ଫିଫା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ: ସଙ୍ଗରୋଧ ନିୟମ ଭାଙ୍ଗିବା ପରେ ବ୍ରାଜିଲ-ଆର୍ଜେଣ୍ଟିନା ମ୍ୟାଚ୍ ସ୍ଥଗିତ

ଇଟାଲିର ଅପରାଜେୟ କୀର୍ତ୍ତିମାନ, ଜର୍ମାନି ୬-୦ରେ ଆର୍ମେନିଆକୁ ହରାଇଲା

ସାଓ ପାଲୋ: ଏକାଧିକ ଖେଳାଳି ସଙ୍ଗରୋଧ ନିୟମ ଭାଙ୍ଗିବା ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବ୍ରାଜିଲ ଓ ଆର୍ଜେଣ୍ଟିନା ମଧ୍ୟରେ ଏଠାରେ ଖେଳାଯିବାକୁ ଥିବା ଫିଫା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌କୁ ସ୍ଥଗିତ କରି ଦିଆଯାଇଛି। ସୂଚନା‌ଅନୁସାରେ ଆର୍ଜେଣ୍ଟିନା ଜାତୀୟ ଦଳର ଗୋଲ୍‌ରକ୍ଷକ ଏମିଲିଆନୋ ମାର୍ଟିନେଜ୍, ତାରକା ଖେଳାଳି କ୍ରିଷ୍ଟିଆନ୍ ରୋମେରୋ ଓ ଜିଓଭାନି ଲୋ ସେଲସୋ ସଙ୍ଗରୋଧ ଅବଧି ଶେଷ ନ କରି ଖେଳିବାକୁ ଆସିଥିଲେ। ଏଣୁ ମ୍ୟାଚ୍ ଆରମ୍ଭ ହେବାର ମାତ୍ର ୫ ମିନିଟ୍ ପୂର୍ବରୁ ବ୍ରାଜିଲ ସ୍ବାସ୍ଥ୍ୟ ଅଧିକାରୀମାନେ ପଡ଼ିଆ ଭିତରେ ପଶି ଖେଳ ବନ୍ଦ କରି ଦେଇଥିଲେ। ଗ୍ରେଟ୍ ବ୍ରିଟେନ୍, ଦକ୍ଷିଣ ଆଫ୍ରିକା ଓ ଭାରତରୁ ଆସୁଥିବା ଯାତ୍ରୀଙ୍କ ପାଇଁ ୧୪ ଦିନର ସଙ୍ଗରୋଧକୁ ବ୍ରାଜିଲ ବାଧ୍ୟତାମୂଳକ କରିଛି। ଏହି ତିନି ଜଣ ଗ୍ରେଟ୍ ବ୍ରିଟେନ୍‌ରୁ ବ୍ରାଜିଲ ପହଞ୍ଚିଥିଲେ ମଧ୍ୟ ୧୪ ଦିନର ସଙ୍ଗରୋଧ ଶେଷ କରିବା ପୂର୍ବରୁ ଆର୍ଜେଣ୍ଟିନା ଦଳରେ ସାମିଲ ହୋଇଥିଲେ। ରେଫରି ଓ ମ୍ୟାଚ୍ ଅଧିକାରୀମାନେ ଏହି ବିଷୟ ଫିଫା ଶୃଙ୍ଖଳା ସମିତିକୁ ଜଣାଇ ଦେଇଛନ୍ତି। ଫିଫା ମ୍ୟାଚ୍‌କୁ ନେଇ ପରବର୍ତ୍ତୀ ନିଷ୍ପତ୍ତି ‌ନେବ ବୋଲି ଦକ୍ଷିଣ ଆମେରିକୀୟ ଫୁଟବଲ୍ ସଂଘ କହିଛି।

