ଫିଫା ବିଶ୍ବକପ୍‌: ନେଦରଲାଣ୍ଡ୍ସଠୁ ହାରିଲା ସେନେଗାଲ୍

ଦୋହା: ଚଳିତ ଫିଫା ବିଶ୍ବକପ୍‌ରେ ସୋମବାର ଗ୍ରୁପ୍‌ ‘ଏ’ର ଏକ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୨-୦ ଗୋଲ୍‌ରେ ଆଫ୍ରିକୀୟ ଦେଶ ସେନେଗାଲ୍‌କୁ ପରାସ୍ତ କରିଛି। ଦୋହାର ଅଲ ଥୁମାମା ଷ୍ଟାଡିୟମ୍‌‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କମଳା ରଙ୍ଗରେ ଖେଳିଥିବା ନେଦରଲାଣ୍ଡ୍ସ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଗୋଲ ଦେବାରେ ସକ୍ଷମ ହୋଇନଥିଲା। ସେନେଗାଲ୍ ମଧ୍ୟ ଗୋଲ୍ ପ୍ରୟାସରେ ନିଷ୍ଫଳ ରହିଥିଲା। ଶେଷ ୧୫ ମିନିଟ୍‌ରେ କିନ୍ତୁ ଦୁଇ ଗୋଲ୍ ‌ଦେଇଥିଲା ନେଦରଲାଣ୍ଡ୍ସ। ଦ୍ବିତୀୟାର୍ଦ୍ଧର ୮୪ତମ ମିନିଟ୍‌ରେ ଡି ଜଙ୍ଗଙ୍କ ସଟ୍‌କୁ ହେଡର ଜରିଆରେ ନେଦରଲାଣ୍ଡ୍ସକୁ ପ୍ରଥମେ ଅଗୁଆ କରିଥିଲେ କୋଡି ଗକ୍‌ପୋ। ଏହା ପରେ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟରେ ଖେଳିଥିଲା ଏହି ୟୁରୋପୀୟ ଦେଶ।

ଇନଜ୍ୟୁରି ଟାଇମ୍ ତଥା ଅନ୍ତିମ ମିନିଟ୍‌ (୯୯ତମ)ରେ ଡାଭି କ୍ଲାସେଁ ଏହ‌ାକୁ ୨-୦ରେ ଶେଷ କରିଥିଲେ। ସେନେଗାଲ୍ ଗୋଲରକ୍ଷକ ଏଡୱାର୍ଡ ମେଣ୍ଡି ପ୍ରତିପକ୍ଷ ଫରୱାର୍ଡଙ୍କ ପ୍ରୟାସକୁ ନିଷ୍ଫଳ କରିଥିଲେ ମଧ୍ୟ ପଡ଼ିଯିବାରୁ ଏହାର ସୁଯୋଗ ନେଇ କ୍ଲାସେଁ ଗୋଲ୍ ଦେଇଥିଲେ। ଏଥି ସହେ ଲୁଇସ୍ ଭାନ୍ ଗଲଙ୍କ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଆଫ୍ରିକୀୟ ଲାୟନ୍ସ ନିରାଶାରୁ ଅଭିଯାନ ଆରମ୍ଭ କରିବାକୁ ବାଧ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର