ଗ୍ଲାସ୍ଗୋ: ଗୁରୁବାର ଇଂଲଣ୍ଡ ଓ ଜର୍ମାନି ପରେ ଶୁକ୍ରବାର ସ୍ପେନ୍ ମଧ୍ୟ ୨୦୧୮ରେ ରୁଷିଆରେ ଆୟୋଜିତ ହେବାକୁ ଥିବା ଫିଫା ବିଶ୍ୱକପ୍ ଲାଗି ଯୋଗ୍ୟତା ହାସଲ କରିନେଇଛି। ଶୁକ୍ରବାର ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍ରେ ଆଲ୍ବେନିଆକୁ ୩-୦ ଗୋଲ୍ରେ ପରାସ୍ତ କରି ୨୦୧୦ ବିଶ୍ୱ ବିଜେତା ସ୍ପେନ୍ ଗ୍ରୁପ୍-ଜି ପଏଣ୍ଟ୍ ତାଲିକାର ଶୀର୍ଷ ସ୍ଥାନ ସହ ବିଶ୍ୱକପ୍ ଟିକେଟ୍ ହାତେଇ ନେଇଛି। ଏହି ମ୍ୟାଚ୍ରେ ଭାଲେନ୍ସିଆ ଅଗ୍ରଭାଗ ଖେଳାଳି ରୋଦ୍ରିଗୋ ମରେନୋ ୧୬ ମିନିଟ୍ରେ ସ୍ପେନ୍ ପାଇଁ ପ୍ରଥମ ଗୋଲ୍ କରିବା ପରେ ରିଅଲ୍ ମାଦ୍ରିଦ୍ ମଧ୍ୟଭାଗ ଖେଳାଳି ଇସ୍କୋ ୨୩ ମିନିଟ୍ରେ ଦ୍ୱିତୀୟ ଏବଂ ରୋଦ୍ରିଗୋଙ୍କ ସଂପର୍କିୟ ଆଲ୍କାନ୍ତାରା ୨୬ ମିନିଟ୍ରେ ତୃତୀୟ ଗୋଲ୍ କରି ଦଳକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ବିଶ୍ୱକପ୍ ଯୋଗ୍ୟତା ହାସଲ କରିବା ବିଶେଷକରି ସ୍ପାନିସ୍ ଫୁଟ୍ବଲ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଆଉ ଏହାକୁ ହାସଲ କରିଥିବାରୁ ଖୁବ୍ ଖୁସୀ ବୋଲି କହିଛନ୍ତି ସ୍ପେନ୍ ଦଳର ମୁଖ୍ୟ ଜୁଲେନ୍ ଲୋପେଟେଗୁଇ। ବିଶ୍ୱକପ୍ ଯୋଗ୍ୟତା କଷ୍ଟକର ଥିଲା, ହେଲେ ଚମତ୍କାର ପ୍ରଦର୍ଶନ ବଳରେ ପାଇଗଲୁ ବୋଲି ସେ କହିଛନ୍ତି। ସ୍ପେନ୍ ବିଶ୍ୱ କପ୍ ଟିକେଟ୍ ହାସଲ କରି ନେଇଥିଲା ବେଳେ ଇଟାଲିର ଆଶା ଝୁଲି ରହିଛି। ଶୁକ୍ରବାର ଅନ୍ୟ ଏକ ମ୍ୟାଚ୍ରେ ଇଟାଲି ୧-୧ ଗୋଲ୍ରେ ମାସେଡୋନିଆ ସହ ଅମୀମାଂସିତ ରଖି ପଏଣ୍ଟ୍ ବାଣ୍ଟିଛି। ଅବଶ୍ୟ ସ୍ପେନ୍ଠାରୁ ଆଲ୍ବେନିଆ ହାରିଯିବା ପରେ ଗ୍ରୁପ୍-ଜିରେ ଇଟାଲି ଦ୍ୱିତୀୟ ସ୍ଥାନରେ ରହିବା ନିଶ୍ଚିତ ହୋଇଯାଇଛି। ତଥାପି ପ୍ଲେଅଫ୍ ରାଉଣ୍ଡ୍କୁ ଉନ୍ନୀତ ହେବା ପାଇଁ ୯ ୟୁରୋପୀୟ ଗ୍ରୁପ୍ର ଶ୍ରେଷ୍ଠ ୮ ଦ୍ୱିତୀୟ ଦଳ ଭାବେ ରହିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଇଟାଲି ଗ୍ରୁପ୍-ଜିରେ ୨୦ ପଏଣ୍ଟ ପାଇଛି। ୯ଟି ଯାକ ଗ୍ରୁପ୍ର ବିଜେତା ହିଁ ସିଧାସଳଖ ବିଶ୍ୱ କପ୍ ଯୋଗ୍ୟତା ହାସଲ କରିବାର ନିୟମ ଥିଲା ବେଳେ ଶ୍ରେଷ୍ଠ ୮ ଦ୍ୱିତୀୟ ଦଳକୁ ସୁଯୋଗ ମିଳିବ। ତେଣୁ ଅବଶିଷ୍ଟ ଗ୍ରୁପ୍ର ଶେଷ ମ୍ୟାଚ୍ ପର୍ଯ୍ୟନ୍ତ ଇଟାଲିକୁ ଏବେ ଅପେକ୍ଷା କରିବାକୁ ପଡ଼ିବ। ଆଉ ଯଦି ଇଟାଲି ଯୋଗ୍ୟତା ହାସଲ କରିନପାରେ ତେବେ ୧୯୫୮ ମସିହା ପରେ ପ୍ରଥମ ଥର ଲାଗି ଏପରି ବ୍ୟତିକ୍ରମ ଘଟିବ।
ସ୍ପେନ୍କୁ ଫିଫା ବିଶ୍ୱକପ୍ ଟିକେଟ୍
/sambad/media/post_attachments/wp-content/uploads/2017/10/x-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)