ଇଟାଲିର ଅପରାଜେୟ କୀର୍ତ୍ତିମାନ

ରୋମ: ଅନ୍ତର୍ଜାତୀୟ ଫୁଟବଲ୍‌ରେ ଅପରାଜେୟ ରହିବାରେ ଇଟାଲି ବିଶ୍ବ କୀର୍ତ୍ତିମାନ କରିଛି। ସ୍ବିଜରଲାଣ୍ଡ ବିପକ୍ଷ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌କୁ ଅମୀମାଂସିତ (୦-୦) ରଖି ରବିବାର ଏଭଳି ଅନନ୍ୟ ସଫଳତା ଲାଭ କରିଛି ଏହି ୟୁରୋକପ୍ ବିଜେତା ଦଳ। ଏହି ମ୍ୟାଚ୍ ସହ ଇଟାଲିର ଅପରାଜେୟ ଧାରା ୩୬କୁ ବଢ଼ିଥିଲା। ଏହିକ୍ରମରେ ସ୍ପେନର ସର୍ବାଧିକ ୩୫ ମ୍ୟାଚ୍‌ରେ ଅପରାଜେୟ ରହିବାର କୀର୍ତ୍ତିମାନ ଭାଙ୍ଗି ଯାଇଥିଲା। ୧୯୯୩ରୁ ୧୯୯୬ ମଧ୍ୟରେ ବ୍ରାଜିଲ ୩୫ ମ୍ୟାଚ୍‌ରେ ଅପରାଜେୟ ରହିବାର କୀର୍ତ୍ତିମାନ କରିଥିଲା। ୨୦୦୯ ମସିହାରେ ସ୍ପେନ୍ ଏହାର ସମକକ୍ଷ ‌ହୋଇଥିଲା। ସୋମବାର ମ୍ୟାଚ୍‌କୁ ଅମୀମାଂସିତ ରଖିବା ପରେ ଇଟାଲି ଗ୍ରୁପ୍ ସି’ରେ ୫ ମ୍ୟାଚ୍‌ରୁ ୧୧ ପଏଣ୍ଟ୍‌ ହାସଲ କରି ଦୃଢ଼ ସ୍ଥିତିରେ ଥିଲା। ହାତରେ ଆଉ ଦୁଇଟି ମ୍ୟାଚ୍ ଥିଲା ବେଳେ ଏହି ଦଳ ଏବେ ଦ୍ବିତୀୟ ସ୍ଥାନରେ ଥିବା ସ୍ବିଜରଲାଣ୍ଡଠାରୁ ୪ ପଏଣ୍ଟ୍‌ ଆଗୁଆ ରହିଛି।

ଜର୍ମାନି ୬-୦ରେ ଆର୍ମେନିଆକୁ ହରାଇଲା

ବର୍ଲିନ: ଫିଫା ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ୍ ଜେ’ ମ୍ୟାଚ୍‌ରେ ଜର୍ମାନି ୬-୦ରେ ଆର୍ମେନିଆକୁ ପରାସ୍ତ କରିଥିଲା। ତା ସହ ୫ ମ୍ୟାଚ୍‌ରୁ ୧୨ ପଏଣ୍ଟ୍‌ ପାଇ ଏହି ଗ୍ରୁପର ଶୀର୍ଷସ୍ଥାନ ବଜାୟ ରଖିଥିଲା। ଜର୍ମାନି ପକ୍ଷରୁ ମଧ୍ୟଭାଗ ଖେଳାଳି ସର୍ଗି ଗାବ୍ରି ଦୁଇଟି ଗୋଲ୍ ଦେଇଥିଲେ। ଆର୍ମେନିଆ ବିପକ୍ଷ ବୃହତ୍ ବିଜୟ ପରେ ଜର୍ମାନି ଆଗାମୀ ଫିଫା ବିଶ୍ବକପ୍ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ ଆର୍ମେନିଆର ଯୋଗ୍ୟତା ଅର୍ଜନ ଆଶା ଆଶଙ୍କା ଭିତରକୁ ଚାଲିଯାଇଛି।

ପୋଲାଣ୍ଡ, ସ୍ପେନ୍ ଓ ବେଲଜିୟମର ସହଜ ବିଜୟ

ବ୍ରସେଲ୍ସ: ରୋମେଲୁ ଲୁକାକୁଙ୍କ ଶତକୀୟ ଅନ୍ତର୍ଜାତୀୟ ମ୍ୟାଚ୍‌କୁ ସ୍ମରଣୀୟ କରି ଫିଫା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟର ରବିବାର ମ୍ୟାଚ୍‌ରେ ବେଲଜିୟମ ୩-୦ ଗୋଲ୍‌ରେ ଚେକ୍ ରିପବ୍ଲିକ୍‌କୁ ପରାସ୍ତ କରିଛି। ବେଲିଜିୟମ ପକ୍ଷରୁ ଅଧିନାୟକ ଇଡେନ୍ ହାଜାର୍ଡ, ଲୁକାକୁ ଏବଂ ବଦଳ ଖେଳାଳି ଆଳେକ୍ସି ସେଲେମେକର୍ସ ଦେଇଥିଲେ। ବେଲଜିୟମ ପକ୍ଷରୁ ଲକାକୁଙ୍କର ଏହା ବ୍ୟକ୍ତିଗତ ଭାବେ ୬୭ତମ ଗୋଲ୍ ଥିଲା। ସେହିଭଳି ଅନ୍ୟଏକ ଗ୍ରୁପ୍ ବି’ ମ୍ୟାଚ୍‌ରେ ସ୍ପେନ୍ ୪-୦ରେ ଜର୍ଜିୟାକୁ ପରାସ୍ତ କରିଥିଲା। ସ୍ପେନ୍ ପକ୍ଷରୁ ଜୋସ୍ ଗୟା, କାର୍ଲୋସ୍‌ ସୋଲେର, ଫେରାନ୍ ଟୋ‌ରେସ୍ ଓ ପାବଲୋ ସାରାବିୟା ଗୋଲ୍ ଦେଇଥିଲେ। ଗ୍ରୁପ୍-ଆଇ ମ୍ୟାଚ୍‌ରେ ପୋଲାଣ୍ଡ ୭-୧ ଗୋଲ୍‌ରେ ସାନ୍ ମାରିନୋକୁ ଧରାଶାୟୀ କରିଥିଲା।

ସମ୍ବନ୍ଧିତ ଖବର