ନୂଆଦିଲ୍ଲୀ: ଏସୀୟ ବିଜେତା କାତାର ବିପକ୍ଷ ଭାରତୀୟ ଦଳର ୨୦୨୨ ଫିଫା ବିଶ୍ବକପ୍ ଯୋଗ୍ୟତାପର୍ଯ୍ୟାୟ ମୁକାବିଲା କୋଭିଡ୍-୧୯ ମହାମାରୀ ପାଇଁ ସ୍ଥଗିତ ଥିଲା। ଏହି ମ୍ୟାଚ୍ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥା’ନ୍ତା। ତେବେ ଏହି ମ୍ୟାଚ୍ ପାଇଁ ଶୁକ୍ରବାର ପୁନଃସୂଚୀ ଘୋଷଣା କରାଯାଇଛି। ଏହି ମ୍ୟାଚ୍ର ନୂଆ ତାରିଖ ପାଇଁ ମହାଦେଶୀୟ ସଂଘ ପ୍ରସ୍ତାବ ଦେଇଥିଲା। ଫଳରେ ଭାରତ-କାତାର ମ୍ୟାଚ୍ ଅକ୍ଟୋବର ୮ ତାରିଖକୁ ସାନି ଧାର୍ଯ୍ୟ କରାଯାଇଛି। ଭାରତ ଏହି ମ୍ୟାଚ୍ ଘରୋଇ ପରିବେଶରେ ଖେଳିବ। ଏହାପରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ବିଦେଶରେ ବାଂଲାଦେଶ ସହ ନଭେମ୍ବର ୧୨ ଏବଂ ଆଫ୍ଗାନିସ୍ତାନ ସହ ନଭେମ୍ବର ୧୭ ତାରିଖରେ ଖେଳିବ। ଫିଫା ସହ ଆଲୋଚନା ପରେ ଏସୀୟ ଫୁଟ୍ବଲ୍ ସଂଘ (ଏଏଫ୍ସି) କାତାରରେ ଆୟୋଜିତ ହେବାକୁ ଥିବା ୨୦୨୨ ବିଶ୍ବକପ୍ ଯୋଗ୍ୟତାପର୍ଯ୍ୟାୟର ଦ୍ବିତୀୟ ଚରଣର ଅବଶିଷ୍ଟ ମ୍ୟାଚ୍ଗୁଡ଼ିକ ପାଇଁ ପୁନଃସୂଚୀ ପ୍ରସ୍ତୁତ କରିଛି।
ସେହିପରି ଚୀନ୍ରେ ଆୟୋଜିତ ୨୦୨୩ ଏଏଫ୍ସି ଏସୀୟ କପ୍ ପାଇଁ ଏସୀୟ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ୍ର ମଧ୍ୟ ନୂଆ ସୂଚୀ ଘୋଷଣା କରାଯାଇଛି। ଏହି ପର୍ଯ୍ୟାୟ ପ୍ରକୃତରେ ମାର୍ଚ୍ଚ ଓ ଜୁନ୍ରେ ଆୟୋଜିତ ହେବାର ଥିଲା। କିନ୍ତୁ କୋଭିଡ୍-୧୯ ମହାମାରୀ ଯୋଗୁଁ ସ୍ଥଗିତ ରହିଥିଲା। ସପ୍ତମ ଓ ଅଷ୍ଟମ ଦିବସର ମ୍ୟାଚ୍ ନୂଆ ସୂଚୀ ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବର ୮ ଓ ୧୩ ତାରିଖରେ ଏବଂ ନବମ ଓ ଦଶମ ଦିନର ମ୍ୟାଚ୍ ନଭେମ୍ବର ୧୨ ଓ ୧୭ ତାରିଖରେ ଖେଳାଯିବ ବୋଲି ଏଏଫ୍ସି ଏକ ବିବୃତିରେ ପ୍ରକାଶ କରିଛି। ନଭେମ୍ବର ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ୨୦୨୨ ଫିଫା ବିଶ୍ବକପ୍ର ଏସୀୟ ଯୋଗ୍ୟତାପର୍ଯ୍ୟାୟ ଅନ୍ତିମ ପର୍ଯ୍ୟାୟ ସାଙ୍ଗକୁ ୨୦୨୩ ଏଏଫ୍ସି ଏସୀୟ କପ୍ର ତୃତୀୟ ପର୍ଯ୍ୟାୟ ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଫିଫା ପକ୍ଷରୁ ସ୍ପଷ୍ଟ କରାଯାଇଛି। ତଥାପି କୋଭିଡ୍-୧୯ ମହାମାରୀକୁ ନେଇ ସରକାରଙ୍କ ମେଡିକାଲ କଟକଣା, ଭ୍ରମଣ ଉପରେ ଅଂଙ୍କୁଶକୁ ଧ୍ୟାନ ଦେବା ସାଙ୍ଗକୁ ଦଳ, ଖେଳାଳି, ଅଧିକାରୀ ଓ ହିତାଧିକାରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ଗୁରୁତ୍ବ ଦେଇ ମ୍ୟାଚ୍ ଆୟୋଜନ କରାଯିବ ବୋଲି ଏଏଫ୍ସି ପକ୍ଷରୁ କୁହାଯାଇଛି। ଏଠାରେ ସୂଚନାଯୋଗ୍ୟ, ୨୦୨୨ ଫିଫା ବିଶ୍ବକପ୍କୁ ଯୋଗ୍ୟତା ହାସଲ କରିବା ଦୌଡ଼ରୁ ଭାରତ ବାଦ୍ ପଡ଼ିସାରିଛି। ଭାରତ କେବଳ ୨୦୨୩ ଏଏଫ୍ସି ଏସୀୟ କପ୍କୁ ଯୋଗ୍ୟତା ହାସଲ ଦୌଡ଼ରେ ରହିଛି।