅନୁମୋଦନ ମିଳିବା ନେଇ ଆତ୍ମବିଶ୍ବାସ ରଖିଛୁ’ ବୋଲି ଶ୍ରୀ ଦେବ ପ୍ରକାଶ କରିଥିଲେ। ଓଡ଼ିଶାର ଯୁବଗୋଷ୍ଠୀ ଏବଂ ତୃଣମୂଳ ସ୍ତରରେ ଫୁଟବଲ୍ ନିଶ୍ଚିତ ସକାରାତ୍ମକ ପ୍ରଭାବ ଛାଡ଼ିବ ବୋଲି ଶ୍ରୀ ଦେବ ଆଶା ପ୍ରକାଶ କରିଥିଲେ। ଚଳିତ ବର୍ଷ ଶେଷ ଭାଗରେ ଚୂଡାନ୍ତ ଅନୁଧ୍ୟାନ ପରେ କଳିଙ୍ଗ ଷ୍ଟାଡିୟମ୍‌କୁ ପୂର୍ଣ୍ଣାଙ୍ଗ ଅନୁମୋଦନ ମିଳିଯିବ। କ୍ରୀଡ଼ାମନ୍ତ୍ରୀ ତୁଷା‌ରକାନ୍ତୀ ବେହେରା ମଧ୍ୟ ଏକ ପ୍ରେସ୍ ବିଜ୍ଞପ୍ତିରେ ଭୁବନେଶ୍ବରକୁ ଫିଫା ଆୟୋଜନ ଅଧିକାର ମିଳିଥିବାରୁ ଉଲ୍ଲସିତ ଅଛନ୍ତି। ଭୁବନେଶ୍ବରକୁ ପ୍ରଥମ ସହର ଭାବେ ଅନୁମୋଦନ ମିଳିଥିବାରୁ ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟ। ଦେଶରେ ପ୍ରଥମ ଥର ପାଇଁ ଏକ ମହିଳା ଫୁଟ୍‌ବଲ୍‌ ବିଶ୍ବକପ୍‌ ଅନୁଷ୍ଠିତ ହେବ। ବିଶ୍ବର ସବୁଠୁ ଲୋକପ୍ରିୟ ଖେଳର ବିଶ୍ବ ପ୍ରତିଯୋଗିତା ନିଶ୍ଚିତ ରାଜ୍ୟ ପାଇଁ ସମ୍ମାନର କଥା ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର