ଫିଫା ବିଶ୍ବକପ୍‌: ରୋନାଲ୍ଡୋଙ୍କ ପାଇଁ ଶେଷ ସୁଯୋଗ

ଦୋହା: ବିଶ୍ବର ଶ୍ରେଷ୍ଠ ଖେଳାଳି ଭାବେ ପରିଚିତ ପର୍ତ୍ତୁଗାଲ ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପାଇଁ କାତାର ଫିଫା ବିଶ୍ବକପ୍‌ ହେଉଛି ଶେ‌ଷ ବିଶ୍ବକପ୍‌। ୫ ଥର ବିଶ୍ବର ଶ୍ରେଷ୍ଠ ଖେଳାଳି ପୁରସ୍କାର କରାୟତ୍ତ କରିଥିବା ଏହି ଫୁଟ୍‌ବଲର୍‌ କିନ୍ତୁ ନିଜ ଦେଶକୁ ବିଶ୍ବକପ୍‌ ଭେଟି ଦେବାରେ ବିଫଳ ହୋଇଛନ୍ତି। ଏହି ‌ଶେଷ ସୁଯୋଗକୁ ସଫଳ କରିବାକୁ ଚେଷ୍ଟା କରିବେ ସେ। ଜଣେ ମହାନ ଫରୱାର୍ଡ ଭାବେ ପରିଚିତ ରୋନାଲ୍ଡୋ ସଂପ୍ରତି ମ‌ାଞ୍ଚେଷ୍ଟର ୟୁନାଇଟେଡ୍‌ ଓ ପର୍ତ୍ତୁଗାଲ ପାଇଁ ସଂଘର୍ଷ କରୁଛନ୍ତି। ତେଣୁ ତାଙ୍କର ଉଜ୍ଜ୍ବଳ ଖେଳ ଜୀବନର ଅନ୍ତକୁ ନେଇ ଏବେ ପ୍ରଶ୍ନ ଉଠୁଛି। ପୁରୁଷ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଇତିହାସରେ ସର୍ବାଧିକ ‌ ଗୋଲ୍‌ ସ୍କୋରର୍‌ ହେଉଛନ୍ତି ଏହି ପର୍ତ୍ତୁଗାଲ ତାରକା। ସେ ୧୯୧ ମ୍ୟାଚ୍‌ ଖେଳି ୧୭୧ ଗୋଲ୍‌ କରିଛନ୍ତି। ୨୦୦୪ ୟୁରୋରେ ସେ ଗ୍ରିସ୍‌ ବିପକ୍ଷରେ ପର୍ତ୍ତୁଗାଲ ପକ୍ଷରୁ ପ୍ରଥମ ଗୋଲ୍‌ ଦେଇଥିଲେ। ଶେଷ ଥର ଲାଗି ଗତ ଜୁନ୍‌ରେ ସେ ‌ନ୍ୟୁଜିଲାଣ୍ଡ ବିପକ୍ଷରେ ଯୁଗଳ ଗୋଲ୍‌ ଦେଇଥିଲେ।

ସେ ତାଙ୍କ ଜୀବନରେ ୮୧୮ ଗୋଲ୍‌ ଦେଇଥିଲା ବେଳେ ଚାମ୍ପିଅନ୍ସ ଲିଗ୍‌ରେ କୀର୍ତ୍ତିମାନ ଭରା ୧୪୦ ଗୋଲ୍‌ କରିଛନ୍ତି। ରୋନାଲ୍ଡୋ ରିଅଲ ମାଡ୍ରିଡ, ଜୁଭେଣ୍ଟସ ଓ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଭଳି ବିଶ୍ବର ବଡ଼ କ୍ଲବ୍‌ ପକ୍ଷରୁ ଖେଳି ନିଜ କ୍ରୀଡ଼ା ଜୀବନକୁ ପୁଲ୍ଲକିତ କରିଥିଲେ ମଧ୍ୟ ଏବର ଫର୍ମ ତାଙ୍କୁ ପଛକୁ ଟାଣିଛି। ଗତ ବର୍ଷ ପର୍ତ୍ତୁଗାଲ ପକ୍ଷରୁ ୧୦ ମ୍ୟାଚ୍‌ ଖେଳିଥିଲେ ମଧ୍ୟ କେବଳ ‌ନେସନ ଲିଗ୍‌ରେ ସ୍ବିଜରଲାଣ୍ଡ ବିପକ୍ଷରେ ଯୁଗଳ ଗୋଲ୍‌ ଦେବାକୁ ସକ୍ଷମ ହୋଇଥିଲେ। ପଞ୍ଚମ ଥର ଲାଗି ବିଶ୍ବକପ୍‌ ଖେଳିବାକୁ ଯାଉଥିବା ରୋନାଲ୍ଡୋଙ୍କ ନେତୃତ୍ବରେ ପର୍ତ୍ତୁଗାଲ ମଧ୍ୟ ବିଶ୍ବର ଶ୍ରେଷ୍ଠ ଦଳରେ ଗଣା ଯାଉଛି। ହେଲେ ଏହି ଦଳ ବଡ଼ ପ୍ରତିଯୋଗିତାରେ ବିଫଳ ରହୁଛି। ୨୦୦୬ରେ ସେମିଫାଇନାଲ୍‌ରେ ପହଞ୍ଚିଥିବା ଏହି ଦଳ ୨୦୧୦ ଓ ୨୦୧୮ରେ କ୍ବାର୍ଟରଫାଇନାଲ୍‌ରୁ ନକ୍‌ଆଉଟ୍‌ ହୋଇଥିଲା। ୨୦୧୪ରେ ଗ୍ରୁପ୍‌ ଷ୍ଟେଜ୍‌ରୁ ‌ବିଦା ହୋଇଥି‌ଲା ପର୍ତ୍ତୁଗାଲ। କିନ୍ତୁ କାତାରରେ ‌ବିଶ୍ବକପ୍‌ ‌ଜିତିବା ଲାଗି ରୋନାଲ୍ଡୋଙ୍କ ପାଇଁ ଏହା ଶେଷ ସୁଯୋଗ। ସେ ଏହାକୁ କେତେ ସଫଳ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ। ଗତ ସେପ୍ଟେମ୍ବରରେ ରୋନାଲ୍ଡୋ କହିଥିଲେ, ‘‘କ୍ରିଷ୍ଟିଆନୋଙ୍କ ଆଉ ଅଳ୍ପ କିଛି ବାକି ରହିଛି। ମୁଁ ଯୁବ ଦଳର ଅଂଶବିଶେଷ। ବିଶ୍ବକପ୍‌ ସହ ଆଗାମୀ ୟୁରୋ କପ୍‌ରେ ଖେଳିବାକୁ ଚାହେଁ’’। ବିଶ୍ବକପ୍‌ ପୂର୍ବରୁ ତାଙ୍କର ଏହି ବକ୍ତବ୍ୟ ନିଶ୍ଚିତ ପର୍ତ୍ତୁଗାଲ ଦଳକୁ ଶକ୍ତି ଯୋଗାଇବ।

ସମ୍ବନ୍ଧିତ ଖବର