ଦୋହା, ୫/୧୨: କାତାର ବିଶ୍ବକପ୍ର ପ୍ରଥମ କ୍ବାର୍ଟରଫାଇନାଲ୍ରେ କ୍ରୋଏସିଆର ମୁକାବିଲା ବ୍ରାଜିଲ୍ ସହିତ ହେବ। ଏହି ମ୍ୟାଚ୍ ଶୁକ୍ରବାର ଏଜୁକେସନ୍ ସିଟି ଷ୍ଟାଡିୟମ୍ରେ ଖେଳାଯିବ। ସୋମବାର ଷ୍ଟାଡିୟମ୍ ୯୭୪ର ଶେଷ ମ୍ୟାଚ୍ରେ ବ୍ରାଜିଲ୍ ୪-୧ ଗୋଲ୍ରେ ଦକ୍ଷିଣ କୋରିଆକୁ ହରାଇଛି। ଏହି ପରାଜୟ ଫଳରେ ଚଳିତ ବିଶ୍ବକପ୍ରୁ ଜାପାନ ପରେ ଦକ୍ଷିଣ କୋରିଆ ଦ୍ବିତୀୟ ଏସୀୟ ଦେଶ ଭାବେ କ୍ବାର୍ଟର ଦୌଡ଼ରୁ ବାଦ୍ ପଡ଼ିଛି। ଏହି ବିଶ୍ବକପ୍ରେ ପ୍ରଥମ ଥର ମ୍ୟାଚ୍ର ପ୍ରଥମାର୍ଦ୍ଧରେ କୌଣସି ଦଳ ୪ ଗୋଲ୍ ସ୍କୋର କରିଥିଲା। ମ୍ୟାଚ୍ର ସପ୍ତମ ମିନିଟ୍ରେ ଭିନିସିଅସ୍ ପ୍ରଥମ ଗୋଲ୍ ଦେଇଥିଲେ। ୩ ମିନିଟ୍ ପରେ ବ୍ରାଜିଲ୍କୁ ପେନାଲ୍ଟି ମିଳିବାରୁ ନେମାର ତାହାକୁ ଗୋଲ୍ରେ ପରିଣତ କରିଥିଲେ। ଏହା ତାଙ୍କର ବିଶ୍ବକପ୍ରେ (୧୨ ମ୍ୟାଚ୍) ସପ୍ତମ ଗୋଲ୍ ଥିଲା। ଏପରିକି ପେଲେ ଓ ରୋନାଲ୍ଡୋଙ୍କ ପରେ ତୃତୀୟ ବ୍ରାଜିଲିୟ ଖେଳାଳି ଭାବେ ତିନୋଟି ବିଶ୍ବକପ୍ରେ ଗୋଲ୍ ଦେଇଥିଲେ। ୨୯ତମ ମିନିଟ୍ରେ ଏକ କର୍ଣ୍ଣରକୁ ରିଚାର୍ଲିସନ୍ ସୁବିଧାରେ ଗୋଲ୍ ଦେଇ ଦଳକୁ ସୁବିଧାଜନକ ସ୍ଥିତିରେ ପହଞ୍ଚାଇଥିଲେ। ଏତିକିରେ ବ୍ରାଜିଲ୍ ଖେଳାଳିମାନେ ଚୁପ୍ ନରହି ୩୬ତମ ମିନିଟ୍ରେ ଲୁକାସ ପାକ୍ବେଟା ଦଳ ଚତୁର୍ଥ ଗୋଲ୍ ଦେଇ ଦକ୍ଷିଣ କୋରିଆ ଖେଳାଳିଙ୍କୁ ଚାପ ଭିତରକୁ ଠେଲି ଦେଇଥିଲେ। ୬୮ ବର୍ଷ ପରେ ବ୍ରାଜିଲ୍ ପ୍ରଥମାର୍ଦ୍ଧରେ ୪ ଗୋଲ୍ ସ୍କୋର କରିଥିଲା। ୧୯୫୪ରେ ମେକ୍ସିକୋ ବିପକ୍ଷରେ ବ୍ରାଜିଲ୍ ଏପରି କାରନାମା ଦେଖାଇଥିଲା। ଦ୍ବିତୀୟାର୍ଦ୍ଧରେ ମଧ୍ୟ ବ୍ରାଜିଲ୍ ଦବ୍ଦବା ରଖିବାକୁ ଯାଇ ଘନଘନ ଆକ୍ରମଣ ଜାର ରଖିଥିଲା। ତେବେ ୭୬ ମିନିଟ୍ରେ ପାଇକ୍ ସେୟୁଙ୍ଗ ହୋ ଗୋଟିଏ ଗୋଲ୍ ଶୁଝି ଏହି ବ୍ୟବଧାନକୁ କମ୍ କରିଥିଲେ। କିନ୍ତୁ ଦଳକୁ ପରାଜୟରୁ ଉଦ୍ଧାର କରିବା ପାଇଁ ଏହା ଯଥେଷ୍ଟ ହୋଇନଥିଲା।
ସୁଟ୍ଆଉଟ୍ରେ ଜାପାନ ବିଦା
