ଅଲ୍ ଖୋର : ଚଳିତ ଫିଫା ବିଶ୍ବକପ୍ରେ ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଗ୍ରୁପ୍ ‘ଇ’ର ଏକ ମ୍ୟାଚ୍ ସ୍ପେନ୍ ଓ ଜର୍ମାନି ମଧ୍ୟରେ ୧-୧ରେ ଶେଷ ହୋଇଛି। ଉଭୟ ଦଳ ମଧ୍ୟ ୧-୧ ପଏଣ୍ଟରେ ସନ୍ତୁଷ୍ଟ ହୋଇଛନ୍ତି। ଦୁଇ ଦେଶର ନକ୍ ଆଉଟ୍ ପ୍ରବେଶ ସୁଯୋଗ କାଏମ ମଧ୍ୟ ରହିଛି। ଜର୍ମାନି ପଏଣ୍ଟ ଖାତା ଖୋଲିଥିବା ବେଳେ ଅପରାଜିତ ସ୍ପେନ୍ ୪ ପଏଣ୍ଟ ସହ ଗ୍ରୁପ୍ର ଶୀର୍ଷ ସ୍ଥାନ ବଜାୟ ରଖିଛି।
ଅଲ୍ ବାୟତ ଷ୍ଟାଡିୟମରେ ଖେଳାଯାଇଥିବା ଦୁଇ ପୂର୍ବ ବିଜେତାଙ୍କ ଏହି ଲଢ଼େଇର ସପ୍ତମ ମିନିଟରେ ଡାନି ଓଲମୋଙ୍କ ସଟ୍କୁ ଜର୍ମାନିର ଅଭିଜ୍ଞ ଗୋଲି ମାନୁଏଲ ନିଉର ରୋକି ଥିବାବେଳେ ଏହା ବାର୍ରେ ବାଜି ଫେରିଯାଇଥିଲା। ୩୩ତମ ମିନିଟରେ ଟୋରେସ୍ ଫେରାନ୍ ମଧ୍ୟ ବାର୍ ଉପରକୁ ମାରିବାରୁ ସ୍ପେନ୍କୁ ଆଗୁଆ ଅଗ୍ରଣୀ ମିଳିପାରିନଥିଲା। ଏପରିକି ୪୦ତମ ମିନିଟ୍ରେ ଆଣ୍ଟୋନିଓ ରୁଡିଗେର୍ଙ୍କ ହେଡର୍ ଗୋଲ୍ ପୋଷ୍ଟ ଭିତରକୁ ଯାଇଥିଲେ ମଧ୍ୟ ଭାର୍ ତଦାରଖ କରି ରେଫରି ଏହାକୁ ନାକଚ କରି ଦେଇଥିଲେ। ଏଥି ସହିତ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧରେ ମଧ୍ୟ ଦୁଇ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ସ୍ପେନ୍ର ଟିକ୍ ଟକ୍ ଖେଳ ଏହାକୁ ସଫଳତା ଆଣି ଦେଇଥିଲା।
/sambad/media/post_attachments/wp-content/uploads/2022/11/ffff-2-300x146.jpg)
ବଦଳ ଖେଳାଳି ଆଲଭାରୋ ମୋରାଟା ବେଞ୍ଚ୍ରୁ ଆସି ସିଧାସଳଖ ଗୋଲ୍ ଦେଇ ଘଣ୍ଟାକର ଗୋଲ ଶୂନ୍ୟତାକୁ ଦୂର କରିଥିଲେ। ୬୨ତମ ମିନିଟ୍ରେ ମୋରାଟା ଚତୁରତାର ସହ ଜର୍ମାନି ଗୋଲରକ୍ଷକ ମାନୁଏଲ୍ ନିଉରଙ୍କ ମୁଣ୍ଡ ଉପରକୁ ଖେଳି ଗୋଲ୍ ଦେଇଥିଲେ। ଡାନି ଓଲମୋ ଓ ଜୋର୍ଡି ଆଲବାଙ୍କ ପାସ୍ରୁ ପାଇଥିବା ସୁଯୋଗକୁ ସେ ସୁନ୍ଦର ଭାବେ ଗୋଲ୍ରେ ପରିଣତ କରିଥିଲେ। ଜର୍ମାନି ପାଇଁ ମଧ୍ୟ ବଦଳ ଖେଳାଳି ଗୋଲ୍ ଦେଇଥିଲେ। ୮୩ତମ ମିନିଟରେ ନିକଲସ୍ ଫୁଲକ୍ରଗ୍ ଏହି ଗୋଲ୍ ଦେଇ ଜର୍ମାନିର ସୁଯୋଗକୁ କାଏମ ରଖିଛନ୍ତି। ପୂର୍ବରୁ ୪ ଥର ବିଜେତା ଜର୍ମାନିକୁ ପ୍ରଥମ ମ୍ୟାଚ୍ରେ ଜାପାନ ୨-୧ ଗୋଲ୍ରେ ପରାସ୍ତ କରିଥିଲା। କୋଷ୍ଟାରିକାକୁ ୭-୦ରେ ଦଳି ଅଭିଯାନ ଆରମ୍ଭ କରିଥିବା ୨୦୧୦ ବିଜେତା ସ୍ପେନ୍ ରବିବାର ଭଲ ଖେଳିଥିଲେ ମଧ୍ୟ ଅଧିକ ଗୋଲ୍ ସୁଯୋଗ ସୃ୍ଷ୍ଟି କରିପାରିନଥିଲା। ଏହି ମ୍ୟାଚ୍କୁ ଜର୍ମାନି ୪-୨-୪ ସମନ୍ବୟରେ ଏବଂ ସ୍ପେନ୍ ୪-୩-୩ ସମନ୍ବୟ ଖେଳିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/fffaaaaa.jpg)