ରବିବାର ରାତିରେ ଫିଫା ବିଶ୍ବକପ୍ ମୁକୁଟ ଆର୍ଜେଣ୍ଟିନା ଜିତୁ କି ଫ୍ରାନ୍ସ, ଭାରତୀୟ କ୍ରୀଡ଼ା ପାଇଁ ଏହାର ବିଶେଷ କରି ଫରକ ପଡ଼ିବାର ନାହିଁ। କିନ୍ତୁ ଭାରତୀୟ ବ୍ୟବସାୟୀମାନେ ଏଥିରୁ ଯେ ଫାଇଦା ହାସଲ କରି ମାଲେମାଲ ହେବାକୁ ଯାଉଛନ୍ତି ଏହା ନିଶ୍ଚିତ ହୋଇଛି। ଭାରତୀୟ ସମୟ ରାତି ୮.୩୦ରୁ ଫାଇନାଲ୍ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଥିବାରୁ ପରବର୍ତୀ ୨/୩ ଘଣ୍ଟାରେ ଦେଶର ରେସ୍ତୋରାଁ, ବାର୍, ପବ୍ ଆଦିରେ ଫୁଟ୍ବଲ୍ ମହୋତ୍ସବ ଚାଲିବ। ବଡ଼ ବଡ଼ ସ୍କ୍ରିନ୍ରେ ପ୍ରଶଂସକମାନେ ମ୍ୟାଚ୍ ଦେଖିବା ସହ ଏହାର ମଜା ନେବାକୁ ପ୍ରସ୍ତୁତ ହୋଇଛନ୍ତି। ଭାରତର ଅଧିକାଂଶ ବଡ଼ ସହରରେ ଫୁଟ୍ବଲ୍ର ବିଶ୍ବକପ୍ ଫାଇନାଲ୍ ଦେଖିବାକୁ ପ୍ରଶଂସକମାନେ ଯୋଜନା କରିଛନ୍ତି। ଏପରିକି କେତେକ ପ୍ରମୁଖ ହୋଟେଲରେ ବି ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି।
ବାର୍, ପବ୍ ଓ ରେସ୍ତୋରାଁରେ ଟିକେଟ୍ର ମୂଲ୍ୟ ୧୦,୦୦୦ ଟଙ୍କା ରଖାଯାଇଥିବା ବେଳେ ସମସ୍ତ ଟିକେଟ୍ ବିକ୍ରି ସରିଯାଇଛି। ଏଭଳି ସୂଚନା ଦେଇଛନ୍ତି ନୂଆଦିଲ୍ଲୀ ଗୁରଗାଁଓର ସାଇବର୍ ହବ୍ରେ ଥିବା ଡିଏଲ୍ଏଫ୍ ରିଟେଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପୁଷ୍ପା ବେକ୍ଟର୍। ଏହି ସବୁ ବାର୍, ପବ୍, ରେସ୍ତୋରାଁରେ ପ୍ରଶଂସକଙ୍କ ଚାହିଦାର ଖାଦ୍ୟ, ପାନୀୟ ଉପଲବ୍ଧ କରାଯାଇଛି। ପସଦର ଖାଦ୍ୟ ସହିତ ଫୁଟ୍ବଲ୍ର ମଜା ନେବାକୁ ସେମାନେ ଖସଡ଼ା ପ୍ରସ୍ତୁତ କରିଛନ୍ତି। କେବଳ ଦିଲ୍ଲୀ ଏନ୍ସିଆର୍ ନୁହେଁ ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ଗୋଆ, କେରଳ ଆଦି ଫୁଟ୍ବଲ୍ କୈନ୍ଦ୍ରୀକ ମେଟ୍ରୋ ସହରମାନଙ୍କରେ ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି।
ମ୍ୟାଚ୍ ରାତି ୮.୩୦ରେ ଆରମ୍ଭ ହେଉଥିବାରୁ ଏହା ଭାରତୀୟ ରେସ୍ତୋରାଁ, ବାର୍, ପବ୍, ହୋଟେଲ୍ଗୁଡ଼ିକ ପାଇଁ ମଧ୍ୟ ଅପୂର୍ବ ସୁଯୋଗ ଆଣିଦେଇଛି। ପିକ୍ ସମୟରେ ଫିଫା ବିଶ୍ବକପ୍ ଫାଇନାଲ୍ ଥିବାରୁ ବେପାର ପାଇଁ ବଡ଼ ସୁଯୋଗ ଆଣିଛି ବୋଲି କହିଛନ୍ତି ଏକ ବିୟର୍ କାଫେର ପ୍ରତିଷ୍ଠାତା କାର୍ଯ୍ୟନିର୍ବାହୀ ରାହୁଲ ସିଂହ। ମୁମ୍ବାଇ, ବେଙ୍ଗାଲୁରୁରେ ବୁକିଂ ପାଇଁ କିଛି ସୁଯୋଗ ରହିଛି ବୋଲି ମଧ୍ୟ ସୂଚନା ଦିଆଯାଇଛି। ଫୁଟ୍ବଲ୍ ପ୍ରଶଂସକମାନେ ମଧ୍ୟ ଏହି ଅବସରରେ ଆର୍ଜେଣ୍ଟିନା-ଫ୍ରାନ୍ସ ଏବଂ ମେସି-ଏମ୍ବାପେଙ୍କୁ ନେଇ ପ୍ରବଳ ଉତ୍ସୁକତା ଦେଖାଇଛନ୍ତି।