ଅଲ୍ ୱାକ୍ରା: ଚଳିତ ଫିଫା ବିଶ୍ବକପ୍ରେ ସୋମବାର ଜାପାନକୁ ପେନାଲ୍ଟି ସୁଟ୍ ଆଉଟ୍ରେ ହରାଇ କ୍ରୋଏସିଆ କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛି। ନିୟମିତ ସମୟ (୯୦ ମିନିଟ୍)ରେ ମ୍ୟାଚ୍ ୧-୧ ଗୋଲରେ ଶେଷ ହେବାରୁ ପ୍ରଥମ ଥର ପାଇଁ ଚଳିତ ବିଶ୍ବକପ୍ର ଏକ ମ୍ୟାଚ୍ ଅତିରିକ୍ତ ସମୟକୁ ଯାଇଥିଲା। ଅତିରିକ୍ତ ୩୦ ମିନିଟ୍ ଗୋଲଶୂନ୍ୟ ରହିବାରୁ ମ୍ୟାଚ୍ ପେନାଲଟି ସୁଟ୍ ଆଉଟ୍କୁ ଯାଇଥିଲା। କ୍ରୋଏସିଆ ଗୋଲରକ୍ଷକ ଡୋମିନିକ୍ ଲିଭାକୋଭିକ୍ ୩ଟି ଗୋଲ୍ ବଞ୍ଚାଇବା କାରଣରୁ ଦଳ ଆଗକୁ ବଢ଼ିଯାଇଥିଲା। ପେନାଲ୍ଟି ସୁଟ୍ ଆଉଟ୍ରେ କ୍ରୋଏସିଆ ୩-୧ରେ ଜିତିଯାଇଥିଲା। ସୋମବାରର ବିଜୟ ସହିତ କ୍ରୋଏସିଆ ମଧ୍ୟ ଲଗାତାର ତୃତୀୟ ଥର ବିଶ୍ବକପ୍ରେ ପେନାଲ୍ଟି ସୁଟ୍ ଆଉଟ୍ ଜିତିପାରିଥିଲା। ୨୦୧୮ରେ ରୁଷିଆ, ଡେନମାର୍କକୁ କ୍ରୋଏସିଆ ଏଭଳି ପରାସ୍ତ କରିଥିଲା। ଜାପାନର ପେନାଲ୍ଟି ସୁଟ୍ ଆଉଟ୍ ଦୁର୍ଭାଗ୍ୟ ଜାରି ରହିଛି। ୨୦୧୦ରେ ପାରାଗୁଏଠୁ ମଧ୍ୟ ଜାପାନ ସୁଟ୍ ଆଉଟ୍ରେ ହାରି ବିଦାୟ ନେଇଥିଲା।
ଅଲ୍ ୱାକ୍ରାର ଅଲ୍ ଜାନୌବ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଜାପାନ ଭଲ ଖେଳିଥିଲା। ୪୩ତମ ମିନିଟରେ ଦଳକୁ ମିଳିଥିବା ସର୍ଟ କର୍ଣ୍ଣର ସମୟରେ ଡାଇଜେନ୍ ମାଏଦା ଗୋଲ ଦେଇଥିଲେ। ଏଥି ସହିତ ପ୍ରଥମାର୍ଦ୍ଧକୁ ଜାପାନ ୧-୦ରେ ଶେଷ କରିଥିଲା। ଦ୍ବିତୀୟାର୍ଦ୍ଧରେ କିନ୍ତୁ କ୍ରୋଏସିଆକୁ ଅପ୍ରତ୍ୟାଶିତ ଭାବେ ବରାବାର ସୁଯୋଗ ମିଳିଯାଇଥିଲା। ଲୋଭରେନ୍ଙ୍କ କ୍ରସ୍ ବକ୍ସ ଭିତରକୁ ଚାଲିଯିବା ପରେ ୫୫ତମ ମିନିଟରେ ହେଡର୍ ଜରିଆରେ ଇଭାନ୍ ପେରିସିକ୍ ଏହାକୁ ଗୋଲ୍ରେ ପରିଣତ କରି ଦେଇଥିଲେ। ମ୍ୟାଚ୍ ୧-୧ ସ୍ତରକୁ ଆସିଯିବାରୁ ଅଧିକ ଆକ୍ରମଣାତ୍ମକ ଢ଼ଙ୍ଗରେ ଉଭୟ ଦଳ ଖେଳିଥିଲେ। ଦ୍ବିତୀୟାର୍ଦ୍ଧ ଶେଷ ଭାଗରେ କୌଣସି ଦଳ ଗୋଲ୍ ନ କରିବାରୁ ମ୍ୟାଚ୍ ଅତିରିକ୍ତ ସମୟକୁ ଚାଲିଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/5h465sf46fs5h46fs5h.jpg)